ପୌର ନିର୍ବାଚନ: ଲଢ଼େଇ ପୂର୍ବରୁ ୩ କର୍ପୋରେଟର, ୫୮ କାଉନ୍‌ସିଲର ବିଜୟୀ

ତିନି ୱାର୍ଡ ପାଇଁ କାଉନ୍‌ସିଲର ମନୋନୟନ କରିବେ ସରକାର
୪୩୭୩ ବୁଥ୍‌ରେ ମତଦାନ କରିବେ ୪୦ଲକ୍ଷ ୫୫ହଜାର ଭୋଟର
ପ୍ରତି ବୁଥ୍‌ରେ ସଶସ୍ତ୍ର ପୁଲିସ ମୁତୟନ ‌ହେବେ

ଭୁବନେଶ୍ବର : ଆସନ୍ତା ୨୪ତାରିଖରେ ରାଜ୍ୟର ୫୯ଟି ଏନ୍‌ଏସି, ୪୭ଟି ମ୍ୟୁନିସପାଲଟି ଏବଂ ୩ଟି ମହାନଗର ନିଗମରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏଥର ମ୍ୟୁନିସପାଲଟି ଓ ଏନ୍‌ଏସିର ୧୬୭୨ଟି ୱାର୍ଡ ଏବଂ ତିନିଟି ମହାନଗର ନିଗମର ୧୬୫ଟି ୱାର୍ଡରେ ନିର୍ବାଚନ ହେଉଥିବା ବେଳେ ମେୟର/ପୌରାଧ୍ୟକ୍ଷ ପଦବି ପାଇଁ ୫୬୯ ଜଣ, କର୍ପୋରେଟର/କାଉନସିଲର ପଦବି ପାଇଁ ୫୮୪୨ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ମ୍ୟୁନିସପାଲଟି/ଏନ୍‌ଏସିର ୨୯୮୯ଟି ବୁଥ୍‌ରେ ଏବଂ ୩ଟି ମହାନଗର ନିଗମର ୧୩୮୪ ବୁଥ୍‌ରେ ୪୦ଲକ୍ଷ ୫୫ହଜାର ୫୩ଜଣ ମତଦାନ କରିବେ। ଏଥିପାଇଁ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ହୋଇଛି।

ନିର୍ବାଚନ କମିସନଙ୍କ ସୂଚନା ଅନୁଯାୟୀ ନାମାଙ୍କନପତ୍ର ଯାଞ୍ଚ, ପ୍ରତ୍ୟାହାର ପରେ ମୋଟ୍ ୬୧ଜଣ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଏଥିରେ ବ୍ରହ୍ମପୁର ମହାନଗର ନିଗମରେ ୩ଟି ୱାର୍ଡରେ କର୍ପୋରେଟର ଏବଂ ବିଭିନ୍ନ ମ୍ୟୁନିସପାଲଟି ଓ ଏନ୍‌ଏସିର ୫୮ଟି ୱାର୍ଡରେ କାଉନସିଲର ପ୍ରାର୍ଥୀମାନେ ବିନା ଲଢ଼େଇରେ ବିଜୟୀ ହୋଇଛନ୍ତି। ଏହାବ୍ୟତୀତ ପଟ୍ଟାମୁଣ୍ଡାଇ ମ୍ୟୁନିସପାଲଟି, କାମାକ୍ଷାନଗର ଏନ୍‌ଏସି ଓ ପୁରୁଷୋତ୍ତମପୁର ଏନ୍‌ଏସିର ଗୋଟିଏ ଗୋଟିଏ ୱାର୍ଡରେ କେହି ପ୍ରାର୍ଥିପତ୍ର ଦାଖଲ କରିନାହାନ୍ତି। ଉକ୍ତ ପଦବିଗୁଡ଼ିକ ସଂରକ୍ଷିତ ଶ୍ରେଣୀର ହୋଇଥିବାରୁ ଆଇନର ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ସରକାର ଏହି ପଦବି ପାଇଁ ଉପଯୁକ୍ତ ବ୍ୟକ୍ତିଙ୍କୁ ମନୋନୀତ କରିବେ।

ସେହିପରି କଟକ ମହାନଗର ନିଗମର ମେୟର ଏବଂ ବାରିପଦା ମ୍ୟୁନିସପାଲଟିର ଅଧ୍ୟକ୍ଷ ପଦ ପାଇଁ ମୋଟ୍‌ ୧୬ଜଣ ଲେଖାଏଁ ପ୍ରାର୍ଥୀ ଅଛନ୍ତି। ଜୟପୁର ମ୍ୟୁନିସପାଲଟିର ଅଧ୍ୟକ୍ଷ ପଦ ପାଇଁ ୧୮ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ତେଣୁ ଏହି ତିନିଟି ସ୍ଥାନରେ ଦୁଇଟି ଲେଖାଏଁ ବାଲଟ୍ ୟୁନିଟ ବ୍ୟବହାର କରାଯିବ।

ଏହି ନିର୍ବାଚନରେ ପ୍ରତ୍ୟେକ ବୁଥ୍‌ରେ ଦୁଇଟି ଲେଖାଏଁ ଇଭିଏମ୍‌ ରହିବ। ଗୋଟିକରେ ମେୟର/ପୌରାଧ୍ୟକ୍ଷ ଏବଂ ଅନ୍ୟଟିରେ କାଉନସିଲର/କର୍ପୋରେଟର ପାଇଁ ଭୋଟ୍‌ ଗ୍ରହଣ କରାଯିବ।

୨୪ତାରିଖ ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ୍‌ଗ୍ରହଣ ହେବ। ମାର୍ଚ୍ଚ ୨୬ତାରିଖ ସକାଳ ୮ଟାରୁ ଭୋଟ୍‌ ଗଣତି ହେବ। ପ୍ରତ୍ୟେକ ପୋଲିଂ ପାର୍ଟିରେ ଜଣେ ପ୍ରିଜାଇଡିଂ ଅଫିସର ଏବଂ ୪ଜଣ ପୋଲିଂ ଅଫିସର ରହିବେ। ମୋଟ୍‌ ୨୨ହଜାର ପୋଲିଂ କର୍ମଚାରୀ ନିଯୁକ୍ତ ହେବେ। ୨୩ତାରିଖ ଅପରାହ୍ନ ସୁଦ୍ଧା ସମସ୍ତ ପୋଲିଂ କର୍ମଚାରୀ ଭୋଟ୍‌ ଗ୍ରହଣ କେନ୍ଦ୍ରରେ ପହଞ୍ଚିବେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ରାଜ୍ୟ ପୁଲିସ ତରଫରୁ ୧୯୫ପ୍ଲାଟୁନ୍ ପୁଲିସ୍ ଫୋର୍ସ ବ୍ୟବସ୍ଥା କରାଯାଇଛି। ଏଥିମଧ୍ୟରୁ ଭୁବନେଶ୍ବର ପାଇଁ ୩୦ପ୍ଲାଟୁନ୍, କଟକ ପାଇଁ ୨୦ପ୍ଲାଟୁନ୍, ବ୍ରହ୍ମପୁର ପାଇଁ ୧୦ପ୍ଲାଟୁନ୍ ପୁଲିସ ଫୋର୍ସ ରହିବେ। ଏହାବ୍ୟତୀତ ମୋଟ୍ ୩୦୦ ମୋବାଇଲ୍ ପାର୍ଟି ରହିବେ। ଏଥିରୁ ୧୦୯ଟି ମୋବାଇଲ୍ ପାର୍ଟି ୩ଟି ମହାନଗର ନିଗମରେ ରହିବେ।

ପ୍ରତ୍ୟେକ ବୁଥ୍‌ରେ ଜଣେ ଲେଖାଏଁ କନଷ୍ଟେବଳ/ହାବିଲଦାର କିମ୍ବା ସଶନ୍ତ୍ର ପୁଲିସ ରହିବେ। ସମ୍ବେଦନଶୀଳ/ଅତି ସମ୍ବେଦନଶୀଳ ବୁଥ୍‌ରେ ଜଣେ ଜଣେ ହାବିଲଦାର କିମ୍ବା କନଷ୍ଟେବଳ ସହ ଆଉ ଜଣେ ସଶସ୍ତ୍ର ପୁଲିସ ରହିବେ। ଏହାବ୍ୟତୀତ ପ୍ରତ୍ୟେକ କ୍ଲଷ୍ଟର ବୁଥ୍‌ରେ ଜଣେ ଅଫିସର ସହ ଫୋର୍ସ ମୁତୟନ ହେବେ। ନିର୍ବାଚନ ହେଉଥିବା ପ୍ରତ୍ୟେକ ସହରାଞ୍ଚଳର ଥାନାରେ ଗୋଟିଏ କିମ୍ବା ଦୁଇଟି ଷ୍ଟ୍ରାଇକିଂ ଫୋର୍ସ ରହିବେ। ଏହାବ୍ୟତୀତ ପ୍ରତି ଜିଲ୍ଲା ସଦର ମହକୁମାରେ ଗୋଟିଏ କିମ୍ବା ଦୁଇ ପ୍ଲାଟୁନ୍ ପୁଲିସ୍ ଫୋର୍ସ ଜରୁରି ପରିସ୍ଥିତି ପାଇଁ ନିୟୋଜିତ ହେବେ। ୫ଟି ଜାଗାରେ ବର୍ଡର ସିଲିଂ ପଏଣ୍ଟ ରହିବ, ଯାହା ଦାୟିତ୍ବରେ ଜଣେ ଇନ୍ସପେକ୍ଟର ଏବଂ ୩ଜଣ ଅଫିସର ଏବଂ ଏକ ଚତୁର୍ଥାଂଶ ଫୋର୍ସ ୨୪ଘଣ୍ଟା ଡ୍ୟୁଟି କରିବେ।

ସମ୍ବନ୍ଧିତ ଖବର