ବିରୋଧୀଙ୍କ ବିନା ପାରିତ ହେଲା ପୌର ବିଧି(ସଂଶୋଧନ) ବିଲ୍‌

ଭୁବନେଶ୍ୱର : ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଗତ କରିଥିବା ଓଡ଼ିଶା ପୌର ବିଧି (ସଂଶୋଧନ) ବିଲ୍‌, ୨୦୧୮ ଆଜି ଗୃହରେ ପାରିତ ହୋଇଛି। ତେବେ ବିଲ୍‌ ଆଲୋଚନା ପୂର୍ବରୁ ବିରୋଧୀ ଦଳ ସଦସ୍ୟମାନେ ଗୃହ ଛାଡ଼ି ଚାଲିଯାଇଥିଲେ।

ବିଲ୍‌ର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ ଯେ ପୌର ସଂସ୍ଥା ଅଧ୍ୟକ୍ଷ ବା ଉପାଧ୍ୟକ୍ଷା ଏବଂ ମହାନଗର ନିଗମର ମେୟର ବା ଉପ ମେୟରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆସିଲେ ମତଦାନ ଅନୁଷ୍ଠିତ ହୋଇଥାଏ। ପୌର ସଂସ୍ଥାର କାଉନସିଲର ବା ମହାନଗର ନିଗମର କର୍ପୋରେଟର ଯଦି ଜାରି ହୋଇଥିବା ଦଳୀୟ ନିର୍ଦେଶନାମାକୁ ଅବମାନନା କରନ୍ତି, ତାଙ୍କୁ ଅଯୋଗ୍ୟ ଘୋଷିତ କରାଯିବ। ଏହାର କାରଣ ରୂପେ ସେ ଦର୍ଶାଇଛନ୍ତି ଯେ ନିର୍ଦିଷ୍ଟ ରାଜନୈତିକ ଦଳର ଜଣେ କାଉନସିଲର ବା କର୍ପୋରେଟର ଦଳୀୟ ନୀତି, ଆଦର୍ଶ, ବିଚାର ପାଳନ କରିବା କଥା। ଏଣୁ ସଂପୃକ୍ତ କାଉନସିଲର ବା କର୍ପୋରେଟର ତାଙ୍କ ଭୋଟ ଭୋଟ ବାକ୍ସରେ ପକାଇବା ପୂର୍ବରୁ ତାଙ୍କ ଦଳକୁ ଭୋଟ ଦେଉଛନ୍ତି କି ନାହିଁ ତାହା ଦେଖାଇବାକୁ ପଡ଼ିବ। ଏହା ଫଳରେ ଘୋଡ଼ାବେପାର, ଦଳବଦଳ, ବିକ୍ରି ହେବା ଭଳି ଅଭିଯୋଗ ଉଠିବ ନାହିଁ।

ଆଜି ଶାସକ ଦଳର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଏହି ବିଧି ବ୍ୟବସ୍ଥା ସଂପର୍କରେ ପ୍ରାଞ୍ଜଳ କରି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶାସକ ଦଳ ବିଧାୟକ ଜୀବନ ପ୍ରଦୀପ ଦାଶ, ମହେଶ ସାହୁ, ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପ୍ରିୟଦର୍ଶୀ ମିଶ୍ର, ସଂଜୀବ ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର