ବାଲିକୁଦା: ପ୍ରଥମ ଝଡ଼ବର୍ଷାରେ ଉଜୁଡ଼ିଗଲା ଶହଶହ ଏକରରେ ହୋଇଥିବା ପୋଟଳ ଚାଷ। ମୁଗଜମି ଛିନ୍ଛତ୍ର ହୋଇଗଲା। ଏଭଳି ଝଡ଼ ପ୍ରଭାବରେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ କୋଲଣଗିରି, ରଇପୁର, ସାଉଡ଼ିଆ, ବରପଦା, ବଡ଼ବାଲିକୁଦା, ମଝିପଡ଼ା ଓ ଗୋପାଳପୁର ପଞ୍ଚାୟତରେ ପ୍ରାୟ ଏକହଜାର ଏକର ଜମିରେ ହୋଇଥିବା ମୁଗ ପୋଟଳ ଚାଷ କ୍ଷତିଗ୍ରସ୍ତ ହୋଇଛି। ଶାରଦ ଧାନ କାଟି ସାରି ଏହି ଅଞ୍ଚଳର ଚାଷୀମାନେ ପ୍ରାୟ ୫୦୦ ଏକର ଜମିରେ ମୁଗ ଚାଷ କରିଥିଲେ। କିଛି ଜମିରେ ଛୁଇଁ ଶୁଖି ଯାଇଥିଲା। ଅନ୍ୟ କିଛି ଜମିରେ ମୁଗ କଞ୍ଚା ଥିଲା। ଆଉ ଦିନ କେଇଟା ପରେ ପାକଳ ହୋଇଥିଲେ ଚାଷୀ ଅମଳ କରିଥାନ୍ତା। କୁଆପଥର ମାଡ଼ରେ ଗଛର ଡଙ୍କ ଛିଣ୍ଡିଯିବା ସହ ସବୁ ଛୁଇଁ ଝଡ଼ି ପଡ଼ି ଗଛ ବାହାରିଲାଣି। ବହୁ ଜମିରେ ମୁଗ ଗଛ ପାଣିରେ ବୁଡ଼ିଛି। ଅନେକ ଜମିରେ ଗଛର ଚିହ୍ନବର୍ଣ୍ଣ ଦିଶୁନି। ହଜାରହଜାର ଟଙ୍କା ଖର୍ଚ୍ଚ କରି ଭଲ ଅମଳ ଆଶା ରଖିଥିବା ଚାଷୀ ଏହା ଦେଖି ମୁଣ୍ଡରେ ହାତ ଦେଇ ବସିଛି।
ସେହିଭଳି ଏ ଅଞ୍ଚଳରେ ୫୦୦ ରୁ ଊର୍ଦ୍ଧ୍ବ ଏକର ଜମିରେ ପୋଟଳ ଚାଷ ହୋଇଥିଲା। କୁଆପଥର ଓ ପବନ ମାଡ଼ରେ ଲଟା ସବୁ ଛିଡ଼ି ତଳେ ଲୋଟିଛି। ଫୁଲଫଳ ଖିନ୍ଭିନ୍ ହୋଇ ଝଡି ପଡ଼ିଛି। ଏଇ କିଛିଦିନ ହେବ ଚାଷୀ ଅମଳ ଆରମ୍ଭ କରିଥିଲେ। ପୋଟଳ ବଜାର ଦର ୮୦ ଟଙ୍କା ଉପରେ ଥିବାବେଳେ ଚାଷୀ ବେଶ୍ ଭଲ ଦି’ ପଇସା ପାଉଥିଲେ। ଖର୍ଚ୍ଚର ଅଧାଅଧି ଟଙ୍କା ଉଠିନାହିଁ, ଚାଷ ନଷ୍ଟ ହୋଇଗଲା। ଯଦି ପୁଣି ଝଡ଼ବର୍ଷା, କୁଆପଥର ମାଡ଼ ନହୁଏ ତେବେ ପୂର୍ବସ୍ଥିତିକୁ ଫେରିବା ପାଇଁ ଗୋଟିଏ ମାସ ଲାଗିବ ବୋଲି ଚାଷୀମାନେ କହିଛନ୍ତି।
ସାଉଡ଼ିଆର ଜଗନ୍ନାଥ ଖଣ୍ଡାଇ ଦେଢ଼ଏକର ଜମିରେ ମୁଗଚାଷ, ମଝିପଡ଼ାର ପ୍ରତାପ ଜେନା ଦୁଇଏକର ଜମିରେ ମୁଗ ଓ ଉତ୍ତମ ଦାସ ଦୁଇଏକର ଜାଗାରେ ପୋଟଳ, ବରପଦାର ପ୍ରମୋଦ କୁମାର ଜେନା ଦେଢ଼ଏକର ଜମିରେ ପୋଟଳ ଚାଷ କରିଥିଲେ। ଏବେ କ୍ଷୟକ୍ଷତି ଦେଖିବା ପରେ ସେମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ପାଣିପାଗ ବିଭାଗ ପୁଣି ବର୍ଷା ହେବାର ପୂର୍ବାନୁମାନ କରୁଥିବାରୁ ସେମାନଙ୍କ ଚିନ୍ତା ବଢ଼ିଯାଇଛି। ସେହିପରି ଚାଷୀ ଗୌରାଙ୍ଗ ଦାଶ, ବଳରାମ ମହାପାତ୍ର, ଅମିୟ ମହାପାତ୍ର, ବସନ୍ତ କୁମାର ପରିଡ଼ା, ସଚ୍ଚିଦାନନ୍ଦ ଜେନା, ପ୍ରତାପ ଜେନା, ଚକ୍ରଧର ଭୂୟାଁ ଓ ଉତ୍ତମ ଦାସ ବ୍ୟାପକ କ୍ଷତି ସହିଥିବା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/17-19.jpg)