ଗଜପତିରେ ୩ ପ୍ରମୁଖ ଦଳ ପାଇଁ ଚାଲେଞ୍ଜ୍‌ ହେବ ପୌର ନିର୍ବାଚନ

ପାରଳାଖେମୁଣ୍ତି : ଗଜପତିରେ ଆଗାମୀ ପୌର ନିର୍ବାଚନକୁ ଆଖରେ ରଖି ଦଳୀୟ ନେତାମାନେ ତୃଣମୂଳସ୍ତରରେ ସଂଗଠନ ସଜାଡ଼ିବାରେ ଲାଗିପଡ଼ିଲେଣି। ତେବେ ଚଳିତ ପୌର ନିର୍ବାଚନ ତିନି ପ୍ରମୁଖ ଦଳର ମୁକାବିଲା କଡ଼ା ହେବ ବୋଲି କଂଗ୍ରେସ, ଭାଜପା ଏବ˚ ବିଜେଡିର ଜିଲ୍ଲା ସଭାପତିମାନେ ସ୍ବୀକାର କରିଛନ୍ତି। କାଶୀନଗର ଏନ୍ଏସିରେ ବିଜେପି ଏବଂ ବିଜେଡି ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ପୂର୍ବ ଆକଳନ କରା ଯାଇଥିବା ବେଳେ ପାରଳାଖେମୁଣ୍ତି ପୌରପାଳିକାରେ ତ୍ରିକୋଣୀୟ ପ୍ରତିଦ୍ବନ୍ଦ୍ବିତା ହେବ ବୋଲି ରାଜନୈତିକ ସମୀକ୍ଷକ ମତ ପ୍ରକାଶ କରିଛନ୍ତି।

ପାରଳା ବିଧାନସଭା ଆସନର କାଶୀନଗର ବ୍ଲକ୍‌ ହେଉଛି ବର୍ତ୍ତମାନର ବିଧାୟକ କେ.ନାରାୟଣ ରାଓଙ୍କର ନିଜସ୍ବ ଗଡ଼। ଏହି ବ୍ଲକ୍‌ରୁ ସେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ ଏବଂ ବିଭିନ୍ନ ସମୟରେ ନିର୍ବାଚନ ବେଳେ କେ.ନାରାୟଣ ରାଓଙ୍କ ସମର୍ଥିତ ପ୍ରାର୍ଥୀମାନେ ହିଁ ବିଜୟୀ ହୋଇଛନ୍ତି। ଗତବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେଡି ଛାଡ଼ି ଭାଜପାରେ ଯୋଗଦେବା ପରେ ଏହି ବ୍ଲକ୍‌ର ବହୁ ସଂଖ୍ୟାରେ ବିଜେଡି କର୍ମୀ ଭାଜପାକୁ ସମର୍ଥନ କରିଥିଲେ। ତେବେ ଗତ ସାଧାରଣ ନିର୍ବାଚନରେ କାଶୀନଗର ଏନ୍ଏସିରେ ବିଜେପି ୨୨୧୯ ଭୋଟ ପାଇ ପ୍ରଥମ ସ୍ଥାନରେ ରହିଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ଡ.ତିରୁପତି ପାଣିଗ୍ରାହୀ ୨୦୬୧, ବିଜେଡି ୧୭୧୪ ଓ କଂଗ୍ରେସ ମାତ୍ର ୧୨୮ ଭୋଟ ପାଇଥିଲା। ବର୍ତ୍ତମାନ ତିରୁପତି ପାଣିଗ୍ରାହୀଙ୍କର ପୁଅ ରୂପେଶ ବିଜେଡିରେ ଯୋଗଦେବେ ବୋଲି ଘୋଷଣା କରିବା ପରେ କାଶୀନଗର ଏନ୍ଏସିରେ ବିଜେଡି ନିଶ୍ଚିତ ଭାବେ ଲାଭଜନକ ସ୍ଥିତିରେ ରହିବ ବୋଲି କୁହାଯାଉଛି।

ତେବେ ଏକଦା କେ.ନାରାୟଣ ରାଓଙ୍କ ଘନିଷ୍ଠ ସହଯୋଗୀ ଥିବା ପ୍ରଦୀପ ନାୟକ ଏବେ ବିଜେଡିରେ ରହିଥିବା ବେଳେ ଦ୍ବିତୀୟ ଥର ପାଇଁ ଗଜପତି ଜିଲ୍ଲା ବିଜେଡି ସଭାପତି ଭାବେ ମନୋନୀତ ହୋଇଛନ୍ତି। ସେ ନିଜସ୍ବ ରଣନୀତିରେ ଦଳକୁ ଆଗକୁ ନେବାପାଇଁ ପ୍ରୟାସ ଜାରି ରଖିଛନ୍ତି। ୨୦୨୦ ମସିହାରେ ରଣନୀତି କୌଶଳ ପରୀକ୍ଷା କରିବା ପାଇଁ ପ୍ରଦୀପ ନାୟକ ଯଦିବା ସୁଯୋଗ ପାଇନଥିଲେ ତାଙ୍କ ଦଳ ପୌର ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି କିଛି ଦିନ ପୂର୍ବେ ଦୃଢ଼ତାର ସହ କହିଥିଲେ। ତେବେ ଦଳ ଭିତରେ ରହିଥିବା ଅନ୍ତର୍ଦ୍ବନ୍ଦ୍ବ ନୂଆ ବର୍ଷରେ ପ୍ରଦୀପଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍‌ ହେବ। ବ୍ରହ୍ମପୁର ସାଂସଦ ଗୋଟିଏ ଦଳର ଗୋଷ୍ଠୀକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି। ଅନ୍ୟପଟେ ବିଜେଡିର ଜିଲ୍ଲା କାର୍ଯ୍ୟାଳୟରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ହେବ ବୋଲି ସଭାପତି ନିଷ୍ପତ୍ତି ନେଇଥିବା ବେଳେ ଗଜପତି ରାଜପ୍ରାସାଦରେ ଦଳର ଆଉ ଏକ ସମାନ୍ତରାଳ କାର୍ଯ୍ୟକ୍ରମ ବିଭିନ୍ନ ସମୟରେ ହେଉଥିବା ଯୋଗୁଁ ଅନ୍ତର୍ଦ୍ବନ୍ଦ୍ବ କୁହୁଳୁଥିବା କଥା ବିଜେଡିର ବିରୋଧୀମାନେ ପ୍ରଚାର କରୁଛନ୍ତି।

ଏକଦା ପାରଳାଖେମୁଣ୍ତି ଏବଂ କାଶୀନଗର କଂଗ୍ରେସର ଦୁର୍ଗ ଥିବା ‌ବେଳେ ଏବେ ଦଳୀୟ ସଂଗଠନ ଦୁର୍ବଳ ସ୍ଥିତିରେ ରହିଛି। ଦଳର ଜିଲ୍ଲା ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ଦଳୀୟ କାର୍ଯ୍ୟକ୍ରମ ଅତ୍ୟନ୍ତ ସୀମିତ। ତେବେ ନୂତନ ଭାବେ ଦାୟିତ୍ବ ଗ୍ରହଣ କରିଥିବା ଜିଲ୍ଲା ଯୁବ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର ଗୁମ୍ମା ବ୍ଲକରେ ଏବ˚ ପାରଳାଖେମୁଣ୍ତି ପୌରପାଳିକାରେ ନିର୍ଦ୍ଦିଷ୍ଟ କିଛି ୱାର୍ଡରେ ତାଙ୍କର ପ୍ରଭାବ ଅକ୍ଷୁଣ୍ଣ ରଖିଥିବା ଯୋଗୁଁ ଦଳ କର୍ମୀ ମହଲରେ ଏକ ନୂତନ ଉତ୍ସାହ ଆଣିବାକୁ ପ୍ରୟାସ କରୁଛନ୍ତି। ଗତ ସାଧାରଣ ନିର୍ବାଚନରେ ପାରଳା ପୌରପାଳିକାରେ ଭାଜପା ପ୍ରାର୍ଥୀ କେ.ନାରାୟଣ ରାଓ ସବୁଠାରୁ ଅଧିକ ଭୋଟ ପାଇଥିଲେ ଏବ˚ ତାଙ୍କ ପଛକୁ ରହିଥିଲା ବିଜେଡି ଏବଂ ତୃତୀୟ ସ୍ଥାନରେ ସ୍ବାଧୀନ ପ୍ରାର୍ଥୀ ତିରୁପତି ରହିଥିବା ବେଳେ ସବା ପଛରେ ରହିଥିଲା କଂ‌ଗ୍ରେସ। ପୌରପାଳିକାର ୧୬ଟି ୱାର୍ଡରେ ବିଜେପି ୮୦୬୩ , ବିଜେଡି ୬୩୮୫ ଏବଂ ସ୍ବାଧୀନ ପ୍ରାର୍ଥୀ ୫୫୬୨ ଏବଂ କଂଗ୍ରେସ ମାତ୍ର ୨୩୯୪ ଭୋଟ ପାଇଥିଲା। ତେଣୁ କହିବାକୁ ଗଲେ ଏବେ ତିନି ପ୍ରମୁଖ ଦଳ ପୌର ନିର୍ବାଚନକୁ ଆଖିରେ ରଖି ସଜବାଜ ଆରମ୍ଭ କରିଥିବା ବେଳେ କାହା ପଲା ଭାରି ରହିବ, ତାହା ଆଲୋଚନାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର