ପୌର ଅଧିକାରୀ ଗୃହବନ୍ଦୀ, ସହର ଛାଡ଼ି ପଳାଇବାକୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ପରାମର୍ଶ

ବାପାଙ୍କୁ ମୁକ୍ତ କରିବାଲାଗି ଜିଲ୍ଲାପାଳଙ୍କୁ ଝିଅର ପ୍ରାର୍ଥନା

ରାଜଗାଙ୍ଗପୁର : ଜଣେ ସରକାରୀ କର୍ମଚାରୀ ନିଜ ଦାୟିତ୍ବ ନିର୍ବାହ କରିବାକୁ ଯାଇ କିଭଳି ସମସ୍ୟାରେ ପଡୁଛନ୍ତି ଓ ସେଭଳି ସ୍ଥିତିରେ ପ୍ରଶାସନ ମଧ୍ୟ କିଭଳି ତାଙ୍କୁ ପର କରିଦେଉଛି, ଏହାର ଏକ ସଦ୍ୟ ଉଦାହରଣ ହେଉଛନ୍ତି ରାଜଗାଙ୍ଗପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ବିନୋଦ କୁମାର ପଣ୍ଡା। ନିଜ ସ୍ବାର୍ଥରେ ବାଧା ଆସିବାରୁ ଦୀର୍ଘକାଳ ହେଲା ପ୍ରଭାବଶାଳୀ ଲୋକମାନେ ତାଙ୍କୁ ଅଫିସ ଯିବାକୁ ଦେଉନାହାନ୍ତି। ରାଜଗାଙ୍ଗପୁର ଛାଡ଼ି ଚାଲିଯିବା ପାଇଁ ଧମକ ଦେଉଛନ୍ତି ବୋଲି ଅଭିଯୋଗ ହେଉଛି। ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି, ଶ୍ରୀ ପଣ୍ଡା ଏ ବିଷୟରେ ଜିଲ୍ଲାପାଳ, ଏସ୍‌ପି ଓ ସ୍ଥାନୀୟ ଉପଜିଲ୍ଲାପାଳ ଓ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ବଦଳରେ ତାଙ୍କୁ ‘କାହିଁକି ଏ ଗଣ୍ଡଗୋଳରେ ପଡୁଛନ୍ତି, ବରଂ ଆପଣ ରାଜଗାଙ୍ଗପୁର ଛାଡ଼ି ଚାଲି ଯାଆନ୍ତୁ’ ଭଳି ପରାମର୍ଶ ମିଳିଛି। ଅଫିସ ଯିବାକୁ ଚେଷ୍ଟା କରିବାବେଳେ ଶ୍ରୀ ପଣ୍ଡାଙ୍କୁ ଠେଲାପେଲା ଓ ଗାଳିଗୁଲଜର ସାମ୍‌ନା କରିବାକୁ ପଡୁଥିବାରୁ ସେ ନିଜ କ୍ବାର୍ଟର୍ସରେ ଗୃହବନ୍ଦୀ ହୋଇ ରହୁଛନ୍ତି। ଇତିମଧ୍ୟରେ ତାଙ୍କ ଝିଅ ବାପାଙ୍କୁ ମୁକ୍ତ କରି ଅଫିସରେ ଯୋଗ ଦେବାଲାଗି ସାହାଯ୍ୟ କରିବାପାଇଁ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଟ୍ବିଟ୍‌ ଯୋଗେ ଅନୁରୋଧ କରିଛନ୍ତି।

