ଭୁବନେଶ୍ବର : ଆସନ୍ତା ୨୪ତାରିଖରେ ରାଜ୍ୟର ୧୦୬ଟି ପୌରାଞ୍ଚଳ ଏବଂ ୩ଟି ମହାନଗର ନିଗମରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ସୋମବାର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ରାଜ୍ୟ ନିର୍ବାଚନ କମିସନଙ୍କ ସୂଚନା ଅନୁଯାୟୀ, ଏବେ ପୌରାଧ୍ୟକ୍ଷ/ମେୟର ପଦବି ପାଇଁ ୫୬୯ଜଣ, କାଉନସିଲର/କର୍ପୋରେଟର ପଦବି ପାଇଁ ୫୮୪୨ଜଣ ପ୍ରାର୍ଥୀ ଅଛନ୍ତି। ଏହି ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବ।

Advertisment

ଆଶ୍ଚର୍ଯ୍ୟର ବିଷୟ ପୌର ନିର୍ବାଚନ ଲଢ଼େଇ ପୂର୍ବରୁ ୬୪୧ଜଣ ପ୍ରାର୍ଥୀ ଓହରି ଯାଇଛନ୍ତି। ଏଥିରେ ୧୦୨ଜଣ ପୌରାଧ୍ୟକ୍ଷ/ମେୟର ପ୍ରାର୍ଥୀ ଥିବାବେଳେ ୫୩୯ଜଣ କାଉନସିଲର/କ‌େର୍ପାରେଟର ପ୍ରାର୍ଥୀ ଅଛନ୍ତି। ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହରର ଶେଷ ଦିନ ଥିବାବେଳେ ବହୁ ସ୍ଥାନରେ ସ୍ବାଧୀନ ଓ ବିଭିନ୍ନ ଦଳର ଅସନ୍ତୁଷ୍ଟ ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିବା ଦେଖିବାକୁ ମିଳିଛି। ବି‌େଶଷକରି ଶାସକ ବିଜେଡି ଦଳର ବହୁ ଅସନ୍ତୁଷ୍ଟ ପ୍ରାର୍ଥୀ ବିଭିନ୍ନ ୱାର୍ଡରେ ପ୍ରାର୍ଥୀ ହୋଇଥିବାବେଳେ ସେମାନଙ୍କୁ ଦଳୀୟ ନେତାମାନେ ମନାଇ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି। ତଥାପି ବି କିଛି ସ୍ଥାନରେ ଅସନ୍ତୁଷ୍ଟ ପ୍ରାର୍ଥୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନାହାନ୍ତି।

ଅପରପକ୍ଷେ ଚଳିତ ପୌର ନିର୍ବାଚନ ପାଇଁ ପୌରାଧ୍ୟକ୍ଷ/ମେୟର ପଦବି ପାଇଁ ୬୯୩ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ନାମାଙ୍କନପତ୍ର ଯାଞ୍ଚବେଳେ ୨୨ଜଣଙ୍କର ନାକଚ ହୋଇଥିଲା। ସେହିପରି କାଉନସିଲର/କର୍ପୋରେଟର ପଦବି ପାଇଁ ୬୪୫୯ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ୭୮ଜଣଙ୍କର ନାକଚ ହୋଇଥିଲା। ଏହିପରି ୧୦୦ଜଣ ପ୍ରାର୍ଥୀଙ୍କର ପ୍ରାର୍ଥିପତ୍ର ନାକଚ ହୋଇଥିଲା।