ପୌର ନିର୍ବାଚନ ବିଳମ୍ବ ମାମଲା: ରାଜ୍ୟ ସରକାର, ନିର୍ବାଚନ କମିସନଙ୍କ ଜବାବ ଦାଖଲ

ଚିଠି ଜାରି କରାଯାଇଛି, ଜାନୁଆରି ୨୦ ସୁଦ୍ଧା ପ୍ରକାଶ ପାଇବ ଚୂଡ଼ାନ୍ତ ବିଜ୍ଞପ୍ତି: ରାଜ୍ୟ ସରକାର

କଟକ : ରାଜ୍ୟର ବିଭିନ୍ନ ପୌରାଞ୍ଚଳର ନିର୍ବାଚନ ବିଳମ୍ବ ପ୍ରସଙ୍ଗ ନେଇ ବିଚାରାଧୀନ ମାମଲାରେ ହାଇକୋର୍ଟରେ ରାଜ୍ୟ ସରକାର ଓ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ଜବାବ ଦାଖଲ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ଜବାବରେ କରୋନା ସଂକ୍ରମଣ ଯୋଗୁ ପୌର ନିର୍ବାଚନ ପ୍ରକ୍ରିୟା ବିଳମ୍ବ ହୋଇଥିବା ଦର୍ଶାଯାଇଛି। କିନ୍ତୁ ପୌର ପ୍ରଶାସନ ନିର୍ଦ୍ଦେଶକଙ୍କ ପକ୍ଷରୁ ଅକ୍ଟୋବର ୨୫ରେ ରାଜ୍ୟର ସମସ୍ତ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ପୌର ନିର୍ବାଚନ ପ୍ରସଂଗରେ ଚିଠି କରାଯାଇଛି ବୋଲି ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ବିଭିନ୍ନ ପୌରାଞ୍ଚଳ ଓ ଏନ୍‌ଏସିରେ ୱାର୍ଡ ପୁନର୍ଗଠନ, ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରସଂଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଆସନ ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ ପ୍ରସଂଗରେ ଆପତ୍ତି ଅଭିଯୋଗ ଦାଖଲର ଶେଷ ତାରିଖ ନଭେମ୍ବର ୧୮ ଧାର୍ଯ୍ୟ କରାଯାଇଛି। ନଭେମ୍ବର ୨୯ ତାରିଖରେ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ୨୯ ନଭେମ୍ବରରୁ ୧୩ ଡିସେମ୍ବର ମଧ୍ୟରେ ବିଜ୍ଞପ୍ତି ଉପରେ ଅଭିଯୋଗ ଦାଖଲ କରାଯିବା ସହିତ ଯାଞ୍ଚ କରାଯିବ। ଏଥିସହିତ ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ମ୍ୟୁନିସିପାଲ କମିସନରଙ୍କୁ ମଧ୍ୟ ଆସନ ସଂରକ୍ଷଣ ଓ ୱାର୍ଡ ସୀମା ନିର୍ଦ୍ଧାରଣ ପ୍ରସଂଗରେ ଚିଠି କରାଯାଇଛି। ଜାନୁଆରି ୨୦ ତାରିଖ ସୁଦ୍ଧା ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ୩ କମିସନରଙ୍କୁ ଜାରି କରାଯାଇଥିବା ଚିଠିରେ ସ୍ପଷ୍ଟ କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ଦାଖଲ ଜବାବରେ ଉଲ୍ଲେଖ କରାଯାଇଥିଲା ଯେ ପୌର ନିର୍ବାଚନ ପାଇଁ ପୂର୍ବରୁ ରାଜ୍ୟ ସରକାରଙ୍କୁ ଚିଠି କରାଯାଇଥିଲା।

ପୌର ନିର୍ବାଚନରେ ବିଳମ୍ବ ଜାଣିଶୁଣି କରାଯାଉଛି ଓ ଏହା ଭିତରେ ତିନି ବର୍ଷ ଅତିବାହିତ ହୋଇସାରିଛି ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। କରୋନା ସଂକ୍ରମଣ ଯୋଗୁଁ ପୌର ନିର୍ବାଚନ ବିଳମ୍ବ ହୋଇଥିବା କୁହାଯାଉଥିବା ବେଳେ ପିପିଲି, ବାଲେଶ୍ବର, ତିର୍ତ୍ତୋଲ ଉପନିର୍ବାଚନ କରାଯାଇଥିଲା ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ତିନିଟି ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୨, ଜାନୁଆରି ୧୦କୁ ଧାର୍ଯ୍ୟ କରିଛନ୍ତି। ପୂର୍ବତନ ମନ୍ତ୍ରୀ ସମୀର ଦେ, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଓ ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରସନ୍ନ କୁମାର ମିଶ୍ରଙ୍କ ପକ୍ଷରୁ କଟକ, ପୁରୀ ଓ ଭୁବନେଶ୍ବରରେ ପୌରାଞ୍ଚଳ ନିର୍ବାଚନ ପ୍ରସଂଗ ନେଇ ଦାୟର ପୃଥକ ଆବେଦନକୁ ଏକତ୍ର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। କଟକ, ପୁରୀ ଓ ଭୁବନେଶ୍ବର ପୌରାଞ୍ଚଳ ନିର୍ବାଚନ ପ୍ରସଂଗରେ ବିଳମ୍ବ ନେଇ ହାଇକୋର୍ଟରେ ଅଗଷ୍ଟ ୧୨ରେ ଏହି ତିନି ମାମଲା ରୁଜୁ ହୋଇଥିଲା। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଓ ରାଜ୍ୟ ନିର୍ବାଚନ କମିସନଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର