ବଲାଙ୍ଗୀର / ସିନ୍ଧେକେଲା : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ତହସିଲ ଅଧୀନସ୍ଥ ଅଲଣ୍ଡା ଗାଁ ନିକଟ ‘ମୁଙ୍ଗେ’ ପାହାଡ଼କୁ ସମ୍ପୂର୍ଣ୍ଣ ଭାବେ ଧ୍ବସ୍ତବିଧ୍ବସ୍ତ କରିବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ। ଆଜି ଲିଜ୍‌ ସୂତ୍ରରେ ନେଇଥିବା ଜଣେ ବ୍ୟକ୍ତି ପୂରା ପାହାଡ଼ ଉଡ଼ାଇବାକୁ ବୋର୍‌ୱେଲ ଖନନ ଗାଡ଼ି ସାହାଯ୍ୟରେ ଡ୍ରିଲିଂ କରିଛନ୍ତି। ତେବେ, ୮/୧୦ ଖଣ୍ଡ ଗାଁ ଲୋକେ ଏକାଠି ହୋଇ ଡ୍ରିଲିଂ କାମକୁ ଅଟକାଇଛନ୍ତି। ସଙ୍ଗେସଙ୍ଗେ ଖବର ଦେଇଥିଲେ ସୁଦ୍ଧା ପ୍ରଶାସନ ପହଞ୍ଚି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Advertisment

ବଙ୍ଗୋମୁଣ୍ଡା ତହସିଲ ଅଧୀନରେ ରହିଛି ମୁଙ୍ଗେ ପାହାଡ଼। ଏହି ପାହାଡ଼ ସହିତ ସେଠିକାର ଆଠ ଦଶଟି ଗାଁର ଲୋକଙ୍କର ଭାବଗତ ସଂପର୍କ ରହିଆସିଛି। କେଉଁ କାଳରୁ ପାହାଡ଼କୁ ସେମାନେ ଡଙ୍ଗରବୁଢ଼ା ଭାବରେ ପୂଜାର୍ଚ୍ଚନା କରି ଆସୁଛନ୍ତି। କିନ୍ତୁ, ଚାରିଦିନ ତଳେ ହଠାତ୍‌ ପାହାଡ଼କୁ ଗାଡ଼ିମଟର ଯିବାଆସିବା ପାଇଁ ଡୋଜର ଲଗାଇ ରାସ୍ତାରୁ ପାହାଡ଼ ଯାଏ ସମତଳ କରାଯାଇଥିଲା। ପରେ ବୋରୱେଲ ଖନନ ଟ୍ରକ୍‌ ଆସି ପାହାଡ଼ ସାରା ଡ୍ରିଲିଂ କରିଥିଲା। କ’ଣ ପାଇଁ ଡ୍ରଲିଂ ହେଉଛି? କିଏ କରୁଛି? ଏହା ଅଂଚଳବାସୀ ସେଠି ଡ୍ରିଲିଂ କରାଉଥିବା ସଂଜୟ ଖରା ନାମକ ଜଣେ ଯୁବକଙ୍କୁ ପଚାରିବାରୁ ପାହାଡ଼ ଫଟାଇବାକୁ ଲିଜ୍‌ ନିଆଯାଇଛି ବୋଲି ସେ କହିଥିଲେ। ଏକାଥରକେ ୪୦ ଫୁଟିଆ , ୫୦ ଫୁଟିଆ ଏତେ ଡ୍ରିଲ୍‌ କାହିଁକି ହେଉଛି ବୋଲି ଲୋକେ ପଚାରିଥିଲେ ବି ସେ ସବୁ କାଗଜପତ୍ର ଅଛି ଓ ବ୍ଲାଷ୍ଟିଂ କରାଯିବ ବୋଲି କହିଥିଲେ। ପ୍ରଶାସନକୁ ବେଆଇନ ବ୍ଲାଷ୍ଟିଂ ଓ ଏକାଥରକେ ଏତେ ବଡ଼ ପାହାଡ଼ ଫଟାଇବାର ଗ୍ରାମବାସୀ ସୂଚନା ଦେଇଥିଲେ ବି କେହି ଆସିନଥିଲେ ବୋଲି ସେମାନେ କହିଛନ୍ତି। ଏହାପରେ ଅଲଣ୍ଡା ଓ ଆଖପାଖ ସୁର୍ଡା, କାଦୋପଡ଼ା, ମହଗାଁ, ବେହେରାଭଟା ଗାଁର ଲୋକେ ଏକତ୍ରିତ ହୋଇ ଆଜି ଡ୍ରିଲିଂ କରୁଥିବା ସମୟରେ ଚଢ଼ଉ କରିଥିଲେ। ଡ୍ରିଲିଂ କାର୍ଯ୍ୟକୁ ବନ୍ଦ କରାଇବା ସହ ଲିଜ୍‌ରେ ଯିଏ ନେଇଛନ୍ତି ତାକୁ ଡାକିବାକୁ ଗ୍ରାମର ଲୋକେ କାମ କରୁଥିବା କର୍ମଚାରୀଙ୍କୁ କହିଥିଲେ। ପଥର ଖାଦାନ ଲିଜ୍‌ ସୂତ୍ରରେ ଟିଟିଲାଗଡ଼ର ମନୋଜ ଗୋଏଲ ନେଇଥିବା ଓ ଡ୍ରିଲିଂ କରାଉଥିବା ଯୁବକ ସଂଜୟ କହିଛନ୍ତି।

ନିୟମ ମୁତାବକ, ଲିଜ୍‌ରେ ନେଲେ ବି ସେତେ ବଡ଼ ଡ୍ରିଲ୍‌ କରାଯାଇପାରିବ ନାହିଁ। ଯେଉଁଭଳି ପାହାଡ଼ ଉଡ଼ାଇବାକୁ ଯୋଜନା କରାଯାଉଥିଲା ତାହା ସଂପୂର୍ଣ୍ଣ ବେଆଇନ ବୋଲି ଗ୍ରାମବାସୀ କହିଛନ୍ତି। ସ୍ଥାନୀୟ ଗାଁର ଭୁଜ ବଗର୍ତ୍ତି, କୁଶଲ ରଣା ଓ ଅନ୍ୟମାନେ କହିଛନ୍ତି; ପାହାଡ଼କୁ ସେମାନେ ଇଷ୍ଟଦେବୀ ଡଙ୍ଗରବୁଢ଼ା ଦୁଆରସେନୀ ଭାବରେ ପୂଜା କରୁଛନ୍ତି। ଲୋକଙ୍କ ଭାବାବେଗ ସହ ଜଡ଼ିତ ଥିବା ପାହାଡ଼ ଜଙ୍ଗଲକୁ ଏକାଥରକେ ଧ୍ୱଂସ କରିବାକୁ ଦେବୁନାହିଁ। ବୋରୱେଲ ଗାଡ଼ି ଆଣି ଯେତେ ବଡ଼ ବଡ଼ ଗାତ କରାଯାଇଛି, ସେଥିରେ ବାରୁଦ ଦେଇ ବ୍ଲାଷ୍ଟିଂ କରାଗଲେ ଆଖପାଖର ଆଠଟି ଗାଁର ଘରଦ୍ୱାର ଭାଙ୍ଗିଯିବ। ଏଭଳି ବ୍ଲାଷ୍ଟିଂକୁ ପ୍ରଶାସନ କେମିତି ଅନୁମତି ଦେଲା? ଗାଁ ଲୋକଙ୍କ କହିବା ସତ୍ତ୍ୱେ କାହିଁକି ପ୍ରଶାସନ ଚୁପ୍‌ ବସିଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ସ୍ଥାନୀୟ ଗ୍ରାମବାସୀ ଆହୁରି କହିଛନ୍ତି, ତହସିଲଦାର ପଥର ଖାଦାନ ମାଫିଆ ସହ ହାତମିଳାଇ ପାହାଡ଼କୁ ଧ୍ବଂସ କରିବା ପାଇଁ ମସୁଧା ଚଳାଇଛନ୍ତି। ଏହିଭଳି ଅଭିଯୋଗ ପରେ ବଙ୍ଗୋମୁଣ୍ଡା ତହସିଲଦାର କହିଛନ୍ତି, ଲିଜ୍‌ ଟିଟିଲାଗଡ଼ର ମନୋଜ ଗୋଏଲଙ୍କୁ ଦିଆଯାଇଛି। କିନ୍ତୁ ବୋରୱେଲ ଗାଡ଼ି ନେଇ ପାହାଡ଼ରେ ଡ୍ରିଲିଂ କରାଯାଉଥିବା ସଂପର୍କରେ ସେ ଜାଣିନାହାନ୍ତି। କ’ଣ ହୋଇଛି ସବୁ ବୁଝାବୁଝି କରି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ତେବେ, ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସହ ଉତ୍ତେଜନା ଲାଗି ରହିଥିବା ଜଣାପଡ଼ିଛି।