ବ୍ରହ୍ମପୁର : ପାଖାପାଖି ଅଢେଇ ବର୍ଷ ହେଲା ରାଜ୍ୟରେ ପୌରସଂସ୍ଥା ନିର୍ବାଚନ ଅଟକି ରହିଛି। ନିର୍ବାଚିତ ପ୍ରତିନିଧିଙ୍କ ବଦଳରେ ଅମଲାତନ୍ତ୍ର ହାତରେ ରହିଛି ପୌର ଶାସନ। ପୌର ନିର୍ବାଚନକୁ ନେଇ ରହିଥିବା ଆଇନଗତ ଦ୍ବନ୍ଦ୍ବ ଦୂର ହୋଇସାରିଛି। ଏସବୁ ସତ୍ତ୍ବେ ରାଜ୍ୟ ସରକାର ପୌର ନିର୍ବାଚନ ପ୍ରକିୟା ଆରମ୍ଭ କରୁନାହାନ୍ତି। ପୌର ନିର୍ବାଚନ କେବେ ହେବ ତାହା ଅନିଶ୍ଚିତ। ଏହାକୁ ନେଇ ରାଜୈନିତିକ ବିଶ୍ଲେଷକ ମହଲରେ ନାନା ଚର୍ଚ୍ଚା, ଆକଳନ ଚାଲିଛି। କୁହାଯାଉଛି, ଗତ ସାଧାରଣ ନିର୍ବାଚନ ପରେ ସରକାର ପୌର ଭୋଟ କରିବା ଯୋଜନାରେ ଥିଲେ। କିନ୍ତୁ ସାଧାରଣ ନିର୍ବାଚନରେ ସହରାଞ୍ଚଳ ଭୋଟହାର ସରକାରୀ ଦଳ ପାଇଁ ନୈରାଶ୍ୟଜନକ ଥିଲା। ନିର୍ବାଚନ ଫଳ ଘୋଷଣା ପରେ ଅଙ୍କ କଷିଲା ବେଳକୁ ଗ୍ରାମାଞ୍ଚଳ ଭୋଟହାର ଯୋଗୁଁ ହିଁ ଶାସକ ବିଜେଡି ପୁଣି କ୍ଷମତା ଅକ୍ତିଆର କରି ପାରିଥିବା ଜଣାଗଲା। ସହରାଞ୍ଚଳ ଭୋଟହାର ବାବଦରେ ଯେଉଁ ତଥ୍ୟ ମିଳିଲା ତାହାକୁ ନେଇ ସରକାର ଏକରକମ ଡରି ଯାଇଥିବା ଚର୍ଚ୍ଚା ହେଉଛି। ଏଣୁ ସ୍ଥିତି ସମ୍ଭାଳିବାକୁ ଏବଂ ପ୍ରକୃଷ୍ଟ ଓ ଅନୁକୂଳ ସମୟ ଆସିବା ପର୍ଯ୍ୟନ୍ତ ପୌର ନିର୍ବାଚନକୁ ଟାଳି ଦେବାକୁ ଏଜେଣ୍ଡା ରଖିଥିବା ଚର୍ଚ୍ଚା ହେଉଛି।
ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ୫ଟି ମହାନଗର ନିଗମ, ୪୮ ପୌରସଂସ୍ଥା ଓ ୬୧ ବିଜ୍ଞାପିତ ଅଞ୍ଚଳ ପରିଷଦ ରହିଛି। ଏଥିରୁ ୪ଟିରେ ନିର୍ବାଚିତ ପ୍ରତିନିଧି ରହିଛନ୍ତି। ବାକି ୧୧୦ଟିରେ ୨୦୧୮ ଅକ୍ଟୋବରରୁ ନିର୍ବାଚିତ ପରିଷଦର କାର୍ଯ୍ୟକାଳ ଶେଷ ହୋଇସାରିଛି। ଅମଲାତନ୍ତ୍ରୀଙ୍କ ହାତରେ କ୍ଷମତା ରହିଛି। ପୌର ସଂସ୍ଥାରେ ସଂରକ୍ଷଣ ବ୍ୟବସ୍ଥା ନେଇ ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାରୁ ପୌର ନିର୍ବାଚନ ହୋଇପାରୁ ନ ଥିବା କୁହା ଯାଉଥିଲା। ପୌର ସଂସ୍ଥାରେ ସଂରକ୍ଷଣ ୫୦ ପ୍ରତିଶତ ମଧ୍ୟରେ ସୀମିତ ରଖିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ୍ କରି ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇଥିଲେ। କିନ୍ତୁ ସୁପ୍ରିମକୋଟ୍ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କାଏମ୍ ରହିବା ପରେ ଆଇନଗତ ଦ୍ବନ୍ଦ୍ବ ଦୂର ହୋଇଛି। ହାଇକୋର୍ଟ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ହେଲେ ପୌର ଆଇନକୁ ସଂଶୋଧନ କରି କ୍ୟାବିନେଟ୍ରେ ଗୃହୀତ କରାଯାଇ ବିଧାନସଭାରେ ଆଗତ କରାଯିବା ପରେ କାର୍ଯ୍ୟକାରୀ ହେବ। ଏହାପରେ ନିର୍ବାଚନ ଲାଗି ପଦକ୍ଷେପ ନିଆଯିବ। ୨୦୧୯ ସାଧାରଣ ନିର୍ବାଚନ ପରେ ପୌର ନିର୍ବାଚନକୁ ନେଇ ଚର୍ଚ୍ଚା ଧରିଥିଲା। କିନ୍ତୁ ୨୦୨୦ରେ କରୋନା ଏହି ସ୍ଥିତି ବଦଳାଇ ଦେଲା। ୨୦୨୨ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରହିଛି। ଏ ସବୁକୁ ଦେଖିଲେ ୨୦୨୧ ପୌର ନିର୍ବାଚନ ଲାଗି ପ୍ରକୃଷ୍ଟ ସମୟ ବୋଲି କୁହାଯାଉଛି। ତେବେ ଏଯାବତ୍ ପୌର ନିର୍ବାଚନ ଲାଗି ସରକାର ପଦକ୍ଷେପ ନାହାନ୍ତି।
ରାଜ୍ୟର ୧୧୪ ପୌର ସଂସ୍ଥା ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାରେ ୧୮ଟି, ବ୍ରହ୍ମପୁର ମହାନଗର ନିଗମ, ହିଞ୍ଜଳିକାଟୁ ପୌରପଳିକା ଓ ୧୬ଟି ଏନ୍ଏସି ରହିଛି। ଗଞ୍ଜାମ ଜିଲ୍ଲାକୁ ନମୁନା ଭାବେ ନିଆଗଲେ, ପୌର ନିର୍ବାଚନ କରାଇବା ଡର ହେଉଛି ଗତ ସାଧାରଣ ନିର୍ବାଚନରେ ସହରାଞ୍ଚଳ ଭୋଟହାର। ୨୦୧୯ରେ ସାଧାରଣ ନିର୍ବାଚନରେ ଗଞ୍ଜାମରେ ବିଜେପି ଖାତା ଖୋଲି ପାରି ନ ଥିଲେ ହେଁ କଂଗ୍ରେସକୁ ପଛକୁ ଠେଲି ଶାସକ ଦଳ ବିଜେଡିର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ପାଲଟିଛି। ଜିଲ୍ଲାରେ ବିଜେଡି ୨ଟି ଏମ୍ପି ଓ ୧୨ ବିଧାନସଭା ଆସନ ଦଖଲ କରି ଦବ୍ଦବା ରଖିଥିଲା। କିନ୍ତୁ ଜିଲ୍ଲାର ୧୮ଟି ସହରାଞ୍ଚଳର ଭୋଟହାର ଦେଖିଲେ ବିଜେଡି ପାଇଁ ଅତ୍ୟନ୍ତ ନୈରାଶ୍ୟଜନକ। ସହରାଞ୍ଚଳରେ ବିଜେପିର ଭୋଟହାର ଶାସକ ବିଜେଡି ଠାରୁ ଅଧିକ ରହିଛି। ପୋଲସରା ବିଧାନସଭା କ୍ଷେତ୍ରରେ ଥିବା ପୋଲସରା ଓ ବୁଗୁଡ଼ା ଏନ୍ଏସି ରେ ବିଜେଡି ଠାରୁ ବିଜେପି ଅଧିକ ଭୋଟପାଇଛି। ପୋଲସରା ଏନ୍ଏସିରୁ ବିଜେଡି ୩୮୯୩ ଖଣ୍ଡ ଭୋଟ ପାଇଥିବା ବିଜେପି ୭୦୭୮ଖଣ୍ଡ ଭୋଟ ପାଇଛି। ସେହିପରି ବୁଗୁଡ଼ା ଏନ୍ଏସିରେ ବିଜେପି ୩୯୧୬ଖଣ୍ଡ ଓ ବିଜେପି ୩୪୧୭ଖଣ୍ଡ ଭୋଟ ପାଇଛି।
କିନ୍ତୁ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀରେ ଥିବା ଦୁଇ ଏନ୍ଏସି କବିସୂର୍ଯ୍ୟନଗର ଓ କୋଦଳାରେ ବିଜେପି ଠାରୁ ବିଜେଡିର ଭୋଟହାର ଅଧିକ। କବିସୂର୍ଯ୍ୟନଗରରେ ବିଜେପି ୩୯୩୦ ଓ ବିଜେଡି ୪୮୯୬ ଏବଂ କୋଦଳାରେ ବିଜେପି ୨୦୫୨ ଓ ବିଜେଡି ୪୧୧୫ ଖଣ୍ଡ ଭୋଟ ପାଇଛି। ସେହିପରି ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ୨ଟି ଏନ୍ଏସିରୁ ଗୋଟିଏରେ ବିଜେଡିର ଭୋଟହାର ଅଧିକ ଥିବା ବେଳେ ଅନ୍ୟଟିରେ ବିଜେପି ଆଗରେ ରହିଛି। ଖଲ୍ଲିକୋଟ ଏନ୍ଏସିରେ ବିଜେପି ୨୪୦୦ ଏବଂ ବିଜେଡି ୩୦୧୪ ଏବଂ ପୁରୁଷୋତ୍ତମପୁର ଏନ୍ଏସିରେ ବିଜେପି ୪୭୦୦ ଏବଂ ବିଜେଡି ୪୩୨୮ଖଣ୍ଡ ଭୋଟ ପାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜଳି ପୌରଞ୍ଚଳରେ ବିଜେଡି ଅଧିକ ଭୋଟ ପାଇଛି। ହିଞ୍ଜଳିରେ ବିଜେପି ୪୭୬୮ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ୬୧୨୦ ଖଣ୍ଡ ଭୋଟ ପାଇଛି। ଆସିକା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ଆସିକା ଏନ୍ଏସିରେ ବିଜେପି ୪୨୧୧ ଓ ବିଜେପି ୪୫୨୫ଖଣ୍ଡ ଭୋଟ ପାଇଛି। ସେହିପରି ସୋରଡ଼ା ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ବେଲଗୁଣ୍ଠା ଏନ୍ଏସିରେ ବିଜେପି ଓ ସୋରଡ଼ାରେ ବିଜେଡି ଅଧିକ ଭୋଟ ପାଇଛି। ବେଲଗୁଣ୍ଠାରେ ବିଜେପି ୨୭୫୧ ଓ ବିଜେଡ଼ି ୨୬୮୩ ଏବଂ ସୋରଡ଼ା ଏନ୍ଏସିରେ ବିଜେପି ୩୦୯୫ଓ ବିଜେଡି ୩୬୬୬ଖଣ୍ଡ ଭୋଟ ପାଇଛି। ଭଞ୍ଜନଗର ବିଧାନସଭା କ୍ଷେତ୍ରରୁ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରତିନିଧିତ୍ବ କରୁଛି। ଏହି କ୍ଷେତ୍ର ଅର୍ନ୍ତଗତ ଭଞ୍ଜନଗର ଏନ୍ଏସିରେ ବିଜେପି ଆଶ୍ଚର୍ଯ୍ୟଜନକ ଭାବେ ୬୦୦୭ ଖଣ୍ଡ ଭୋଟ ପାଇଥିବା ବିଜେଡିକୁ ମିଳିଛି ମାତ୍ର ୩୮୯୨ଖଣ୍ଡ ଭୋଟ। ଜିଲ୍ଲାର ୧୩ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୩ଟି ଏନ୍ଏସି ରହିଛି। ଛତ୍ରପୁର ଏନ୍ଏସିକୁ ବାଦ ଦେଲେ ଗଞ୍ଜାମ୍ ଓ ରମ୍ଭା ଏନ୍ଏସିରେ ବିଜେଡି ଠାରୁ ବିଜେପି ଅଧିକ ଭୋଟ ପାଇଛି। ଛତ୍ରପୁର ଏନ୍ଏସିରେ ବିଜେପି ୪୩୪୮ ଓ ବିଜେଡି ୫୬୬୪, ଗଞ୍ଜାମ ଏନ୍ଏସିରେ ବିଜେପି ୨୬୮୪ ଓ ବିଜେଡି ୨୪୮୦ ଏବଂ ରମ୍ଭା ଏନ୍ଏସିରେ ବିଜେପି ୨୭୩୦ ଏବଂ ବିଜେଡି ୨୩୮୮ଖଣ୍ଡ ଭୋଟ ପାଇଛି। ସେହିପରି ଗୋପାଳପୁର ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ଗୋପାଳପୁର ଏନ୍ଏସିରେ ବିଜେଡି ଠାରୁ ବିଜେପି ଅଧିକ ଭୋଟ ପାଇଛି। ବ୍ରହ୍ମପୁର ମହାନିଗମର ୪୦ଟି ୱାର୍ଡ଼ ମଧ୍ୟରୁ ୩୫ଟି ୱାର୍ଡ଼ ବ୍ରହ୍ମପୁର ବିଧାନସଭା କ୍ଷେତ୍ର ଓ ୫ଟି ୱାର୍ଡ଼ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ରହିଛି। ବ୍ରହ୍ମପୁର ନିର୍ବାଚନମଣ୍ଡଳୀରେ ବିଜେପି ୩୨ହଜାର୬୨୯ ଏବଂ ବିଜେଡ଼ି ୬୮ହଜାର ୧୧୩ଖଣ୍ଡ ଭୋଟ ପାଇଥିଲା। ବିଜେପି ଠାରୁ ବିଜେଡ଼ି ପ୍ରାର୍ଥୀ ୩୫ହଜାର ୪୮୪ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ କେବେଳ ବିଜେଡ଼ି ସମ୍ମାନଜନକ ସ୍ଥିତିରେ ଥିବା ବେଳେ ବାକି ସହରାଞ୍ଚଳରେ ବିଜେପି-ବିଜେଡ଼ି ମଧ୍ୟରେ କାଣ୍ଟେ କା ଟକ୍କର୍ ହୋଇଛି। ଏହା ବିଜେଡ଼ି ଲାଗି ସର୍ତକ ଘଣ୍ଟି ବୋଲି କୁହାଯାଉଛି। ପୌର ନିର୍ବାଚନ ନ କରାଇବା ପଛରେ ଏହି ଡ଼ର ହିଁ ରହିଥିବା କୁହାଯାଉଛି।