ପୌରପାଳିକା ପ୍ରଶାସନିକ ସେବା ପରୀକ୍ଷାରେ ବୟସ କୋହଳ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

ଭୁବ‌ନେଶ୍ବର : ଚାକିରି ନୁହେଁ, ଓଡ଼ିଶା ପୌରପାଳିକା ପ୍ରଶାସନିକ ସେବା ନିଯୁକ୍ତି ପରୀକ୍ଷାରେ ଏକ ସୁଯୋଗ ଦିଅ। ୩୨ବର୍ଷ ଅତିକ୍ରମ କରିଯାଇଥିବା ଶହ ଶହ ସାଧାରଣ ବର୍ଗର ଆଶାୟୀ ଶିକ୍ଷିତ ବେକାର ଯୁବକ/ଯୁବତୀ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ଏପରି ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୬ ମସିହାରେ ପ୍ରଥମ କରି ଓଡ଼ିଶା ପୌରପାଳିକା ପ୍ରଶାସନିକ ସେବା ଗଠନ କରାଯାଇଥିଲେ ହେଁ ୩ ବର୍ଷ ହେଲା ପରୀକ୍ଷା ହୋଇନାହିଁ। ଚଳିତ ବର୍ଷ ଅଗଷ୍ଟରେ ଏହି ପୌରପାଳିକା ପ୍ରଶାସନିକ ସେବାରେ ନିଯୁକ୍ତି ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ବିଜ୍ଞପ୍ତି ପ୍ରକାଶ ପାଇଛି। ନିଯୁକ୍ତି ସର୍ତାବଳୀରେ ସାଧାରଣବର୍ଗଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମା ୩୨ ରଖାଯାଇଛି। ଏହାଦ୍ବାରା ୩୨ବର୍ଷ ଅତିକ୍ରମ କରିଯାଇଥିବା ରାଜ୍ୟର ପ୍ରାୟ ୩୦ ହଜାର ସାଧାରଣ ବର୍ଗର ପ୍ରାର୍ଥୀ ପରୀକ୍ଷାରୁ ବଞ୍ଚିତ ହେବେ। ତେଣୁ ମୁଖ୍ୟମନ୍ତ୍ରୀ ଏହାକୁ ସହୃଦୟତାର ସହ ବିଚାର କରି ୩୨ ବର୍ଷ ଅତିକ୍ରମ କରିଯାଇଥିବା ଆଶାୟୀଙ୍କୁ ଥରେ ମାତ୍ର ଏହି ପରୀକ୍ଷା ପାଇଁ ସୁଯୋଗ ଦେବାକୁ ସେମାନେ ନିବେଦନ କରିଛନ୍ତି। ସେମାନଙ୍କ କହିବା ମୁତାବକ, ଓଡ଼ିଶା ବ୍ୟତୀତ ଅନ୍ୟ ୧୮ଟି ରାଜ୍ୟରେ ସରକାରୀ ଚାକିରିରେ ଭର୍ତି ହେବା ପାଇଁ ସର୍ବୋଚ୍ଚ ବୟସ ସୀମା ୪୦ କିମ୍ବା ତା’ଠୁ ଅଧିକ ରହିଛି। ଏମିତି ବି ବିଭିନ୍ନ ସରକାରୀ ବିଭାଗରେ ଖାଲି ପଡ଼ିଥିବା ପଦଗୁଡ଼ିକରେ ଆଶାନୁରୂପ ନିଯୁକ୍ତି ହୋଇନଥିବା ବେଳେ ବେକାରୀ ସମସ୍ୟା ଉତ୍କଟ ହୋଇଛି। ପୂର୍ବରୁ ରାଜ୍ୟ ସରକାର ଓଡ଼ିଶା ସିଭିଲ୍‌ ସର୍ଭିସେସ୍‌ ପରୀକ୍ଷାରେ ୨୦୧୭ରୁ ୨୦୧୯ ମଧ୍ୟରେ ୩ଟି ଅତିରିକ୍ତ ସୁଯୋଗ ଦେଇଥିବାରୁ ପୌରପାଳିକା ପ୍ରଶାସନିକ ସେବା ୨୦୧୯ ପରୀକ୍ଷାରେ ମଧ୍ୟ ଅନୁରୂପ ବଦାନ୍ୟତା ଦେଖାଇ ବେକାରୀ ଶିକ୍ଷିତମାନଙ୍କୁ ଆଉ ଥରେ ସୁଯୋଗ ଦିଆଯାଉ ବୋଲି ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର