ରାଉରକେଲା: ଶେଷ ହୋଇଛି ପୌର ନିର୍ବାଚନ। ସୁନ୍ଦରଗଡ଼ ଜିଲ୍ଲାର ସୁନ୍ଦରଗଡ଼, ରାଜଗାଙ୍ଗପୁର ଓ ବୀରମିତ୍ରପୁର ପୌରପାଳିକା ନିର୍ବାଚନରେ ପ୍ରାର୍ଥୀଙ୍କ ଭୋଟ ବ୍ୟବଧାନ ନେଇ ତର୍ଜମା ଚାଲିଛି। ଉକ୍ତ ୩ ପୌରପାଳିକାରେ ଶାସକ ଦଳ ବିଜେଡି ସର୍ବାଧିକ ଆସନ ଦଖଲ କରିଛି। ସୁନ୍ଦରଗଡ଼ ପୌରାଧ୍ୟକ୍ଷ ବିଜେପି ଖାତାକୁ ଯାଇଥିଲାବେଳେ ରାଜଗାଙ୍ଗପୁର ଓ ବୀରମିତ୍ରପୁର ପୌରାଧ୍ୟକ୍ଷରେ ବିଜେଡି ବାଜିମାତ୍ ମାରିଛି। ସୁନ୍ଦରଗଡ଼ ପୌରାଧ୍ୟକ୍ଷ ଆସନ ପାଇଁ ଉଭୟ ବିଜେପି, ବିଜେଡି ଓ ସ୍ବାଧୀନ ପ୍ରାର୍ଥିନୀଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା। ରାଜଗାଙ୍ଗପୁର ଓ ବୀରମିତ୍ରପୁର ପୌରପାଳିକାରେ ବିଜେଡି ପୌରାଧ୍ୟକ୍ଷ ବହୁ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଜିଲ୍ଲାର ସର୍ବାଧିକ ଭୋଟରେ ବିଜୟୀ ହୋଇଛନ୍ତି ବିଜେଡିର ବୀରମିତ୍ରପୁର ପୌରାଧ୍ୟକ୍ଷ ପ୍ରାର୍ଥୀ ସନ୍ଦୀପ ମିଶ୍ର।
ବୀରମିତ୍ରପୁର ପୌରପାଳିକାର ପୌରାଧ୍ୟକ୍ଷ ଭାବେ ବିଜେଡିରୁ ସନ୍ଦୀପ ମିଶ୍ର, ବିଜେପିରୁ ସୁନୀଲ ତିୱାରୀ ଓ କଂଗ୍ରେସରୁ ଶଶୀ ସାଗର ପ୍ରତିଦ୍ବନ୍ଦିତା କରୁଥିଲେ। ବିଜେଡି ସନ୍ଦୀପ ମିଶ୍ର ୮୨୩୦ ଖଣ୍ଡ ଭୋଟ ପାଇଥିଲେ। ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ସୁନୀଲ ତିୱାରୀଙ୍କୁ ୪, ୪୭୩ ଖଣ୍ଡ ଭୋଟ ମିଳିଥିଲା। ଅର୍ଥାତ୍ ୩,୭୫୭ ଅଧିକ ଭୋଟ ବ୍ୟବଧାନରେ ସନ୍ଦୀପ ମିଶ୍ର ବିଜୟୀ ହୋଇଛନ୍ତି। ସେମିତି ରାଜଗାଙ୍ଗପୁର ପୌରପାଳିକାରେ ପୌରାଧ୍ୟକ୍ଷା ବିଜେଡିର ମାଧୁରୀ ଲୁଗୁନ ୧୦,୯୧୯ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର କୁଲଦୀପ ସିଂହ ୭, ୪୧୭ ଖଣ୍ଡ ଭୋଟ ପାଇଥିଲେ। ଅର୍ଥାତ୍ ବିଜେଡିର ମାଧୁରୀ ଲୁଗୁନ୍ ୩,୫୦୨ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଅନୁରୂପ ଭାବେ ସୁନ୍ଦରଗଡ଼ ପୌରପାଳିକାରେ ବିଜେପିର ତନୟା ମିଶ୍ର ୭, ୮୧୨ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ରଞ୍ଜନା ପଣ୍ଡା ୬,୫୭୭ ଖଣ୍ଡ ଭୋଟ ପାଇଥିଲେ। ଅର୍ଥାତ୍ ବିଜେପିର ତନୟା ମିଶ୍ର ୧୨୩୫ ଖଣ୍ଡ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।
ସୁନ୍ଦରଗଡ଼, ରାଜଗାଙ୍ଗପୁର ଓ ବୀରମିତ୍ରପୁର ପୌରପାଳିକାରେ ପୌରାଧ୍ୟକ୍ଷ ଓ ପୌରାଧ୍ୟକ୍ଷା ଆସନ ପାଇଁ ବିଜେଡି, ବିଜେପି, କଂଗ୍ରେସ, ଜେଏମ୍ଏମ୍, ବିଏସ୍ ଓ ସ୍ବାଧୀନରୁ ମୋଟ ୧୯ ପ୍ରାର୍ଥୀପ୍ରାର୍ଥିନୀ ପ୍ରତିଦ୍ବନ୍ଦିତା କରିଥିଲେ। ବୀରମିତ୍ରପୁର ବିଏସ୍ପି ପୌରାଧ୍ୟକ୍ଷ ପ୍ରାର୍ଥୀ ମହେନ୍ଦ୍ର ବାଘ ସବୁଠୁ କମ୍ ଅର୍ଥାତ୍ ମାତ୍ର ୧୦୧ ଖଣ୍ଡ ଭୋଟ ପାଇଥିଲେ। ସବୁଠୁ କମ୍ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି ରାଜଗାଙ୍ଗପୁର ପୌରପାଳିକାର ସ୍ବାଧୀନ ପୌରାଧ୍ୟକ୍ଷ ପ୍ରାର୍ଥୀ ହୃଷିକେଶ ସାହୁ। ତାଙ୍କୁ ମାତ୍ର ୧୦୯ ଖଣ୍ଡ ମିଳିଥିଲା। ତୃତୀୟ ସ୍ଥାନରେ ରହିଛନ୍ତି ବୀରମିତ୍ରପୁର ପୌରପାଳିକାର ପୌରାଧ୍ୟକ୍ଷ ପ୍ରାର୍ଥୀ ଅରବିନ୍ଦ ଜସ୍ବାଲ। ତାଙ୍କୁ ମାତ୍ର ୨୧୬ ଖଣ୍ଡ ଭୋଟ ମିଳିଥିଲା।
ରାଜଗାଙ୍ଗପୁର ପୌରାଧ୍ୟକ୍ଷ ସ୍ବାଧୀନ ପ୍ରାର୍ଥୀ ପ୍ରଦୀପ କୁମାର ସିଂ ୨୫୪, ଅଜୟ କୁମାର ପାଇକରାୟ ୩୬୬, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ହରନ କୁମାର ବାଗେ ୬୧୫ ଖଣ୍ଡ ଓ ସୁନ୍ଦରଗଡ଼ ପୌରପାଳିକାର ସ୍ବାଧୀନ ପ୍ରାର୍ଥିନୀ ପଦ୍ମା ଦେବୀ ୩୧୦ ଖଣ୍ଡ ଭୋଟ ପାଇଛନ୍ତି। କାଉନସିଲରରେ ସୁନ୍ଦରଗଡ଼ର ପୌରପାଳିକା ୱାର୍ଡ ନଂ ୧୮ର ବିଜେପି ପ୍ରାର୍ଥିନୀ ପୌଶାଳି ବାରିକ୍ ସର୍ବାଧିକ ୧, ୧୪୭ ଖଣ୍ଡ ପାଇଛନ୍ତି। ଜିଲ୍ଲାର ବୀରମିତ୍ରପୁର ପୌରପାଳିକାର ୱାର୍ଡ଼ ନଂ ୫ର ଜେଏମ୍ଏମ୍ ପ୍ରାର୍ଥୀ କିରଣ ନାୟକ ମାତ୍ର ୨ ଖଣ୍ଡ ଭୋଟ ପାଇଛନ୍ତି। ଜିଲ୍ଲାର ସବୁଠୁ ଅଧିକ ବ୍ୟବଧାନରେ ସୁନ୍ଦରଗଡ଼ର ୱାର୍ଡ ନଂ ୧୮ର କାଉନ୍ସିଲର ବିଜେପିର ପୌଶାଳୀ ବାରିକ୍ ସର୍ବାଧିକ ୪୫୧ ଓ ବୀରମିତ୍ରପୁର ବିଜେପିର ରୋଶନୀ ମଶାନ୍ତ ସର୍ବନିମ୍ନ ୧୫ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/30-20.jpg)