ପୌରାଧ୍ୟକ୍ଷ ନିର୍ବାଚନ: କୋରାପୁଟ ଜିଲ୍ଲାରେ ଭୁଷୁଡ଼ିଲା ବିଜେଡିର ଦୁର୍ଗ

୪ ପୌରାଞ୍ଚଳରୁ ଗୋଟିଏରେ ବିଜୟ, ୩ଟିରେ ପରାସ୍ତ

କୋରାପୁଟ: ପୌରାଧ୍ୟକ୍ଷ ନିର୍ବାଚନରେ ରାଜ୍ୟସାରା ବିଜେଡି ଭଲ ପ୍ରଦର୍ଶନ କରିଥିବାବେଳେ କୋରାପୁଟ ଜିଲ୍ଲାରେ ଧୁଳି ଚାଟିଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ସଫଳତା ପାଇନି। କୋରାପୁଟ ଜିଲ୍ଲାର ୪ ପୌର ପରିଷଦରୁ କେବଳ କୋରାପୁଟ ପୌରପାଳିକା ବିଜେଡି ଦଖଲ କରିଥିବାବେଳେ ଜୟପୁର, ସୁନାବେଢା ଓ କୋଟପାଡରେ ପୌରାଧ୍ୟକ୍ଷ ପ୍ରାର୍ଥୀ ପରାସ୍ତ ହୋଇଛନ୍ତି। ସବୁଠୁ ବଡ ଝଟକା ଲାଗିଛି ସୁନାବେଢା ପୌରପାଳିକାରେ। ଆକଳନ କହୁଥିଲା କି ବିଜେଡିର ଅମିତ ଅଗ୍ରୱାଲ ଏଠାରେ ବିଜୟୀ ହେବେ। ଏହାକୁ ଭୁଲ ପ୍ରମାଣିତ କଲେ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମା‌ର ପାତ୍ର। ଅମିତ ୫୮୪୦ ଭୋଟ ପାଇଥିବାବେଳେ ରାଜେନ୍ଦ୍ର ୬୯୩୬ ଭୋଟ ପାଇ ବିଜୟୀ ହୋଇଛନ୍ତି। କଂଗ୍ରେସର ପହ୍ଲବୀ ଖୋସଲା ୨୯୪୦, ବସନ୍ତ କୁମାର ତ୍ରିପାଠୀ ୩୩୧୨ ଭୋଟ ପାଇଛନ୍ତି।

ସୁନାବେଢ଼ା ପୌର ପାଳିକାରେ ଗଣତି ଆରମ୍ଭ ବେଳକୁ ବିଜେଡିର ଅମିତ ଅଗ୍ରୱାଲ ୧୦୦୦ ଭୋଟରେ ଆଗୁଆ ଥିଲେ। ୧ରୁ ୫ୱାର୍ଡ ବିଜେଡି ବିଜୟୀ ହୋଇଥିଲେ। ପରେ ୫ରୁ୧୦ ୱାଡରେ ବିଜେଡି, କଂଗ୍ରେସ ଓ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ରଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା। କିନ୍ତୁ ୧୫ ନମ୍ବର ୱାର୍ଡର ଗଣତି ଆରମ୍ଭ ହେଉ ହେଉ ବିଜେଡି, କଂଗ୍ରେସ ଓ ବିଜେପିକୁ ପଛରେ ପକାଇ ସ୍ବାଧୀନପ୍ରାର୍ଥୀ ରାଜେନ୍ଦ୍ର ଆଗୁଆ ହୋଇଥିଲେ। ୧୫ରୁ ୨୦ନମ୍ବର ୱାର୍ଡରେ ଥିବା ସୁନାବେଢା, ଜର୍ସିଫାର୍ମ, ଏଚଏଲ ଟାଉନସିପ, ଗୋପବନ୍ଧୁ ନଗର, ସେମିଳିଗୁଡା ଟାଉନର ଶିକ୍ଷିତ ଭୋଟରଙ୍କ ଭୋଟ ରଜେନ୍ଦ୍ରଙ୍କୁ  ମିଳିଥିଲା। ୨୦ରୁ ୨୫- କୋଡିଗାଁ, ପେଟକଣା, ଜାନିଗୁଡ, କାକି ଗାଁ, ଅଲମାଗୁଡା, ଗାନ୍ଧି ନଗରର ବାସିନ୍ଦା ମଧ୍ୟ ରାଜେନ୍ଦ୍ରଙ୍କୁ ବାଛିଥିଲେ। ତେବେ ବିଜେଡି ଓ କଂଗ୍ରେସ ମଧ୍ୟ ଦୃଢ ପ୍ରାର୍ଥୀ ଦେଇଥିଲେ। ନିର୍ବାଚନ ପୂର୍ବରୁ ରାଜେନ୍ଦ୍ର ବିଜେପିରୁ ପ୍ରାର୍ଥୀ ହେବେ ବୋଲି ଆଶା ରଖିଥିଲେ। ହେଲେ ଜିଲ୍ଲା ସଭାପତି ଆଉ ଜଣଙ୍କୁ ପ୍ରାର୍ଥୀ କରିବାରୁ ସେ ସ୍ବାଧୀନ ପ୍ରାର୍ଥୀ ହୋଇ ମଇଦାନକୁ ଓହ୍ଲାଇଥିଲେ।

ବିଜେଡି ଜିତିବ ବୋଲି ଦୃଢ ବିଶ୍ବାସ ରଖିଥିଲା। ଲୋକଙ୍କ ପାଖକୁ ଯାଇ ପାରି ନଥିବାରୁ ଉଭୟ ଗାଁ ଓ ସହରୀ ଭୋଟରଙ୍କଠାରୁ ପ୍ରତ୍ୟାଖ୍ୟାତ ହୋଇଥିଲା। ଯାହା ଭୋଟ ଆସିଛି ତାହା ବ୍ୟବସାୟୀ ଓ ବଣିକ ସହ କାଁ ଭାଁ ଗାଁ ଓ ସହର ଭୋଟର ବିଜେଡିକୁ ଭୋଟ ଦେଇଛନ୍ତି। ସୁନାବେଢା, ଜର୍ସିଫାର୍ମ, ଏଚଏଲ ଟାଉନସିପ, ଗୋପବନ୍ଧୁ ନଗର, ସେମିଳିଗୁଡା ଟାଉନ, କୋଡିଗାଁ, ପେଟକଣା, ଜାନିଗୁଡ, କାକି ଗାଁ, ଅଲମାଗୁଡା, ଗାନ୍ଧୀ ନଗରରେ ଲୋକେ ବିଜେଡି ଉପରେ ଅସନ୍ତୁଷ୍ଟ ଥିଲେ ରାସ୍ତାଘାଟ,ପାଣି ଓ ବିଦ୍ୟୁତ ସମସ୍ୟାକୁ ନେଇ। ପୂର୍ବରୁ ଏହା ବିଜେଡି ଦଖଲରେ ଥିବାବେଳେ ଏବେ ସ୍ବାଧୀନ ପ୍ରାର୍ଥୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ସୁନାବେଢାରେ ବିଜେଡିର ପ୍ରଚାର ପ୍ରସାର ଠିକ ନଥିବାବେଳେ ଦଳ ବିରୋଧୀ କାର୍ଯ୍ୟ ହୋଇଥିବା ଆଶଙ୍କା କରାଯାଉଛି।

ଏଠାରେ ବିଜେଡିର ଜିଲ୍ଲା ସଭାପତି ଈଶ୍ବର ପାଣିଗ୍ରାହୀ ଜିଲ୍ଲାର ଦାୟିତ୍ବ ବୁଝୁଥିବାବେଳେ ସୁନାବେଢା ଦାୟିତ୍ବ କୋରାପୁଟ ବିଧାୟକ ରଘୁରାମ ପଡାଲ ଓ  ପଟାଙ୍ଗୀ ବିଧାୟକ ପିତମ ପାଢୀ ବୁଝୁଥିଲେ।  ୨୫ ୱାର୍ଡରୁ ୧୯ଟି ବିଜେଡି ଦଖଲ କରିଥିଲେ ବି ଅଧ୍ୟକ୍ଷ ଆସନ ହାତେଇବାରେ ବିଫଳ ହୋଇଛି। ଏହାସହ ୨ଟି ବିଜେପି ୩ଟି କଂଗ୍ରେସ ଓ ଗୋଟିଏ ସ୍ବାଧୀନ ପ୍ରାର୍ଥୀ ବିଜୟ ହୋଇଛନ୍ତି।  ଅନ୍ୟପକ୍ଷରେ ପୂର୍ବରୁ କୋରାପୁଟ ପୌରପାଳିକା କଂଗ୍ରେସ ହାତରେ ଥିଲା। ଚଳିତ ନିର୍ବାଚନରେ ୨୧ ୱାର୍ଡରୁ ବିଜେଡି ୧୫ଟି, ୪ଟି କଂଗ୍ରେସ ଓ ଦୁଇଟିରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ବିଜେଡିର ଅଧ୍ୟକ୍ଷ ପ୍ରାର୍ଥୀ ରଞ୍ଜନ ସେଠୀ ୧୨୦୩୦ ଭୋଟ ପାଇଥିବାବେଳେ କଂଗ୍ରେସର ଦେବାନନ୍ଦ ‌ବେହେରା ୬୬୮୯, ବିଜେପିର ଜି.ସଞ୍ଜୀବ କୁମାର ୨୨୮୨ ଓ ସ୍ବାଧୀନ ପ୍ରାର୍ଥୀ ଭୂଷିତ କୁମାର ବିଡିକା ୫୫୨ ଭୋଟ ପାଇଛନ୍ତି।

ସମ୍ବନ୍ଧିତ ଖବର