ପୌର ନିର୍ବାଚନ ପାଇଁ ସହର ରାଜନୀତି ସରଗରମ: ଅଧ୍ୟକ୍ଷା ଆଶାୟୀଙ୍କ ଭିଡ଼

ସୁନ୍ଦରଗଡ଼: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନସରୁଣୁ ହଠାତ ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା।  ପଞ୍ଚାୟତ ଭୋଟ ଗଣତି ଓ ଫଳାଫଳକୁ ନେଇ ପ୍ରାର୍ଥୀ ଓ ରାଜନୈତିକ ଦଳଗୁଡ଼ିକ ଆଶା ଓ ଆଶଙ୍କାରେ ଅଛନ୍ତି। ଏସ୍ଥିତିରେ ପୌର ନିର୍ବାଚନ ରାଜନୈତିକ ପାଣିପାଗକୁ ଅଧିକ ସରଗରମ  କରି ଦେଇଛି।  ମାର୍ଚ୍ଚ ୨୪ରେ ପୌର ନିର୍ବାଚନ, ୨୬ ତାରିଖରେ ଭୋଟ ଗଣତି। ଏଥିପାଇଁ ଆଗାମୀ ୨୮ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୨ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ମନୋନୟନ ପତ୍ର ଦାଖଲ କରିପାରିବେ। ଠିକ୍ ସେହିପରି ମାର୍ଚ୍ଚ ୯ ତାରିଖରେ ନାମାଙ୍କନପତ୍ର ଯାଞ୍ଚ, ୧୪ ସୁଦ୍ଧା ପ୍ରତ୍ୟାହାର କରାଯାଇପାରିବ। ଏଥିଲାଗି ଆଜିଠାରୁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହେଲା ବୋଲି ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢ଼ୀ ଘୋଷଣା କରିଛନ୍ତି।

ଏସ୍ଥିତିରେ ପ୍ରତ୍ୟକ୍ଷ ନିର୍ବାଚନର ସମ୍ମୁଖୀନ ହେବାକୁ ଥିବା ମହିଳା ସଂରକ୍ଷିତ ସୁନ୍ଦରଗଡ଼ ପୌରାଧ୍ୟକ୍ଷା ଆସନ ପାଇଁ ଆଶାୟୀଙ୍କ ଭିଡ଼ ଆଶାତୀତ ଭାବେ ବୃଦ୍ଧି ପାଇଛି। ବିଜୁ ଜନତା ଦଳରୁ ପୂର୍ବତନ ପୌର ଉପାଧ୍ୟକ୍ଷା ତଥା ଜିଲ୍ଲା ମହିଳା ସଭାନେତ୍ରୀ ରଞ୍ଜନା ପଣ୍ଡା ଦୌଡ଼ର ଆଗରେ ଥିବା ବେଳେ ପୂର୍ବତନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ୍ମିନୀ ଶେଖର ଦେଓଙ୍କ ବୋହୂ ଭିଜ୍ଞାନୀ ଶେଖର ଦେଓ,  ବରିଷ୍ଠ ବିଜେଡି ନେତା ଜନ୍ମେଜୟ ମହାପାତ୍ରଙ୍କ ପତ୍ନୀ ତଥା ପୂର୍ବତନ ଭାରପ୍ରାପ୍ତ ପୌରାଧ୍ୟକ୍ଷା କାମିନୀ ମହାପାତ୍ର, ଯୁବ ଚେହେରା ପ୍ରିୟଙ୍କା ଜେନା, ବିଜେପିରୁ ବିପ୍ଲବୀ ଚେହେରା ହିମାଂଶୁ ଶେଖର ଷଡ଼ଙ୍ଗୀଙ୍କ ପତ୍ନୀ  ନିନିମା ପଟେଲ,  ପୂର୍ବତନ ବିଧାୟକ ସ୍ବର୍ଗତ ଶଂକର୍ଷଣ ନାଏକଙ୍କ ପତ୍ନୀ ତଥା ପୂର୍ବତନ ବିଧାୟିକା ସୁଷମା ପଟେଲ,  ବିଜେପି ନେତ୍ରୀ  ଦୀପ୍ତି ଠାକୁର, ସଂଜୁଲତା ନାଏକ ପ୍ରମୁଖଙ୍କ ନାମ ଚର୍ଚ୍ଚାରେ ରହିଛି।

ଏହା ବ୍ୟତୀତ ଏ ଦୁଇ ଦଳରେ ଆହୁରି ଅନେକ ମହିଳା ଆଶାୟୀ ଥିବା ସୂଚନା ମିଳିଛି।  ଅନ୍ୟପଟେ କଂଗ୍ରେସରୁ କିଏ ପ୍ରତିଦ୍ବନ୍ଦ୍ବିତା କରିବେ ତାହା ସ୍ଥିର କରିବାକୁ ଆଜି ସନ୍ଧ୍ୟାରେ ନଗର ସଭାପତି ନେପାଳଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ବସିଛି। ୨ ପ୍ରମୁଖ ଦଳ ଆଶାୟୀଙ୍କ ମଧ୍ୟରୁ  କାହାକୁ ଟିକଟ ଦେଇ ନିର୍ବାଚନୀ ମୈଦାନକୁ ଛାଡ଼ିବେ ତାହା ଏଯାଏ ସ୍ପଷ୍ଟ ହୋଇ ନାହିଁ। ହେଲେ ଆଶାୟୀଙ୍କ ଭିଡ଼ କ୍ରମଶଃ ବଢ଼ିବାରେ ଲାଗିଛି। ଏଥିପାଇଁ ଆଶାୟୀମାନେ ଜୋରଦାର୍  ଲବି ଆରମ୍ଭ କରି ଦେଇଛନ୍ତି।

ତେବେ ଗୋଟିଏ ଆସନରେ ଏତେ ସଂଖ୍ୟକ ଆଶାୟୀ ଦଳଗୁଡ଼ିକ ପାଇଁ ମୁଣ୍ଡବ୍ୟଥାର କାରଣ ହେବ ବୋଲି ଚର୍ଚ୍ଚା ହେଉଛି। କାରଣ କିଛି  ଆଶାୟୀ ଦଳୀୟ ଟିକଟ ନପାଇଲେ ବିଦ୍ରୋହୀ  ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରିବା ସମ୍ଭାବନା ଅଧିକ ବୋଲି କୁହାଯାଉଛି। ତେବେ ନାମାଙ୍କନପତ୍ର ଦାଖଲ ପାଇଁ ହାତରେ ଆଉ ମାତ୍ର ୫ ଦିନ ଥିବା ବେଳେ ଦଳଗୁଡ଼ିକ ଖୁବ୍ ଶୀଘ୍ର ନିଜ ନିଜ ଅଧ୍ୟକ୍ଷା ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିବେ ବୋଲି ସୂଚନା ମିଳିଛି। ଏହା ପରେ ମୈଦାନକୁ  କିଏ ଓହ୍ଲାଇବ ତାହା ସ୍ପଷ୍ଟ ହୋଇଯିବ।

ସମ୍ବନ୍ଧିତ ଖବର