ଉପାଧ୍ୟକ୍ଷ ଆସନ: ଏକାଧିକ ଆଶାୟୀ, ବନ୍ଦ ଲଫାଫା ଉପରେ ସମସ୍ତଙ୍କ ନଜର

ସୋରରେ ବିଜେପି, ବାକି ୪ ଆସନରେ ବସିବ ବିଜେଡି!

ବାଲେଶ୍ବର: ଚଳିତ ପୌର ନିର୍ବାଚନରେ ବାଲେଶ୍ବର ଜିଲ୍ଲାର ୫ଟି ପୌରପାଳିକା ଏବଂ ୨ଟି ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) ଅଧ୍ୟକ୍ଷ ଆସନ ମଧ୍ୟରୁ ବିଜେଡି ୪ଟି ଆସନ ଅକ୍ତିଆର କରିଥିବା ବେଳେ ଗୋଟିଏ ଆସନରେ ଜିତିଛି ବିଜେପି। ହେଲେ ଏବେ ସମସ୍ତଙ୍କ ନଜର ଉପାଧ୍ୟକ୍ଷ ଆସନ ଉପରେ। ଏଥିରେ ଯଦିଓ ପରୋକ୍ଷ ନିର୍ବାଚନ ହେବ ଅର୍ଥାତ୍‌ କାଉନସିଲରମାନେ ଉପାଧ୍ୟକ୍ଷ ନିର୍ବାଚନରେ ଭାଗ ନେବେ, କିନ୍ତୁ ସେମାନେ କାହାକୁ ଭୋଟ ଦେଲେ ତାହା ଭୋଟ ଦେବା ପରେ ତାଙ୍କ ଦଳ ତରଫରୁ ସେଠାରେ ନିଯୁକ୍ତ ହୋଇଥିବା ପ୍ରତିନିଧିଙ୍କୁ ଦେଖାଇବେ ବୋଲି ନିୟମ କରାଯାଇଛି। ଯେଉଁଥି ପାଇଁ ଏଥିରେ ଘୋଡ଼ାବେପାରର ଆଶଙ୍କା ଆଦୌ ରହିବ ନାହିଁ। ତେବେ ବାଲେଶ୍ବରର ୩ ପୌରପାଳିକା ଓ ୨ ଏନ୍‌ଏସିରୁ ନିର୍ବାଚିତ ହୋଇଥିବା କାଉନସିଲର ସଂଖ୍ୟାକୁ ଦେଖିଲେ ପୌରାଧ୍ୟକ୍ଷ ଭଳି ଉପାଧ୍ୟକ୍ଷ ଆସନ ସୋରକୁ ବାଦ୍‌ ଦେଇ ବିଜେଡି ଅନ୍ୟ ସବୁ ଆସନ ଦଖଲ କରିବ ବୋଲି ସ୍ପଷ୍ଟ ଜଣାପଡ଼ିଛି। ଅନ୍ୟପକ୍ଷରେ କେଉଁଠି କିଏ ‌ପୌରାଧ୍ୟକ୍ଷ ଆସନରେ ବସିବେ ତାକୁ ନେଇ ରାଜନୈତିକ ଉଷ୍ମତା ବଢ଼ିଯାଇଛି।

ବାଲେଶ୍ବର ପୌରପାଳିକାରେ ୩୧ଟି ୱାର୍ଡରୁ ୧୮ଟି ଆସନ ବିଜେଡି, ୯ଟି ବିଜେପି ଏବଂ ୪ଟି ସ୍ବାଧୀନ ଓ ବିଜେଡି ବିଦ୍ରୋହୀ ସ୍ବାଧୀନ ହାତକୁ ଯାଇଛି। ପୌର ଉପାଧ୍ୟକ୍ଷ ପଦ ପାଇଁ ମ୍ୟାଜିକ ସଂଖ୍ୟା ୧୬ ହୋଇଥିବା ବେଳେ ସର୍ବାଧିକ ୧୮ଟି ଆସନ ହାତେଇଥିବା ବିଜେଡି ଖାତାକୁ ଉପାଧ୍ୟକ୍ଷ ପଦବି ଯିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ପୌର ଉପାଧ୍ୟକ୍ଷ ପଦବି ପାଇଁ ଦଳ ତରଫରୁ ୫ ଜଣ ଟାଣୁଆ ନେତାଙ୍କ ନାମ ସାମ୍ନାକୁ ଆସିଥିବା ଓ ସେମାନେ ନିଜ ସପକ୍ଷରେ ଜୋର୍ ଲଗାଇ ଦେଇଥିବାରୁ ଦଳ କାହାକୁ ପ୍ରାର୍ଥୀ କରିବ, ତାକୁ ନେଇ ବରିଷ୍ଠ ନେତୃତ୍ବ ଚିନ୍ତାରେ ପଡ଼ିଯାଇଛନ୍ତି। ସେମାନେ ହେଲେ ୨ନଂ ୱାର୍ଡର କାଉନସିଲର ଅମିତ ନାୟକ, ୧୪ନଂ ୱାର୍ଡରୁ କୈଳାସ ସେଠୀ, ୨୬ନଂ ୱାର୍ଡର କାଉନସିଲର ଆୟୁବ ଖାନ୍‌, ୨୯ନଂ ୱାର୍ଡର କାଉନସିଲର କାର୍ତ୍ତିକ ସାହୁ ଏବଂ ୨୨ ନମ୍ବର ୱାର୍ଡର କାଉନସିଲର ଦେବାଶିଷ ସିଂ। ଜଳେଶ୍ବର ପୌରପାଳିକାରେ ୧୭ଟି ୱାର୍ଡରୁ ବିଜେଡି ୧୨ଟି, ବିଜେପି ୪ଟି ଏବଂ କଂଗ୍ରେସ ଗୋଟିଏ ଆସନରେ ଜିତିଥିବା ବେଳେ ଏଠାରେ ବିଜେଡିରୁ ୪ନଂ ୱାର୍ଡରେ ନିର୍ବାଚିତ ହୋଇଥିବା କାଉନସିଲର ପୁଷ୍ପାପ୍ରିୟା ମହାନ୍ତିଙ୍କ ନାଁ ଉପାଧ୍ୟକ୍ଷ ପଦ ପାଇଁ ସୁପାରିସ ହୋଇଥିବା ଚର୍ଚ୍ଚା ହେଉଛି। ସୋର ପୌରପାଳିକାର ୧୯ଟି ୱାର୍ଡରୁ ବିଜେପି ଏକାକୀ ୧୨ଟି ଆସନ ଜିତିଥିବା ବେଳେ ବିଜେଡି ୪ଟି ଓ କଂ‌ଗ୍ରେସ ୩ଟି ଆସନରେ ଜିତିଛନ୍ତି।

ଏଠାରେ ପୌରାଧ୍ୟକ୍ଷ ପଦ ବିଜେପି ହାତକୁ ଯାଇଥିବା ବେଳେ ଦଳ ସମର୍ଥନରେ କାଉନସିଲରଙ୍କ ସଂଖ୍ୟା ମ୍ୟାଜିକ ସଂଖ୍ୟା ୧୦ରୁ ଅଧିକ ଥିବାରୁ ଉପାଧ୍ୟକ୍ଷ ପଦ ମଧ୍ୟ  ବିଜେପି ହାତକୁ ଯିବ ବୋଲି ଜଣାଯାଇଛି। ତେବେ ଦଳ ଏହି ପଦ ପାଇଁ କାହାକୁ ଚୟନ କରିବ ସେନେଇ ଜଣାଉନଥିବା ବେଳେ ୩ନଂ ୱାର୍ଡରୁ କାଉନସିଲ ନିର୍ବାଚିତ ହୋଇଥିବା ସସ୍ମିତା ଦାସଙ୍କ ନାଁ ବେଶ ଆଲୋଚନା ହେଉଛି। ‌ଏଥିପାଇଁ ଦଳ ତରଫରୁ ସମସ୍ତ ନିର୍ବାଚିତ କାଉନସିଲରଙ୍କୁ ନେଇ ଆଜି ରୁଦ୍ଧଦ୍ବାର ବୈଠକ ଡକାଯାଇଥିବା ବେଳେ ବୈଠକରେ ଯାହା ନାଁ ନିଷ୍ପତ୍ତି ହେବ ସେ ହିଁ ପୌରାଧ୍ୟକ୍ଷ ଭାବେ ଘୋଷିତ ହେବେ। ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ଏସି)ର ୧୩ଟି ୱାର୍ଡ ରହିଥିବା ବେଳେ ଚଳିତ ନିର୍ବାଚନରେ ଏଠାରେ ପୌରାଧ୍ୟକ୍ଷ ଆସନ ବିଜେଡି ହାତକୁ ଯାଇଛି। ‌ଅନ୍ୟପକ୍ଷରେ ଦଳ ୮ଟି କାଉନସିଲର ଆସନ ହାତେଇଥିବା ବେଳେ ବିଜେପି ୩ଟି, କଂଗ୍ରେସ ଓ ସ୍ବାଧୀନ ଗୋଟିଏ ଲେଖାଏଁ ଆସନ ଜିତିଛନ୍ତି। ତେଣୁ ସଂଖ୍ୟାଗରିଷ୍ଠତା ଦୃଷ୍ଟିରୁ ଓ ମ୍ୟାଜିକ୍‌ ସଂଖ୍ୟାରୁ ଅଧିକ ଆସନ ଜିତିଥିବାରୁ ବିଜେଡି ଉପାଧ୍ୟକ୍ଷ ଆସନରେ ବସିବା ସ୍ପଷ୍ଟ ହୋଇଯାଇଛି।

ତେବେ ଦଳରୁ କାଉନସିଲର ନିର୍ବାଚିତ ହୋଇଥିବା ୫ନଂ ୱାର୍ଡର ଆଦ୍ୟାଶା ଦାସ ଓ ୪ନଂ ୱାର୍ଡର ମହେନ୍ଦ୍ର ବେହେରା ଏଥିପାଇଁ ଲବିରେ ଥିବା ବିଶ୍ବସ୍ତସୂତ୍ରରୁ ଜାଣିବାକୁ ମିଳିଛି। ସେହିପରି ୧୩ଟି ୱାର୍ଡକୁ ନେଇ ନବଗଠିତ ରେମୁଣା ଏନ୍‌ଏସିରେ ପୌରାଧ୍ୟକ୍ଷ ପଦ ମଧ୍ୟ ବିଜେଡି ହାତକୁ ଯାଇଛି। ଦଳର କାଉନସିଲର ପଦରେ ଏଠାରୁ ୧୦ଟି ଆସନ ହାତେଇଥିବା ବେଳେ ୩ଟି ଆସନରେ ବିଜେପି ଜିତିଛି। ତେବେ ଉପାଧ୍ୟକ୍ଷ ପଦ ପାଇଁ ଏଠାରୁ ୧୧ନଂ ୱାର୍ଡର କାଉନସିଲର ପାନମଣି ମୁର୍ମୁ, ୫ ନମ୍ବର ୱାର୍ଡର କାଉନସିଲର ଲକ୍ଷ୍ମୀକାନ୍ତ ଦାସ ଓ ୧୦ ନମ୍ବର ୱାର୍ଡର କାଉନସିଲର ଆୟସାନ୍‌ ଖାନ୍‌ଙ୍କ ନାଁ ଚର୍ଚ୍ଚା ହେଉଛି। ତେବେ ଉପାଧ୍ୟକ୍ଷ ପଦ ପାଇଁ ସମସ୍ତ ଆଶାୟୀଙ୍କୁ ଜିଲ୍ଲାର ବରିଷ୍ଠ ନେତୃତ୍ବ ଏବଂ ଦଳୀୟ ପର୍ଯ୍ୟବେକ୍ଷକମାନେ ବିଚାରବିମର୍ଶ କରି ଦଳୀୟ ହାଇକମାଣ୍ଡଙ୍କ ନିକଟକୁ ପଠାଯାଇଥିବା ବେଳେ ସେପଟୁ ଆସନ୍ତାକାଲି ବନ୍ଦ ଲଫାଫାରେ ଯାହା ନାମ ଆସିବ ସେ ହିଁ ସର୍ବସମ୍ମତି କ୍ରମେ ଉପାଧ୍ୟକ୍ଷ ଭାବେ ଘୋଷିତ ହେବେ।

ପୌର ଉପାଧ୍ୟକ୍ଷ ପଦ ପାଇଁ ଏପ୍ରିଲ ୭ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ସକାଳ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନପତ୍ର ଦାଖଲ, ୧୧ଟାରୁ ୧୨ଟା ସୁଦ୍ଧା ନାମାଙ୍କନ ଯାଞ୍ଚ୍‌, ଦିନ ଗୋଟେ ପୂର୍ବରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର ଓ ୧ଟା ୩୦ରୁ ୩ଟା ୩୦ ମଧ୍ୟରେ ଭୋଟ୍‌ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ମତଦାନ ଏବଂ ତାପରେ ଭୋଟଗଣତି ଓ ଫଳାଫଳ ଘୋଷଣା କରାଯିବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର