ଏଣିକି ପୌରାଧ୍ୟକ୍ଷ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ

କ୍ୟାବିନେଟ୍‌ରେ ୭ଟି ପ୍ରସ୍ତାବକୁ ମୋହର, ସରକାରୀ ଭାଷା ହେଲା ଓଡ଼ିଆ, ଫିଜିଓଥେରାପି ପରିଷଦ ଗଠନ ନିଷ୍ପତ୍ତି, ଓଜିଏସ୍‌ଟି ଗଠନ ପ୍ରସ୍ତାବକୁ ମଞ୍ଜୁରି

ଭୁବନେଶ୍ୱର : ଏବେ ଯାଏ ମହାନଗର ନିଗମର ମେୟର, ପୌରାଧ୍ୟକ୍ଷ ଓ ଏନ୍‌ଏସି ଅଧ୍ୟକ୍ଷ ପରୋକ୍ଷ ଭାବେ ନିର୍ବାଚନ ଲଢି କ୍ଷମତା ଉପଭୋଗ କରୁଥିଲେ। ରାଜ୍ୟ ସରକାର ଏ ବ୍ୟବସ୍ଥାରେ ପୂର୍ଣ୍ଣଛେଦ ଟାଣିବାକୁ ଯାଉଛନ୍ତି। କର୍ପୋରେଟର ଓ କାଉନସିଲରଙ୍କ ଭଳି ମହାନଗର ନିଗମର ମେୟର, ପୌରାଧ୍ୟକ୍ଷ ଓ ଏନ୍‌ଏସି ଅଧ୍ୟକ୍ଷଙ୍କୁ ମଧ୍ୟ ଏଣିକି ପ୍ରତ୍ୟକ୍ଷ ନିର୍ବାଚନ ଲଢିବାକୁ ପଡିବ। ସେହିଭଳି ଉପାଧ୍ୟକ୍ଷ, ଡେପୁଟି ମେୟର ପଦବି ପାଇଁ ବି ପ୍ରତ୍ୟକ୍ଷ ନିର୍ବାଚନ କରାଯିବ। ଲୋକେ ଯାହାକୁ ଭୋଟ ଦେଇ ଜିତାଇବେ, ସେ ହେବେ ଅଧ୍ୟକ୍ଷ, ଉପାଧ୍ୟକ୍ଷ ବା ମେୟର, ଡେପୁଟି ମେୟର। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥିବା ଖବର ମିଳିଛି। ଏ ସଂକ୍ରାନ୍ତ ଆଇନ ଖୁବ୍‌ଶୀଘ୍ର ବିଧାନସଭାକୁ ସଂଶୋଧନ ପାଇଁ ଆସିପାରେ। ବିଧାନସଭା ଅଧିବେଶନ ଚାଲିଥିବା ପରିପ୍ରେକ୍ଷୀରେ କ୍ୟାବିନେଟ୍‌ର ଏଭଳି ଏକ ବଡ଼ ନିଷ୍ପତ୍ତି ସଂପର୍କରେ ପ୍ରକାଶ କରାଯାଉନାହିଁ।

ଉଲ୍ଲେଖଯୋଗ୍ୟ, ବିଜୁ ପଟ୍ଟନାୟକ ସରକାର ସମୟରେ ପଞ୍ଚାୟତ ଓ ପୌରାଧ୍ୟକ୍ଷ ପଦବି ଲାଗି ସିଧାସଳଖ ନିର୍ବାଚନ ବ୍ୟବସ୍ଥା କରାଯାଇଥିଲା। ମାତ୍ର ପରବର୍ତୀ ସରକାର ସମୟରେ ଏହାକୁ ପରିବର୍ତନ କରାଯାଇଥିଲା। ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଚତୁର୍ଥ ପାଳିରେ ବିଜୁ ପଟ୍ଟନାୟକ ସରକାର ସମୟର ସେ ନିଷ୍ପତ୍ତିକୁ ପୁଣି ଥରେ କାର୍ଯ୍ୟକାରୀ କରିବାକୁ ପାଗ ଭିଡିଛନ୍ତି। ଏହାଦ୍ୱାରା ଅଧ୍ୟକ୍ଷ ନିର୍ବାଚନକୁ ନେଇ ଯେଉଁ ଘୋଡା ବେପାର ହେଉଥିଲା, ତାହା ରୋକାଯାଇପାରିବ ଓ ମେୟର, ଅଧ୍ୟକ୍ଷ ଭଳି ଗୁରୁତ୍ୱପୂର୍ଣ୍ଣ ପଦବି ଚୟନରେ ସ୍ୱଚ୍ଛତା ଆସିବ। କେବଳ ସେତିକି ନୁହେଁ, ସରକାର ପ୍ରତ୍ୟକ୍ଷ ନିର୍ବାଚନ ହେଲେ ଏସବୁ ପଦବିରେ ବସୁଥିବା ବ୍ୟକ୍ତିବିଶେଷ ବ୍ୟବସ୍ଥା ନିକଟରେ ଟିକିଏ ଅଧିକ ଉତ୍ତରଦାୟୀ ହେବେ ବୋଲି କୁହାଯାଉଛି। ସେହିଭଳି ମେୟର ଓ ଅଧ୍ୟକ୍ଷ ପଦବିରେ ଅପେକ୍ଷାକୃତ କମ୍‌ ଯୋଗ୍ୟ ବ୍ୟକ୍ତି ଯେଭଳି ନେତୃତ୍ୱକୁ ପ୍ରଭାବିତ କରି ଆସୁଥିଲେ, ସେଥିରେ ମଧ୍ୟ ରୋକ୍‌ ଲାଗିବ। ଆଗକୁ ମହାନଗର ନିଗମ, ପୌର ଓ ଏନ୍‌ଏସି ନିର୍ବାଚନ ଥିବା ପରିପ୍ରେକ୍ଷୀରେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ପ୍ରଭାବୀ ବୋଲି କୁହାଯାଉଛି।

ମିଳିଥିବା ଖବର ଅନୁସାରେ କ୍ୟାବିନେଟ୍‌ ଆଜି ଆଉ ଏକ ବଡ଼ ନିଷ୍ପତ୍ତି ନେଇଛି। ଓଡ଼ିଆ ଭାଷାକୁ ସରକାରୀ ଭାଷାର ମାନ୍ୟତା ପ୍ରଦାନ କରାଯାଇଛି। ପୂର୍ବରୁ ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବେ ବ୍ୟବହାର କରିବା ଲାଗି ସରକାର ଆନୁଷଙ୍ଗିକ ପ୍ରସ୍ତୁତି ଜାରି ରଖିଥିଲେ। ଦଣ୍ଡବିଧାନ କ୍ଷେତ୍ରରେ ମଧ୍ୟ ଏକ ସଂଶୋଧନକୁ ମୋହର ଲଗାଇଛନ୍ତି କ୍ୟାବିନେଟ୍‌। ଏଥିରେ ଦଣ୍ଡବିଧାନକୁ କଠୋର କରିବାକୁ ଯାଇ ଖିଲାପ କଲେ ଉଭୟ ବିଭାଗ ଓ କର୍ମଚାରୀ ଅଥବା ଉଭୟଙ୍କୁ ଦଣ୍ଡିତ କରିବା ଲାଗି ବ୍ୟବସ୍ଥା ହୋଇଥିବା କୁହାଯାଇଛି। ଏ ସଂକ୍ରାନ୍ତରେ ଆଇନ ସଂଶୋଧନ କରାଯିବ। ଏଥିସହିତ ମୋଟ ୭ଟି ପ୍ରସ୍ତାବକୁ ଆଜି କ୍ୟାବିନେଟ୍‌ ମଞ୍ଜୁରି ଦେଇଥିଲେ।

ରାଜ୍ୟ ସରକାର ଗତ ଡିସେମ୍ବର ୨୬ ତାରିଖରେ ପୁରୀରେ ଏକ ସ୍ୱତନ୍ତ୍ର କ୍ୟାବିନେଟ୍‌ କରି ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବେ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଅନେକ ପଦକ୍ଷେପ ନେଇଥିଲେ। ପରବର୍ତୀ ସମୟରେ ମାର୍ଚ୍ଚ ୧୪ ତାରିଖ କ୍ୟାବିନେଟ୍‌ରେ ମଧ୍ୟ ଦଣ୍ଡବିଧାନ ବ୍ୟବସ୍ଥା ହୋଇଥିଲା। ହେଲେ ସେଥିରେ ଭୁଲ କ୍ରମେ ବିଭାଗ ବା କର୍ମଚାରୀଙ୍କୁ ଦଣ୍ଡବିଧାନ କଥା ଉଲ୍ଲେଖ ରହିଯାଇଥିଲା। ଆଜି ଏହି ବ୍ୟବସ୍ଥାରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ଦେଇ ‘ବା’ ଶବ୍ଦ ବଦଳରେ ‘ଏବଂ’ ସଂଯୋଗ କରିବାକୁ ସ୍ଥିର କରିଥିବା ସୂଚନା ମିଳିଛି। ଏହାଦ୍ୱାରା ବିଭାଗ ଓ କର୍ମଚାରୀ ଉଭୟଙ୍କୁ ଦଣ୍ଡ ବିଧାନ କରିବା ଲାଗି ବାଟ ଖୋଲିଛି। ସେହିଭଳି ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବେ ବ୍ୟବହାର କରିବା ଲାଗି ମଧ୍ୟ କ୍ୟାବିନେଟ୍‌ ଆଜି ବାଟ ଖୋଲିଛନ୍ତି।

ଆସନ୍ତାକାଲି ଫିଜିଓଥେରାପି ଦିବସ ରହିଛି। ରାଜ୍ୟ ସରକାର ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଡାକ୍ତରଙ୍କୁ ଖୁସି କରିବା ସହିତ ଆଇନର ଫାଙ୍କରେ ପ୍ରଚଳିତ କ୍ୱାକ୍‌ ବ୍ୟବସ୍ଥାକୁ ଉଚ୍ଛେଦ କରିବା ଲାଗି ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ମିଳିଛି। ରାଜ୍ୟରେ ଫିଜିଓଥେରାପି ପରିଷଦ ଗଠନ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ କରିଛନ୍ତି।

ଓଡ଼ିଶା ଜିଏସ୍‌ଟି ଗଠନ, ଭାଟ୍‌ ପାଇଁ ଥିବା ଆପିଲେଟ୍‌ କର୍ତୃପକ୍ଷଙ୍କ କାର୍ଯ୍ୟକାଳ ବୃଦ୍ଧି ଭଳି ପ୍ରସ୍ତାବଗୁଡ଼ିକୁ ମଞ୍ଜୁରି ମିଳିଥିବା କୁହାଯାଉଛି। ଅର୍ଥ ବିଭାଗର ପ୍ରସ୍ତାବ ଅନୁଯାୟୀ କେନ୍ଦ୍ରୀୟ ଦ୍ରବ୍ୟ ଓ ସେବା କର(ସିଜିଏସ୍‌ଟି) ଭଳି ରାଜ୍ୟରେ ଓଡ଼ିଶା ଜିଏସ୍‌ଟି ବା ଓଜିଏସ୍‌ଟି ଗଠନ କରାଯିବ। କେନ୍ଦ୍ର ସରକାର ଯେଉଁଭଳି ସିଜିଏସ୍‌ଟି ଗଠନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତିି, ଅନୁରୂପ ଭାବେ ରାଜ୍ୟ ସରକାରଙ୍କୁ ବିଜ୍ଞପ୍ତି ଜାରି କରିବାକୁ ପଡ଼ିବ। ଏନେଇ ବିଧାନସଭାରେ ଏକ ସଂଶୋଧନ ବିଲ୍‌ ଆସିବ। ଅନ୍ୟ ଏକ ପ୍ରସ୍ତାବରେ ଦର୍ଶାଯାଇଛି, ରାଜ୍ୟରେ ପେଟ୍ରୋଲ୍‌, ଡିଜେଲ୍‌, ଉଡ଼ାଜାହାଜ ପାଇଁ ଇନ୍ଧନ ଭଳି କିଛି ସାମଗ୍ରୀରୁ ଭାଟ୍‌ ସଂଗ୍ରହ କରାଯାଉଛି। ଏଥିପାଇଁ ବିବାଦ ଉପୁଜିଲେ ତା’ର ସମାଧାନ ପାଇଁ ରହିଛି ଆପିଲେଟ୍‌ କର୍ତୃପକ୍ଷ। ଏହାର ତିନିବର୍ଷିଆ କାର୍ଯ୍ୟକାଳ ସରିବାକୁ ବସିଲାଣି। ଏହାର କାର୍ଯ୍ୟକାଳକୁ ଆହୁରି ବର୍ଷେ ବୃଦ୍ଧି କରିବାକୁ ଅର୍ଥ ବିଭାଗ ଦେଇଥିବା ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ଦେଇଥିବା ସୂଚନା ମିଳିଛି। ସେହିଭଳି ସେବା ନିୟମାବଳୀ ଓ ଟିକସ ସଂକ୍ରାନ୍ତ ସଂଶୋଧନ ପ୍ରସ୍ତାବ ଉପରେ ବି କ୍ୟାବିନେଟ୍‌ ମୋହର ଲାଗିଛି।

ସମ୍ବନ୍ଧିତ ଖବର