ସୂଚନା ଅନୁସାରେ, ଶ୍ରୀ ପଣ୍ଡା ରାଜଗାଙ୍ଗପୁରରେ କାର୍ଯ୍ୟରେ ଯୋଗ ଦେବାପରେ ଜବରଦଖଲ ହଟାଇବା ଓ ପୌରପାଳିକାର ଘରଗୁଡ଼ିକୁ ବଳପୂର୍ବକ ମାଡ଼ି ବସିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ। ଦୁଇଜଣ ପ୍ରଭାବଶାଳୀ ଲୋକ ମାଡ଼ି ବସିଥିବା ଏକ ସରକାରୀ କମ୍ୟୁନିଟି ସେଣ୍ଟର ଏବଂ ଅନ୍ୟ ଏକ ଘରକୁ ମୁକ୍ତକରି ସରକାରଙ୍କ ଅଧୀନକୁ ଆଣିବା ପାଇଁ ଉଦ୍ୟମ କରିଥିଲେ। ଏଥିସହିତ ପୌରପାଳିକା ଭଡ଼ା ଦେଇଥିବା ପ୍ରାୟ ୨୦୦ଟି ଦୋକାନଗୃହର ଭଡ଼ା ଆଦାୟ କରିବାଲାଗି ମଧ୍ୟ ପଦ‌କ୍ଷେପ ଗ୍ରହଣ କରିଥିଲେ। ସମ୍ପୃକ୍ତ ଦୋକାନୀମ‌ାନେ ଅନେକବର୍ଷ ଧରି ଭଡ଼ା ଦେଉନଥିଲେ। ଫଳରେ ସ୍ବାର୍ଥରେ ବାଧା ଉପୁଜିବାରୁ ସେମାନେ ଶ୍ରୀପଣ୍ଡାଙ୍କୁ ବିରୋଧ କରିଥିଲେ। ଏପରିକି ଚଳିତମାସର ପ୍ରଥମ ସପ୍ତାହରେ ପୌରପାଳିକା କାର୍ଯ୍ୟାଳୟରେ ତାଲା ପକାଇ କାମ କରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ। ଶ୍ରୀ ପଣ୍ଡା ଏ ସଂପର୍କରେ ସୁନ୍ଦରଗଡ଼ ଜିଲ୍ଲାପାଳ ଓ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ କିଛି ସହଯୋଗ ମିଳି ନଥିଲା। ତାପରେ ସେ ରାଜଗାଙ୍ଗପୁର ଥାନ‌ାରେ ମଧ୍ୟ ଅଭିଯୋଗ କରିଥିଲେ। ଉପଜିଲ୍ଲାପାଳ ଓ ବିଡିଓଙ୍କୁ ମଧ୍ୟ କହିଥିଲେ। କିନ୍ତୁ ସବୁଠାରେ ପରାମର୍ଶ ଦିଆଯାଇଥିଲା- ‘ଏ ଗଣ୍ଡଗୋଳରେ ତମେ କାହିଁକି ପଡୁଛ! ତମେ ବରଂ ଏ ସହର ଛାଡ଼ି ଚାଲିଯାଅ!’ ଅପରପକ୍ଷେ, ଅନ୍ୟାୟକୁ ସମର୍ଥନ କରି ହାତଗୁଞ୍ଜା ପାଉଥିବା ତାଙ୍କର କିଛି ତଳିଆ ସହକର୍ମୀ ମଧ୍ୟ ଉପରୋକ୍ତ ଗଣ୍ଡଗୋଳକାରୀଙ୍କ ସହିତ ହାତ ମିଳାଇଛନ୍ତି ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି। ତେଣୁ ବାଧ୍ୟହୋଇ ଶ୍ରୀପଣ୍ଡା ୭ ଦିନ ପାଇଁ ଛୁଟିରେ ଚାଲି ଯାଇଥିଲେ। ଗତକାଲି ସେ ଫେରି କାର୍ଯ୍ୟରେ ଯୋଗ ଦେବାଲାଗି ଅଫିସ ଯାଇଥିବାବେଳେ ଉପରୋକ୍ତ ଲୋକମାନେ ପୁଣି ଆସି ତାଙ୍କୁ ଗାଳିଗୁଲଜ ଦେବା ସହିତ ଠେଲାପେଲା କରିଥିଲେ। ତେଣୁ ଜୀବନ ଭୟରେ ସେ ନିଜ କ୍ବାର୍ଟର୍ସକୁ ପଳାଇଥିଲେ।

ବର୍ତ୍ତମାନ ଶ୍ରୀ ପଣ୍ଡା ଗୃହବନ୍ଦୀ ଭାବେ ଅତଙ୍କିତ ଜୀବନ ବିତାଉଛନ୍ତି। ଘରୁ ବାହାରିଲେ ତାଙ୍କ ଜୀବନ ପ୍ରତି ବିପଦ ଆସିବ ବୋଲି ସେ ଆଶଙ୍କା କରୁଛନ୍ତି। ଆଜି ଶ୍ରୀ ପଣ୍ଡାଙ୍କ ଝିଅ ପଲ୍ଲବୀ ପଣ୍ଡା ତାଙ୍କ ବାପାଙ୍କୁ ପୁଲିସ ସୁରକ୍ଷା ପ୍ରଦାନ କରିବାଲାଗି ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଟ୍ବିଟ୍‌ କରି ଅନୁରୋଧ କରିଛନ୍ତି। ଏ ଖବର ଲେଖା ହେବାଯାଏ ଜିଲ୍ଲାପାଳ କିଛି ପ୍ରତିକ୍ରିୟା ଦେଇନାହାନ୍ତି।

ଅନ୍ୟପକ୍ଷରେ, ପୌରପାଳିକାର ଏହି ଝମେଲାକୁ ନେଇ ଥାନାରେ ୩ଟି ଏତଲା ଦିଆଯାଇଥିଲେ ବି ପୁଲିସ କୌଣସି ପଦକ୍ଷେପ ନନେବାକୁ ନେଇ ସହରର ସଚେତନ ନାଗରିକ ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ନିଜର ଜଣେ ଅଧିକାରୀଙ୍କୁ ପ୍ରଶାସନ ସୁରକ୍ଷା ଦେବା ପରିବର୍ତ୍ତେ ସହର ଛାଡ଼ି ଯିବାକୁ ପରାମର୍ଶ ଦେବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

ସମ୍ବନ୍ଧିତ ଖବର