ଆଜିଠୁ ଆରମ୍ଭ ହେବ ପୌର ନିର୍ବାଚନ ପ୍ରକ୍ରିୟା

ଭୁବନେଶ୍ବର : ଏପ୍ରିଲ ଶେଷ ସପ୍ତାହ ବେଳକୁ ପୌର ନିର୍ବାଚନ ହେବାର ସମ୍ଭାବନା ଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମେୟର, ପୌରାଧ୍ୟକ୍ଷ, କାଉନସିଲରସବୁ ସଂରକ୍ଷଣ ତାଲିକା ରାଜ୍ୟ ନିର୍ବାଚନ କମିସନ ପାଇବା ପରେ ଫେବ୍ରୁଆରି ୩ରୁ ରାଜ୍ୟରେ ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ଆପାତତଃ ନିଷ୍ପତ୍ତି ହୋଇଛି।

ଏଥିପାଇଁ ୱାର୍ଡ ଅନୁଯାୟୀ, ବୁଥ୍‌ୱାରି ଭୋଟର ତାଲିକା ପ୍ରକାଶ କରିବା ସହ ନିର୍ବାଚନ ନେଇ ସମସ୍ତ କାର୍ଯ୍ୟସୂଚୀ ପ୍ରସ୍ତୁତି କରିବାକୁ ଯାଉଛନ୍ତି ରାଜ୍ୟ ନିର୍ବାଚନ କମିସନର। କେଉଁ ୱାର୍ଡରେ କେତେ ବୁଥ୍‌ ରହିବ, କେଉଁ ବୁଥ୍‌ରେ କେତେ ଭୋଟର ରହିବେ ସେନେଇ ସବିଶେଷ ତାଲିକା ପ୍ରକାଶ କରିବା ସହ ସବୁ ଜିଲ୍ଲା ମୁଖ୍ୟାଳୟକୁ ଇଭିଏମ୍‌ ମେସିନ୍, କାଳି, ଭୋଟ୍ ନେଇ ଆନୁଷଙ୍ଗିକ ସାମଗ୍ରୀ ପଠାଯିବ।

କୋଭିଡ ଗାଇଡଲାଇନକୁ ମାନି ଯେପରି ସମସ୍ତ କାର୍ଯ୍ୟ ହେବ ସେନେଇ ରାଜ୍ୟ ନିର୍ବାଚନ କମିସନ ଏସ୍‌ଓପି ଜାରି କରିବେ। ସେହିପରି ପୌର ନିର୍ବାଚନରେ ଯେଉଁ କର୍ମଚାରୀ ସାମିଲ୍‌ ହେବେ ତାଙ୍କର ତାଲିକା ଆଗୁଆ ପ୍ରସ୍ତୁତ କରି ବୁଷ୍ଟର ଡୋଜ୍ ଦେବା ନେଇ ନିର୍ଦ୍ଦେଶନାମା ଜାରି ହେବ।
୧୦୭ଟି ପୌରସଂସ୍ଥା, ତିନିଟି ମହାନଗର ନିଗମରେ ନିର୍ବାଚନ‌ ହେବାକୁ ଥିବାବେଳେ ଏନେଇ ରାଜ୍ୟ ସରକାର କ’ଣ ସହଯୋଗ ଯୋଗାଇବେ ସେନେଇ ମୁଖ୍ୟ ଶାସନ ସଚିବ, ପୁଲିସ ଡିଜିଙ୍କ ସହ ଖୁବ୍‌ ଶୀଘ୍ର ବୈଠକ ବସିବ। ଏହାପରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହ ବୈଠକ ହେବ। ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା ନେଇ ବି ତାରିଖ ଘୋଷଣା ହେବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ଏବେ ପଞ୍ଚାୟତ ନିର୍ବାଚନ ନେଇ ସାରା ରାଜ୍ୟରେ ନିର୍ବାଚନୀ ହାୱା ବହୁଥିବାବେ‌ଳେ ଏହା ପଛକୁ ପୌର ନିର୍ବାଚନ କରିବାକୁ ରାଜ୍ୟ ନିର୍ବାଚନ କମିସନ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର