୧୦୮ ପୌରସଂସ୍ଥାରେ ହେବ ନିର୍ବାଚନ, ୯ରେ ଚିଠା ବିଜ୍ଞପ୍ତି
ରାଉରକେଲା, ସମ୍ବଲପୁର ମହାନଗର ନିଗମରେ ହେବନି
ବାଦ୍ ପଡ଼ିବେ କେନ୍ଦ୍ରାପଡ଼ା, ନୂଆପଡ଼ା, ଓଡ଼ଗାଁ
ଭୁବନେଶ୍ୱର : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋର୍ଦାର ଚାଲିଥିଲା ବେଳେ ପୌର ନିର୍ବାଚନର ବିଗୁଲ୍ ବଜାଇଛନ୍ତି ସରକାର। ନିର୍ବାଚନ ପ୍ରକ୍ରିୟାର ପ୍ରାରମ୍ଭିକ କାର୍ଯ୍ୟ ଭାବେ ପୌରାଞ୍ଚଳରେ ୱାର୍ଡ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାର୍ଯ୍ୟ ଆରମ୍ଭ କରାଯିବ। ଆସନ୍ତା ନଭେମ୍ବର ୯ ତାରିଖରେ ପୌରପାଳିକା ଓ ଏନ୍ଏସିର ୱାର୍ଡ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣର ଚିଠା ବିଜ୍ଞପ୍ତି ପ୍ରକାଶ ପାଇବ। ଜିଲ୍ଲାପାଳମାନଙ୍କୁ ଆଜି ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ଏ ସଂକ୍ରାନ୍ତରେ ଚିଠି ଲେଖିଛନ୍ତି। ଏଥିରେ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ପ୍ରକ୍ରିୟାର ପ୍ରତିଟି ପର୍ଯ୍ୟାୟ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି।
ବର୍ତ୍ତମାନ ରାଜ୍ୟରେ ୧୧୫ଟି ପୌରସଂସ୍ଥା ରହିଛି। ତାହା ମଧ୍ୟରୁ ୫ଟି ମହାନଗର ନିଗମ, ୪୮ଟି ପୌରପାଳିକା ଓ ୬୨ଟି ଏନ୍ଏସି ରହିଛି। ଅଦାଲତରେ ମାମଲା ଯୋଗୁ ସମ୍ବଲପୁର ଓ ରାଉରକେଲା ମହାନଗର ନିଗମରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରାଯିବ ନାହିଁ। ସେହିପରି କେନ୍ଦ୍ରାପଡ଼ା ପୌରପାଳିକା, ନୂଆପଡ଼ା ଏନ୍ଏସି ଓ ନବଗଠିତ ଓଡ଼ଗାଁ ଏନ୍ଏସିର ମାମଲା ମଧ୍ୟ ଅଦାଲତରେ ବିଚାରାଧୀନ ଥିବାରୁ ସେହି ତିନିଟି ପୌରସଂସ୍ଥାକୁ ନିର୍ବାଚନ ପ୍ରକ୍ରିୟାରୁ ବାଦ୍ ଦିଆଯାଇଛି। ଏହା ବାଦ୍ ହିନ୍ଦୋଳ ଓ ଅତାବିରା ଏନ୍ଏସିରେ ନିର୍ବାଚିତ ପରିଷଦର କାର୍ଯ୍ୟକାଳ ସରିନାହିଁ। ତେଣୁ ମୋଟ୍ ୧୦୮ ପୌରସଂସ୍ଥା (୩ଟି ମହାନଗର ନିଗମ, ୪୭ ପୌରପାଳିକା ଓ ୫୮ଟି ଏନ୍ଏସି)ରେ ନିର୍ବାଚନ ହେବ। ଯେହେତୁ ଫେବ୍ରୁଆରିରେ ପଞ୍ଚାୟତ ନିର୍ବାଚନ ହେବାର ଅଛି, ତେଣୁ ତାହା ପରେ ପୌର ନିର୍ବାଚନ କରାଇବାକୁ ସରକାର ଯୋଜନା କରିଛନ୍ତି।
/sambad/media/post_attachments/wp-content/uploads/2019/04/vote-9.jpg)
ଜିଲ୍ଲାପାଳଙ୍କୁ ଦିଆଯାଇଥିବା ଚିଠିରେ ଦର୍ଶାଯାଇଛି ଯେ ପୌରପାଳିକା ଓ ଏନ୍ଏସିରେ ଜିଲ୍ଲାପାଳମାନଙ୍କ ତତ୍ତ୍ବାବଧାନରେ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ କାର୍ଯ୍ୟ କରାଯିବ। ନଭେମ୍ବର ୯ ତାରିଖରେ ପୌରସଂସ୍ଥାଗୁଡ଼ିକର ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣର ଚିଠା ବିଜ୍ଞପ୍ତି ପ୍ରକାଶ ପାଇବ। ୧୮ ତାରିଖ ସୁଦ୍ଧା ଲୋକମାନେ ସେମାନଙ୍କ ଅଭିଯୋଗ ଓ ପ୍ରସ୍ତାବ ଜିଲ୍ଲାପାଳଙ୍କୁ ପଠାଇବେ। ଜିଲ୍ଲାପାଳମାନେ ତାହାର ବିଚାର କରି ନଭେମ୍ବର ୨୯ ତାରିଖରେ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣର ଚୂଡ଼ାନ୍ତ ବିଜ୍ଞପ୍ତି ଜାରି କରିବେ।
ନଭେମ୍ବର ୨୯ରୁ ଡିସେମ୍ବର ୧୨ ତାରିଖ ମଧ୍ୟରେ ସାଧାରଣ ଲୋକ ଜିଲ୍ଲାପାଳଙ୍କ ଏହି ବିଜ୍ଞପ୍ତି ଉପରେ ଅଭିଯୋଗ କିମ୍ବା ପ୍ରସ୍ତାବ ସିଧାସଳଖ ନଗର ଉନ୍ନୟନ ବିଭାଗକୁ ଜଣାଇବେ। ଏହି ପ୍ରକ୍ରିୟାର ପରବର୍ତ୍ତୀ କାର୍ଯ୍ୟ ପାଇଁ ତାରିଖ ଚୂଡ଼ାନ୍ତ ହୋଇନାହିଁ।
ସେହିପରି ତିନି ମହାନଗର ନିଗମ ଭୁବନେଶ୍ବର, କଟକ ଓ ବ୍ରହ୍ମପୁରରେ କମିସନର୍ମାନେ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣର ତଥ୍ୟ ନଭେମ୍ବର ୧୫ ତାରିଖ ସୁଦ୍ଧା ନଗର ଉନ୍ନୟନ ବିଭାଗକୁ ଦେବେ। ଡିସେମ୍ବର ୧୦ ତାରିଖରେ ଏହାର ଚିଠା ବିଜ୍ଞପ୍ତି ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି କରାଯିବ। ଲୋକମାନେ ଡିସେମ୍ବର ୧୯ ତାରିଖ ସୁଦ୍ଧା ସେମାନଙ୍କ ଆପତ୍ତି, ଅଭିଯୋଗ, ପ୍ରସ୍ତାବ ଦାଖଲ କରିପାରିବେ। ଏସବୁ ବିଚାରକୁ ନେଇ ନଗର ଉନ୍ନୟନ ବିଭାଗ ଜାନୁଆରି ୨୦ରେ ଚୂଡ଼ାନ୍ତ ତାଲିକା ଜାରି କରିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
/sambad/media/post_attachments/wp-content/uploads/2019/03/vote-aaa.jpg)
ପୌର ଆଇନ୍ରେ ହୋଇଥିବା ସଂଶୋଧନ ଅନୁଯାୟୀ ଏଥର ୱାର୍ଡ ସଂରକ୍ଷଣ କରାଯିବ। ମୋଟ୍ ସଂରକ୍ଷଣ ୫୦% ଭିତରେ ସୀମିତ ରହିବ। ପୂର୍ବ ପରି ଅନୁସୂଚିତ ଜାତି(ଏସ୍ସି)କୁ ୧୬.୨୫% ଓ ଅନୁସୂଚିତ ଜନଜାତି(ଏସ୍ଟି)କୁ ୨୨.୫% ସଂରକ୍ଷଣ ଦିଆଯିବ। ତେଣୁ ପୌରସଂସ୍ଥାରେ ପଛୁଆ ବର୍ଗ ସଂରକ୍ଷଣ କମିଯିବ।
ସୂଚନାଯୋଗ୍ୟ ଯେ ୨୦୧୮ ମସିହାରୁ ପର୍ଯ୍ୟାୟକ୍ରମେ ରାଜ୍ୟର ପୌରାଞ୍ଚଳରେ ନିର୍ବାଚିତ ପରିଷଦର କାର୍ଯ୍ୟକାଳ ଶେଷ ହୋଇଛି। କିନ୍ତୁ ନିର୍ବାଚନ ହେଉ ନ ଥିବାରୁ ସବୁଠି ପ୍ରଶାସକ ନିଯୁକ୍ତି ଦିଆଯାଇଛି। କିନ୍ତୁ ସେମାନଙ୍କର ସାଧାରଣ ଲୋକଙ୍କ ସହ ସିଧାସଳଖ ସମ୍ପର୍କ ନ ଥିବାରୁ ତୃଣମୂଳ ସ୍ତରରେ ବହୁ ସମସ୍ୟା ସମାଧାନ ହୋଇପାରୁନି। ବ୍ୟକ୍ତିଗତ ଭାବେ ମଧ୍ୟ ଲୋକମାନେ ସେମାନଙ୍କ କାମ ପାଇଁ ହଇରାଣ ହେଉଛନ୍ତି। ତେଣୁ ସହରାଞ୍ଚଳ ଲୋକଙ୍କୁ ତାଙ୍କ ଗଣତାନ୍ତ୍ରିକ ଅଧିକାରୁ ବହୁ ଦିନ ଧରି ବଞ୍ଚିତ ରଖାଯିବାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କଲା ପରେ ପୌର ନିର୍ବାଚନ ପ୍ରକ୍ରିୟା ବିଳମ୍ବ କରୁଥିବାରୁ ସହରାଞ୍ଚଳରେ ଅସନ୍ତୋଷ ସୃଷ୍ଟି ହୋଇଥିଲା।