ପୌର ନିର୍ବାଚନ: ୫୦% ଭିତରେ ସଂରକ୍ଷଣ, ଓବିସି କୋଟା କମିବ

ବିଧାନସଭାରେ ପୌର ଆଇନ ସଂଶୋଧନ ବିଲ୍‌ ପାରିତ, ବିଲ୍‌ରେ ସ୍ପଷ୍ଟତା ନ ଥିବାରୁ ବିରୋଧୀଙ୍କ ପ୍ରତିବାଦ

ଭୁବନେଶ୍ବର, ୭/୯(ଇମିସ): ପୌର ନିର୍ବାଚନରେ ସଂରକ୍ଷଣ ସୀମା ୫୦% ଭିତରେ ସୀମିତ ରହିବ। ଏଥିପାଇଁ ପୌର ଆଇନରେ ସଂଶୋଧନ କରାଯାଇଛି। ବିଧାନସଭାରେ ଓଡ଼ିଶା ପୌର ଆଇନ,୧୯୫୦ ଓ ଓଡ଼ିଶା ପୌର ନିଗମ ଆଇନ,୨୦୦୩ରେ ସଂଶୋଧନ ବିଲ୍‌ ଆଜି ପାରିତ ହୋଇଛି। ତେଣୁ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ଙ୍କ ପାଇଁ ସଂରକ୍ଷିତ ସିଟ୍‌ କମିବା ସ୍ପଷ୍ଟ ହୋଇଛି। ଏହି ବିଲ୍‌ ପାରିତ ହେବା ପରେ ପୌର ନିର୍ବାଚନ ପାଇଁ ବାଟ ଫିଟିଛି। ଫଳରେ ଦୁଇ ବର୍ଷରୁ ଅଧିକ ସମୟ ଧରି ସଂରକ୍ଷଣ ପ୍ରସଙ୍ଗକୁ ନେଇ ଚାଲିଥିବା ଚର୍ଚ୍ଚାର ପୂର୍ଣ୍ଣଛେଦ ପଡ଼ିଛି।

ତେବେ ତରବରିଆ ଭାବେ ବିଲ୍‌ ପାରିତ କରାଯାଉଥିବାରୁ ବିରୋଧୀ ଦଳ ସମାଲୋଚନା କରିଥିଲେ। ବିଲ୍‌ରେ ଥିବା ଦ୍ବନ୍ଦ୍ବ ନେଇ ସ୍ପଷ୍ଟୀକରଣ ଲୋଡ଼ିଥିଲେ ବି ନଗର ଉନ୍ନୟନ ମନ୍ତ୍ରୀ ସେ ସମ୍ପର୍କରେ କିଛି କହି ନ ଥିଲେ। ବିଲ୍‌କୁ ଅନୁଧ୍ୟାନ କରିବା ପାଇଁ ସଦସ୍ୟମାନଙ୍କୁ ଅଧିକ ସମୟ ଦେବା ଦାବିକୁ ବାଚସ୍ପତି ଗ୍ରହଣ କରି ନ ଥିଲେ। ଗତ ପୌର ନିର୍ବାଚନରେ ଅନୁସୂଚିତ ଜାତି ପାଇଁ ୧୭.୧, ଅନୁସୂଚିତ ଜନଜାତି ପାଇଁ ୨୨.୮ ଓ ଓବିସି ପାଇଁ ୩୭% ଆସନ ସଂରକ୍ଷିତ ରହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ହାଇକୋର୍ଟ ଏ ସଂକ୍ରାନ୍ତୀୟ ଏକ ମାମଲାର ବିଚାର କରି ସଂରକ୍ଷଣ ସୀମାକୁ ୫୦% ଭିତରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ କାଏମ୍ ରଖିଥିଲେ। ତେଣୁ କୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଆଇନରେ ସଂଶୋଧନ ଆବଶ୍ୟକ ଥିଲା। ସଂଶୋଧିତ ବିଲ୍‌ ଅନୁଯାୟୀ ଅନୁସୂଚିତ ଜାତି ଓ ଜନଜାତି ପାଇଁ ସଂରକ୍ଷଣ କମାଯିବ ନାହିଁ। ଉଭୟ ବର୍ଗ ପାଇଁ ସଂରକ୍ଷଣ ପୂର୍ବ ପରି ୩୯.୯% ରହିବ। ତେଣୁ ଓବିସି ବର୍ଗ ପାଇଁ ସଂରକ୍ଷଣ ୧୦ ପ୍ରତିଶତ ରହିବ ବୋଲି ଏକ ପ୍ରକାର ସ୍ପଷ୍ଟ ହେଉଛି। କିନ୍ତୁ ବିଲ୍‌ରେ ତାହା ଉଲ୍ଲେଖ କରାଯାଇ ନାହିଁ। ଓବିସି ବର୍ଗ ପାଇଁ ସଂରକ୍ଷଣ ୨୭% ପର୍ଯ୍ୟନ୍ତ ରହିବ ବୋଲି କୁହାଯାଇଛି।

ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ। ଏପିରିକି ଗୃହରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏ ସମ୍ପର୍କରେ ପଚାରିଥିଲେ ମଧ୍ୟ ମନ୍ତ୍ରୀ କୌଣସି ଉତ୍ତର ଦେଇ ନ ଥିଲେ। ଗତକାଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ବିଲ୍‌ ଆଗତ କରିଥିଲେ। ଆଜି ତାହା ଉପରେ ଆଲୋଚନା ହୋଇଥିଲା। ବିଲ୍‌ ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଲେ, ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସଂଶୋଧନର ଆବଶ୍ୟକତା ରହିଛି। କିନ୍ତୁ ପୌର ନିର୍ବାଚନ ଠିକ୍ ସମୟରେ କରାଯାଇ ନାହିଁ। ପୂର୍ବରୁ ଆଇନରେ ଏହି ସଂଶୋଧନ କରାଯାଇ କାହିଁକି ନିର୍ବାଚନ କରାଯାଇ ନ ଥିଲା? ନିର୍ବାଚନ ଘୁଞ୍ଚାଇବାକୁ ସମ୍ବିଧାନରେ ବ୍ୟବସ୍ଥା ଅଛି କି? ଯଦି ସରକାର ଦୁଇ ବର୍ଷରୁ ଅଧିକ ସମୟ ଅପେକ୍ଷା କରିପାରିଲେ, ତେବେ ଆଜି ବିଲ୍‌ ପାରିତ କରିବାକୁ ଏତେ ତରବର କାହିଁକି ହେଉଛନ୍ତି? ଏସ୍‌ସି, ଏସ୍‌ଟି ପରି ଓବିସିଙ୍କ ପାଇଁ ନିର୍ଦ୍ଦିଷ୍ଟ ଭାବେ କେତେ ପ୍ରତିଶତ ଆସନ ସଂରକ୍ଷିତ ରହିବ, ତାହା ଉଲ୍ଳେଖ କରା ନ ଯାଇ ସଂରକ୍ଷଣ ୨୭%ରୁ ଅଧିକ ହେବନି ବୋଲି କାହିଁକି ଉଲ୍ଲେଖ କରାଯାଇଛି? ବିଲ୍‌ରେ ଆଦୌ ସ୍ପଷ୍ଟତା ନାହିଁ। ତରିବରିଆ ଭାବେ ଅନ୍ୟ ଉଦ୍ଦେଶ୍ୟ ରଖାଯାଇ ବିଲ୍‌ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ୁଛି। ଏହାକୁ ଅଧିକ ତର୍ଜମା କରାଯିବାର ଆବଶ୍ୟକତା ରହିଛି। ତରବରିଆ ଭାବେ ବିଲ୍‌ ପାସ୍ କରାଗଲେ ପୁଣି କୋର୍ଟରେ ତାହା ଉପରେ ରହିତାଦେଶ ହେବାର ଆଶଙ୍କା ରହିଛି। ଆଇନ ପ୍ରଣୟନ କଲା ବେଳେ ସଂସଦ ଓ ବିଧାନସଭାରେ ଯଥେଷ୍ଟ ତର୍ଜମା ହେଉ ନ ଥିବାରୁ ସୁପ୍ରିମକୋର୍ଟ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ସେଥିପାଇଁ କୋର୍ଟକୁ ଅଧିକ ମାମଲା ଆସୁଛି। ପୂର୍ବରୁ ଏମିତି ହେଉ ନ ଥିଲା। ଏହି ପରିପ୍ରେକ୍ଷୀରେ ଆମେ ବିଲ୍‌ ପାରିତ କଲା ବେଳେ ତାହା ଉପରେ ଅଧିକ ଆଲୋଚନା କରିବାର ଆବଶ୍ୟକତା ରହିଛି। ନିର୍ବାଚନ ପରିପ୍ରେକ୍ଷୀରେ ଓବିସିଙ୍କ ପାଇଁ ସମସ୍ତଙ୍କ ଦରଦ ଅଛି। ସରକାର ଯଦି କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ବିଲ୍‌ ପାରିତ କରାଉଛନ୍ତି, ତାହା ହେଲେ କିଛି କହିବାର ନାହିଁ। ଯଦି ସତରେ ଓବିସିଙ୍କୁ କିଛି ଫାଇଦା ଦେବାକୁ ଚାହୁଁଛନ୍ତି, ତେବେ ବିଲ୍‌କୁ ଭଲ ଭାବେ ଅନୁଧ୍ୟାନ କରାଯିବା ଉଚିତ। କିନ୍ତୁ ସରକାର ବାଚସ୍ପତିଙ୍କ ସହଯୋଗରେ ବିଲ୍‌କୁ ତୁରନ୍ତ ପାରିତ କରିବାକୁ ଚାହୁଁଛନ୍ତି। ଏ ସରକାର କିଛି ମାନିବାକୁ ଶୁଣିବାକୁ ପ୍ରସ୍ତୁତ ନାହାନ୍ତି। ଆହୁରି ମଧ୍ୟ ସରକାର କହୁଛନ୍ତି ଓବିସି ଗଣନା ହେବ। କିନ୍ତୁ ସେମାନଙ୍କ ସଂଖ୍ୟା ନ ଜାଣି ସେମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରୁଛନ୍ତି କିପରି? ଆଉ କ’ଣ ନିର୍ବାଚନ ପରେ ଓବିସି ଗଣନା ହେବ?

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ ତରବରିଆ ଭାବେ ବିଲ୍‌ ପାସ୍ କରା ନ ଯାଉ ଏବଂ ଅଧିକ ଅନୁଧ୍ୟାନ ପାଇଁ ସମୟ ଦେବାକୁ କହିଥିଲେ। ବିଜେପି ସଭ୍ୟ ମୁକେଶ ମହାଲିଙ୍ଗ ପ୍ରଶ୍ନ ଉଠାଇଥିଲେ ଯେ ଗୋଟିଏ ପଟେ ୫୦% ଭିତରେ ସଂରକ୍ଷଣ ସୀମିତ ରଖିବାକୁ କୁହାଯାଇଥିଲା ବେଳେ ଅନ୍ୟ ପଟେ ୨୭% ଯାଏ ଓବିସି ସଂରକ୍ଷଣ ରଖିବାକୁ କିପରି କୁହାଯାଇଛି ? ଅନ୍ୟପକ୍ଷରେ ଶାସକ ଦଳ ସଭ୍ୟ ଶଶୀଭୂଷଣ ବେହେରା ଆଇନରେ ସଂଶୋଧନ ପ୍ରସ୍ତାବକୁ ସ୍ବାଗତ କରିଥିଲେ।

ସମ୍ବନ୍ଧିତ ଖବର