ପାରିଶ୍ରମିକ ଦାବିରେ ପୌର ସଫେଇ ଶ୍ରମିକଙ୍କ ଧାରଣା

ବ୍ୟାସନଗର : ପାରିଶ୍ରମିକ ମିଳୁନଥିବା ଅଭିଯୋଗ କରି ବ୍ୟାସନଗର ପୌରସଂସ୍ଥାରେ କାର୍ଯ୍ୟରତ ସଫେଇ ଶ୍ରମିକଙ୍କ ଧାରଣା ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି। କାମରେ ଯୋଗ ନଦେଲେ ବାହାର କରିଦିଆଯିବ ବୋଲି ପୌରକର୍ତ୍ତୃପକ୍ଷଙ୍କ ଧମକକୁ ନେଇ ଆଜି ଧାରଣା ସ୍ଥଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ, ପୌରନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଓ ଯାଜପୁରରୋଡ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ଆନ୍ଦୋଳନରତ ସଫେଇ ଶ୍ରମିକଙ୍କ ସହ ଆଲୋଚନା କରି ବାକିଆ ପାଉଣା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେବା ସହ କାମରେ ଯୋଗ‌ ଦେବାକୁ ଅନୁରୋଧ କରିଛନ୍ତି।

ପ୍ରକାଶ ଯେ, ପ୍ରାୟ ଦୁଇମାସ ଧରି ପୌରସଂସ୍ଥାର ସଫେଇ ଶ୍ରମିକମାନେ ପାଉଣା ପାଇନଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଗତକାଲି ସଫେଇ ଶ୍ରମିକମାନେ କାମ ବନ୍ଦ କରି ପୌରକାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଏହି ଶ୍ରମିକମାନେ ଜିଲ୍ଲା ବାହାରୁ ଆସି ଏଠାରେ କାମ କରୁଛନ୍ତି। ପିଲା ଛୁଆଙ୍କୁ ଧରି ଘରଭଡ଼ା ନେଇ ରହିଛନ୍ତି। ପାରିଶ୍ରମିକ ନମିଳିବାରୁ ପରିବାର ଚଳାଇବା କଷ୍ଟକର ହୋଇପଡ଼ୁଛି। ଏସମ୍ପର୍କରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଠିକାସଂସ୍ଥା ସେମାନଙ୍କୁ ପାଉଣା ପ୍ରଦାନରେ ଟାଳଟୁଳ ନୀତି ଆପଣେଇଛନ୍ତି।

ଫଳରେ ସଫେଇ ଶ୍ରମିକମାନେ କାମ ବନ୍ଦ କରି ଦୁଇଦିନ ହେଲା ଧାରଣାରେ ବସିଛନ୍ତି। ଅନ୍ୟପକ୍ଷରେ ପୌରସଂସ୍ଥାରୁ ବିଲ୍‌ ମିଳିନଥିବାରୁ ସଫେଇ ଶ୍ରମିକଙ୍କ ପାଉଣା ଦିଆଯାଇପାରୁନାହିଁ ବୋଲି ଠିକାସଂସ୍ଥା ସଫେଇ ଦେଉଛି। ଦୁଇଦିନ ହେଲା ସଫେଇମାନେ କାମ ବନ୍ଦ କରିଦେଇଛନ୍ତି। ଫଳରେ ସହରସାରା ରାସ୍ତାଘାଟରେ ଅଳିଆ ଆବର୍ଜନା ପୂରିଗଲାଣି। ବକେୟା ପାଉଣା ନମିଳିବା ପର୍ଯ୍ୟନ୍ତ ସଫେଇ କରିବେ ନାହିଁ ବୋଲି କହିବା ସହ ସଫେଇ ଶ୍ରମିକ ସମୀର ମୁଖୀ, ଶରତ ନାୟକ, ମୋହନ ବେହେରା, ଚନ୍ଦ୍ର ମୁର୍ମୁ, ସିପି ହାଇବ୍ରୁ, ଚନ୍ଦ୍ର ଦରାଇ, ବାଜିଆ ଗାଗରାଇ, ଅଜୟ ନାୟକ, ମଣିଆ ଗାଗରାଇ, ରିଙ୍କୁ ଖଟୁଆ, ଦୀପକ ମୁଖୀ, ନାରାୟଣ ସାହୁ, ରବୀନ୍ଦ୍ର ସ୍ଵାଇଁ, ଶମ୍ଭୁନାଥ ମୁର୍ମୁ, ଡି ବୁରୁ ପୂର୍ତ୍ତି, ଘନ ସମ୍ପାଡ଼, ସଦାନନ୍ଦ ମୁଖୀ, ସୁଦର୍ଶନ କାଣ୍ଡି, ସନାତନ ମୁଖୀ, ବବୁଲ ମୁଖୀ, ମିଥୁନ ନାୟକ, ମାଧବ ମୁର୍ମୁ, ରବି ଗାଗରାଇ, ମାୟାଧର ଗାଗରାଇ, ବନିତା ଦେଓଗାମ, ସସ୍ମିତା ମୁଣ୍ଡା, ରିନା ମୁଣ୍ଡା, ଲକ୍ଷ୍ମୀ ବିରୁଆ, ବାସନ୍ତୀ ତିରିଆ, ନାନିକା ମୁଣ୍ଡା, ପାଟ ମୁଣ୍ଡା, ସମା ତିରିଆ, ଟାଙ୍ଗୀ ବାସ୍କେ, କୁନି ମାଝୀ, ରବିବାରି ତିରିଆ, ଟିମା ନାୟକ, ନୀଳମଣି ନାୟକ, ଗୁରିଆ ମୁଖୀ ଚେତାବନୀ ଦେଇ ପୌର କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ।

ଶ୍ରମିକଙ୍କୁ ଧମକ ଓ ଖରାପ ବ୍ୟବହାର ସମ୍ପର୍କରେ ପଚାରିବାରୁ ନିର୍ବାହୀ ଅଧିକାରୀ ଶ୍ରୀ ରାଉତ ଏହାକୁ ଅସ୍ବୀକାର କରିଛନ୍ତି। ଅନ୍ୟପକ୍ଷରେ ଆଜି ପୌରାଧ୍ୟକ୍ଷା ଶ୍ରୀମତୀ ପିଙ୍ଗୁଆ, ନିର୍ବାହୀ ଅଧିକାରୀ ଶ୍ରୀ ରାଉତ, ଥାନାଧିକାରୀ ଶ୍ରୀ ପ୍ରଧାନ, ପରିମଳ ଅଧିକାରୀ ମାଣିକ ରଞ୍ଜନ ନାୟକ ପ୍ରମୁଖ ଧାରଣାକାରୀଙ୍କ ସହ ଆଲୋଚନା କରି ଆସନ୍ତା ସପ୍ତାହରେ ସମସ୍ତ ପାଉଣା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଅଧିକାରୀମାନେ ସଫେଇ ଶ୍ରମିକଙ୍କୁ ତୁରନ୍ତ କାମରେ ଯୋଗଦେବା ପାଇଁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର