ପୌରାଧ୍ୟକ୍ଷ ନିର୍ବାଚନ: ୧୯୯୨ରେ ବାଜି ମାରିଥିଲା ଜନତା ଦଳ, ଏବେ କିଏ?

ଭୁବନେଶ୍ବର : ରାଜ୍ୟର ୧୧୪ଟି ପୌର ସଂସ୍ଥାରେ କେବେ ନିର୍ବାଚନ ହେବ ‌ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନି। କିନ୍ତୁ ନିର୍ବାଚନ ହେଲେ ମେୟର/ ପୌରାଧ୍ୟକ୍ଷ ନିର୍ବାଚନ ସିଧାସଳଖ ହେବ ବୋଲି ନିଷ୍ପତ୍ତି ହୋଇଛି। ଆଉ କର୍ପୋରେଟର/କାଉନସିଲରମାନେ ମେୟର/ ପୌରାଧ୍ୟକ୍ଷ ବାଛିବେନି। ଏବେ ପୌର ସଂସ୍ଥାର ମୁଖିଆ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେବାକୁ ଥିବାରୁ ସବୁ ରାଜନୈତିକ ଦଳର ଏହା ଉପରେ ଆଖି।

ହେଲେ ପୂର୍ବରୁ ଯେଉଁ ଦୁଇ ଥର ୧୯୭୯ ଓ ୧୯୯୨ରେ ପୌରାଧ୍ୟକ୍ଷ ପଦ ପାଇଁ ପ୍ରତ୍ୟେକ୍ଷ ନିର୍ବାଚନ ହୋଇଥିଲା ସେଥିରେ ଶାସକ ଦଳ ବାଜି ମାରିଥିଲା। ଏବେ ଯଦି ପୂର୍ବଭଳି ନିର୍ବାଚନ ହୁଏ ସେଥିରେ କିଏ ଅଧିକ ଆସନ ଦଖଲ କରିବ ‌ତାହାକୁ ନେଇ ଅଙ୍କ କଷା ଆରମ୍ଭ ହୋଇଗଲାଣି।

୧୯୭୯ ମସିହାରେ ନୀଳମଣି ରାଉତରାୟ ମୁଖ୍ୟମନ୍ତ୍ରୀ ଥିବା ବେଳେ ପୌରାଧ୍ୟକ୍ଷ ପଦବି ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହୋଇଥିଲା। ଏଥିରେ ଶାସକ ଜନତା ଓ ବିରୋଧୀ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହୋଇଥିଲେ ହେଁ ଶାସକ ଦଳ ବାଜି ମାରିଥିଲା। ସେହିପରି ୧୯୯୨ରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ଏହି ପ୍ରକ୍ରିୟାରେ ପୌରାଧ୍ୟକ୍ଷ ବଛାଯାଇଥିଲେ। ସେଥିରେ ବି ଶାସକ ଜନତା ଦଳ ବାଜି ମାରିଥିଲା। ହେଲେ ଦୁଇଟି ଯାକ ନିର୍ବାଚନ ପରେ ବିଭିନ୍ନ ସ୍ଥାନରେ ପୌରାଧ୍ୟକ୍ଷଙ୍କୁ ହଟାଇବା ପାଇଁ ଯେଉଁଭଳି ଅନାସ୍ଥା ପ୍ରସ୍ତାବ ଆସିଲା ଏବଂ ନିର୍ବାଚନର ଦୁଇ ବର୍ଷ ପରେ ପୌରାଧ୍ୟକ୍ଷମାନେ ବିଦା ହେଲେ ତାହାକୁ ନେଇ ସେତେବେଳେ ଜୋର୍ ଚର୍ଚ୍ଚା ହୋଇଥିଲା।

DNA India

୧୯୯୨ରେ ରାଜ୍ୟରେ ୧୦୨ଟି ପୌରସଂସ୍ଥା ଥିଲେ ହେଁ ୯୬ଟି ସଂସ୍ଥା ପାଇଁ ଫେବ୍ରୁଆରି ୨୮ରେ ନିର୍ବାଚନ କରିବାକୁ ଘୋଷଣା ହୋଇଥିଲା। କିନ୍ତୁ ସୋନପୁର ଜିଲ୍ଲା ଦାବିରେ ସୋନପୁର ମ୍ୟୁନିସିପାଲ୍‌ଟି ଏବଂ ବିନିକା ଏନ୍‌ଏସିରେ କେହି ପ୍ରାର୍ଥିପତ୍ର ଦାଖଲ ନକରିବାରୁ ନିର୍ବାଚନ ହୋଇ ନଥିଲା। କରଞ୍ଜିଆରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାରୁ ନିର୍ବାଚନ ହେଲାନି। ଏହାପରେ ୯୩ଟି ପୌରସଂସ୍ଥାରେ ନିର୍ବାଚନ ହୋଇଥିଲା। ହେଲେ ୫ଟି ସ୍ଥାନରେ ଭୋଟ୍‌ ଗଣତିକୁ ନେଇ ବିବାଦ ହେବାରୁ ୮୮ଟି ସ୍ଥାନରେ ବିଜେତାଙ୍କ ନାମ ଘୋଷଣା ହୋଇଥିଲା। ଏହାପରେ ମାର୍ଚ୍ଚ ୮ତାରିଖରେ ବାକି ୫ଟି ସ୍ଥାନରେ ସାନି ଗଣତି ହୋଇ ବିଜେତାଙ୍କ ନାମ ଘୋଷଣା ହୋଇଥିଲା। ଏହି ନିର୍ବାଚନରେ ଜନତା ଦଳ ମୋଟ୍ ୪୪ଟି, କଂଗ୍ରେସ ୨୮ଟି, ବିଜେପି ୪ଟି, ସିପିଆଇ ୨ଟି, ସ୍ବାଧୀନ ପ୍ରାର୍ଥୀ ୧୫ଟି ସ୍ଥାନରେ ବି‌ଜୟୀ ହୋଇଥିଲେ। ଏଥିରୁ ଅଧିକାଂଶ ସ୍ବାଧୀନ ପ୍ରାର୍ଥୀ ଜନତା ଦଳ ପ୍ରାର୍ଥୀଙ୍କୁ ବିରୋଧ କରି ବିଦ୍ରୋହୀ ପ୍ରାର୍ଥୀ ଭାବେ ନିର୍ବ‌ାଚନ ମଇଦାନକୁ ଓହ୍ଲାଇଲେ। କିନ୍ତୁ ନିର୍ବାଚନ ଜିତିବା ପରେ ଜନତା ଦଳରେ ମିଶି ଯାଇଥିଲେ। ଏହି ନିର୍ବାଚନରେ ସିପିଆଇ(ଏମ୍) ୧୮ଟି ସ୍ଥାନରେ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ଦେଇଥିଲେ ହେଁ ଜଣେ ବି ଜିତି ପାରି ନଥିଲେ।

ସମ୍ବନ୍ଧିତ ଖବର