ଭିଜିଲାନ୍ସ ପଞ୍ଝାରେ ମ୍ୟୁନସିପାଲିଟି ସହକାରୀ ଯନ୍ତ୍ରୀ, ଦେଢ଼ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ସମ୍ପତ୍ତି ଠାବ

ସେମିଳିଗୁଡ଼ା/ସୁନାବେଡ଼ା : ସାରା ରାଜ୍ୟରେ ଏବେ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ଭିଜିଲାନ୍ସ ଖଣ୍ଡା ଝୁଲୁଥିବାବେଳେ ଆଜି ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ସୁନାବେଡ଼ା ମ୍ୟୁନସିପାଲିଟିର ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ର। ଭିଜିଲାନ୍ସ ବିଭାଗର ୫ ଜଣ ଡିଏସପି ଓ ୮ ଜଣ ଇନ୍ସପେକ୍ଟର ଏକକାଳୀନ ସରକାରୀ ଯନ୍ତ୍ରୀ ଶ୍ରୀପାତ୍ରଙ୍କ ସୁନାବେଡ଼ାସ୍ଥିତ ସରକାରୀ ବାସଭବନ ସମେତ ପାରଳାଖେମୁଣ୍ଡି, ବ୍ରହ୍ମପୁର ଓ ଭୁବନେଶ୍ବର ଆଦି ଜାଗାରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ମୋଟ ୧ କୋଟି ୬୮ ଲକ୍ଷ ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଥିବା ଜଣାପଡ଼ିଛି।

ସୁନାବେଡ଼ା ମ୍ୟୁନସିପାଲିଟିର ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ରଙ୍କ ବିରୋଧରେ ବହୁ ଦିନରୁ ଆର୍ଥିକ ଅନିୟମିତତା ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଆସୁଥିଲା। ତେଣୁ ଜୟପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ୫ ଜଣ ଡିଏସ୍‌ପି ଓ ୮ ଜଣ ଇନ୍ସପେକ୍ଟରକୁ ନେଇ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ଆଜି ସକାଳ ୫ଟା ସମୟରେ ଶ୍ରୀ ପାତ୍ରଙ୍କ ସୁନାବେଡ଼ା ମ୍ୟୁନସିପାଲିଟି ସ୍ଥିତ ସରକାରୀ ବାସଭବନ ସମେତ ପାରଳାଖେମୁଣ୍ଡି, ବ୍ରହ୍ମପୁର ଓ ଭୁବେନେଶ୍ୱର ଆଦି ଜାଗାରେ ଥିବା ସମ୍ପର୍କୀୟଙ୍କ ଘରେ ଏକକାଳୀନ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଶ୍ରୀ ପାତ୍ରଙ୍କ ଭୁବନେଶ୍ୱର ଠାରେ ଏକ ପ୍ଲଟ୍ ଓ ଏକ ଫ୍ଲାଟ୍, ବ୍ରହ୍ମପୁର ଠାରେ ଦୁଇଟି ପ୍ଲଟ୍ ସମେତ ଗୋଟିଏ ଦୁଇ ମହଲା କୋଠା, କୋରାପୁଟ ସହରରେ ତିନୋଟି ପ୍ଲଟ୍, ଏକାଧିକ ଏଲ୍‌ଆଇସି ପଲିସି ଓ ବ୍ୟାଙ୍କ ଡିପୋଜିଟକୁ ମିଶାଇ ମୋଟ ୧ କୋଟି ୬୮ ଲକ୍ଷ ଟଙ୍କା ମୂଲ୍ୟର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଥିବା ଜଣାପଡ଼ିଛି। ତେବେ ଖବର ଲେଖାହେବା ପର୍ଯ୍ୟନ୍ତ ଗୋଟିଏ ବ୍ୟାଙ୍କ ଲକର୍ ଖୋଲାଯାଇନଥିବାରୁ ମୋଟ ସମ୍ପତ୍ତିର ପରିମାଣ ଆହୁରି ଅଧିକ ହେବ ବୋଲି ସୂଚନା ମିଳିଛି। ଏହାପରେ ଶ୍ରୀ ପାତ୍ରଙ୍କୁ ଭୁବନେଶ୍ୱର ନିଆଯାଇ ଅଧିକ ଖୋଳତାଡ଼ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର