ପୌରାଧ୍ୟକ୍ଷ ଲଢ଼େଇ: ଗଞ୍ଜାମରେ ୧୬ରୁ ତିନିଟିରେ ବିଜେଡି ବିଦ୍ରୋହୀ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ସୋମବାର ଦିନ ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶେଷ ହୋଇଛି। ଗଞ୍ଜାମ ଜିଲ୍ଲାର ୧୬ଟି ଏନ୍‌ଏସିରେ ବିଜେଡି ତାର ସର୍ବୋତ୍ତମ ପ୍ରାର୍ଥୀଙ୍କୁ ଚୟନ କରିଥିବା କହିଛି। କିନ୍ତୁ ପୁରୁଷୋତ୍ତମପୁର, ଗଞ୍ଜାମ ଓ ଗୋପାଳପୁର ଏନ୍ଏସିରେ ବିଜେଡିକୁ ବିଦ୍ରୋହୀଙ୍କ ସାମ୍ନା କରିବାକୁ ହେବ। ବିଜେଡିର ଅଧ୍ୟକ୍ଷ ପ୍ରାର୍ଥୀଙ୍କୁ ବିରୋଧ କରି ବିଦ୍ରୋହୀ ଗୋଷ୍ଠୀ ସ୍ବାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଯାହାକି ବିଜେଡି ପାଇଁ କାଳ ହୋଇପାରେ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି।

ଗଞ୍ଜାମ ଜିଲ୍ଲାର ୧୬ଟି ଏନ୍‌ଏସି, ବ୍ରହ୍ମପୁର ମହାନଗର ନିଗମ ଓ ହିଂଜିଳିକାଟୁ ପୌରପାଳିକାରେ ପ୍ରାର୍ଥୀଙ୍କ ନାମାଙ୍କନ ସରିଛି। ସୋମବାର ପ୍ରାର୍ଥିପତ୍ର ଦାଖଲ ପାଇଁ ଶେଷ ଦିବସ ରହିଥିବା ବେଳେ ଆଶାୟୀ ପ୍ରାର୍ଥୀ ନିଜ ନିଜର ସମର୍ଥଙ୍କ ସହିତ ଶୋଭାଯାତ୍ରାରେ ବାହାରି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଗଞ୍ଜାମ ଜିଲ୍ଲାର ଗଞ୍ଜାମ ଏନ୍‌ଏସିରେ ବିଜେଡି ତରଫରୁ ଝୁଲି ପାତ୍ରଙ୍କୁ ଅଧ୍ୟକ୍ଷା ପ୍ରାର୍ଥୀ କରାଯାଇଛି। ସେ ପୂର୍ବରୁ ପ୍ରାର୍ଥିପତ୍ର ଦାଖଲ କରି ସାରିଛନ୍ତି। ସେପଟେ ପୂର୍ତ୍ତ ବିଭାଗର ଅବସରପ୍ରାପ୍ତ ଅଧୀକ୍ଷଣ ଯନ୍ତ୍ରୀ ଇଂ. ବିନୋଦ ପାଢ଼ୀଙ୍କ ପତ୍ନୀ ପ୍ରତିଭା ପାଢ଼ୀ ମଧ୍ୟ ବିଜେଡି ଟିକଟରେ ଅଧ୍ୟକ୍ଷା ପଦବି ପାଇଁ ନିର୍ବାଚନ ଲଢ଼ିବାକୁ ଆବେଦନ କରିଥିଲେ। କିନ୍ତୁ ତାଙ୍କୁ ବିଜେଡିରୁ ଟିକଟ ନମିଳିବାରୁ ଶେଷରେ ସୋମବାର ଦିନ ପ୍ରତିଭା ସ୍ବାଧୀନ ପ୍ରାର୍ଥୀ ଭାବେ ଅଧ୍ୟକ୍ଷା ପଦବି ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ସ୍ବାଧୀନ ପ୍ରାର୍ଥୀ ପ୍ରତିଭା ତାଙ୍କର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସେହିପରି, ପୁରୁଷୋତ୍ତମପୁର ଏନ୍‌ଏସିରେ ମଧ୍ୟ ବିଜେଡିକୁ ବିଦ୍ରୋହର ସମ୍ମୁଖୀନ ହେବାକୁ ପଡ଼ିଛି। ଏହି ଏନ୍ଏସିରେ ବିଜେଡି କାହାକୁ ଟିକଟ ଦେବ, ତାହା ଚୂଡ଼ାନ୍ତ ହୋଇପାରୁ ନଥିଲା। ଏନ୍‌ଏସି ଅଧ୍ୟକ୍ଷା ପାଇଁ ବିଜେଡିରୁ ଅଞ୍ଚଳର ଜଣେ ଜଣାଶୁଣା ନେତାଙ୍କ ପତ୍ନୀ ଆଶାୟୀ ଥିଲେ। କିନ୍ତୁ ଗତ ୫ତାରିଖରେ ଅଧ୍ୟକ୍ଷ ପ୍ରାର୍ଥୀ ସମେତ କାଉନ୍‌ସିଲରଙ୍କ ଏକ ତାଲିକା ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହେବା ପରେ ଗତକାଲି ପୁରୁଷୋତ୍ତମପୁର ବିଜେଡିର ଜଣାଶୁଣା ଯୁବନେତା ଏବଂ ଜିଲ୍ଲା ବିଜେଡିର ସାଧାରଣ ସଂପାଦକ ଅଶୋକ କୁମାର ମହାଙ୍କୁଡ଼ ଓ ପତ୍ନୀ ତଥା ଜିଲ୍ଲା ମହିଳା ସଂପାଦିକା ପ୍ରିୟଙ୍କା ଗୌଡ଼ ଦଳରୁ ଇସ୍ତଫା ଦେଇଥିଲେ। ପ୍ରିୟଙ୍କା ଗତକାଲି ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କରିଥିଲେ। ଯାହାକି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିଲା। ତେବେ ଆଜି ବିଜେଡି ତରଫରୁ ପୁରୁଷୋତ୍ତମପୁର ଏନ୍ଏସି ଅଧ୍ୟକ୍ଷା ପ୍ରାର୍ଥୀ ଭାବେ ରଶ୍ମିରେଖା ତ୍ରିପାଠୀ ନାମାଙ୍କନ ଦାଖଲ କରିଛନ୍ତି।

ସେହିପରି, ଗୋପାଳପୁର ଏନ୍‌ଏସି ଅଧ୍ୟକ୍ଷ ପାଇଁ ଆଶାୟୀ ଥିବା ବିଜେଡି ନେତା ଇ. ଲୋକନାଥଙ୍କୁ ଦଳୀୟ ଟିକଟ ମିଳି ନଥିଲା। ଏଣୁ ସେ ଆଜି ସ୍ବାଧୀନ ପ୍ରାର୍ଥୀ ଭାବେ ଏନ୍‌ଏସି ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ସେ ପୂର୍ବରୁ ଏନ୍‌ଏସି ଉପାଧ୍ୟକ୍ଷ ଭାବେ ଦାୟିତ୍ବରେ ରହିଥିଲେ। ଏଥର ଅଧ୍ୟକ୍ଷ ପଦବି ପାଇଁ ନିର୍ବାଚନ ଲଢ଼ିବେ ବୋଲି ଆଶା କରିଥିଲେ। କିନ୍ତୁ ତାଙ୍କୁ ବିଜେଡି ଟିକଟ ମିଳିନାହିଁ।

ଆସନ୍ତା ୯ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ପାଇଁ ଦିନ ଧାର୍ଯ୍ୟ କରାଯାଇଥିବା ବେଳେ ୧୪ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ ପାଇଁ ଶେଷ ତାରିଖ ରଖାଯାଇଛି। ତେବେ ବ‌ିଜେଡି ଏହି ତିନି ଏନ୍ଏସିରେ ବିଦ୍ରୋହୀ ପ୍ରାର୍ଥୀଙ୍କୁ ମନାଇପାରୁଛି ନା ଏମାନେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବେ ତାହା ଦେଖିବାକୁ ରହିଲା। ଉଭୟ ଏନ୍ଏସିରେ ବିଦ୍ରୋହୀ ପ୍ରାର୍ଥୀ ନିର୍ବାଚନ ଲଢ଼ିଲେ ବିଜେଡିର ଭୋଟ୍‌ ଭାଗ ହେବା ଏକ ପ୍ରକାର ସୁନିଶ୍ଚିତ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର