ପୌର ଭୋଟ:ଗଣନାକୁ ନେଇ ପ୍ରାର୍ଥୀଙ୍କ ହୃତକମ୍ପ, ସୁନ୍ଦରଗଡ଼ରେ ଚିତ୍ର ଅସ୍ପଷ୍ଟ

ବୀରମିତ୍ରପୁର, ରାଜଗାଙ୍ଗପୁରରେ ବିଜେଡିକୁ କଡ଼ା ଟକ୍କର

ସୁନ୍ଦରଗଡ଼: ଶନିବାର ପୌର ପରିଷଦର ଭୋଟ ଗଣତି। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି। ପୌରାଧ୍ୟକ୍ଷା ଓ କାଉନସିଲର ପ୍ରାର୍ଥୀଙ୍କ ଗଣତି ପାଇଁ ସର୍ବାଧିକ ୫ଟି ଲେଖାଏ ଟେବୁଲ ରହିବ। ପ୍ରତି ଗଣତି ଟେବୁଲରେ ଜଣେ ସୁପରଭାଇଜର, ଜଣେ ଗଣତି ସହାୟକ ଓ ଜଣେ ଚତୁର୍ଥଶ୍ରେଣୀ କର୍ମଚାରୀ ନିୟୋଜିତ ହେବେ। ପୂରା ଗଣତି ପ୍ରକ୍ରିୟାକୁ  ସିସିଟିଭି ନଜରରେ ରଖିବାକୁ ବ୍ୟବସ୍ଥା ହୋଇଛି। ତେବେ ଭୋଟ ଗଣତି ପୂର୍ବରୁ ପ୍ରାର୍ଥୀମାନଙ୍କ ହୃତକମ୍ପ ବଢ଼ିଯାଇଛି। ପ୍ରାର୍ଥୀ ଓ ଦଳଗୁଡ଼ିକ ଜୟପରାଜୟର ଅଙ୍କକଷା ଆରମ୍ଭ କରି ଦେଇଥିଲେ ମଧ୍ୟ ଭିନ୍ନ ଭିନ୍ନ ଚର୍ଚ୍ଚା ଯୋଗୁଁ ମତଦାତା କାହାକୁ ପସନ୍ଦ କରିଛନ୍ତି, କାହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସେ ନେଇ ନିଶ୍ଚିତ ହୋଇପାରୁ ନାହାନ୍ତି।

ଏହିକ୍ରମରେ ଲୋକଚର୍ଚ୍ଚା ଅନୁସାରେ,  ସୁନ୍ଦରଗଡ଼, ରାଜଗାଙ୍ଗପୁର ଓ ବୀରମିତ୍ରପୁର ପୌରପରିଷଦରୁ ଭିନ୍ନ ଭିନ୍ନ ଚିତ୍ର ଆସୁଛି। ସୁନ୍ଦରଗଡ଼ ପୌରାଧ୍ୟକ୍ଷ ଆସନ ପାଇଁ ବିଜେଡିର ରଞ୍ଜନା ପଣ୍ଡା, ବିଜେପିର ତନୟା ମିଶ୍ର, କଂଗ୍ରେସର ସସ୍ମିତା ଯୋଶୀ, ବିଜେପି ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ ନିନିମା ପଟେଲ, ସ୍ବାଧୀନ ପ୍ରାର୍ଥୀ ପଦ୍ମା ଦେବୀ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ତେବେ ବିଜେଡି–ବିଜେପି ଓ ବିଜେପି ବିଦ୍ରୋହୀ ସ୍ବାଧୀନ ମଧ୍ୟରେ ଟକ୍କର ଥିବା ବେଳେ କିଏ ବାଜି ମାରିବ ସେ ଚିତ୍ର ଏବେ ବି ଅସ୍ପଷ୍ଟ ରହିଛି। କିନ୍ତୁ କାଉନସିଲର ଆସନରେ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ଆକଳନ କରାଯାଉଛି। ସେହିପରି ବୀରମିତ୍ରପୁର ପୌରାଧ୍ୟକ୍ଷ ଆସନ ପାଇଁ ବିଜେଡିରୁ ସନ୍ଦୀପ ମିଶ୍ର, କଂଗ୍ରେସରୁ ଶଶୀ ସାଗର, ବିଜେପିରୁ ସୁନୀଳ ତିୱାରୀ, ବିଏସପିରୁ ମହେନ୍ଦ୍ର ବାଗ, ସ୍ବାଧୀନ ପ୍ରାର୍ଥୀ ଅରବିନ୍ଦ ଜୟସ୍ବାଲ ଲଢ଼େଇ କରିଥିବା ବେଳେ ଏଠାରେ ବିଜେଡି କଂଗ୍ରେସ, ବିଜେପି ସହ  କଡ଼ା ଟକ୍କରର ସମ୍ମୁଖୀନ ହୋଇଛି। ଅନ୍ୟପଟେ ରାଜଗାଙ୍ଗପୁର ପୌରାଧ୍ୟକ୍ଷ ଆସନରେ ବିଜେଡିର ମାଧୁରୀ ଲୁଗୁନ, କଂଗ୍ରେସ ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଡ. ଜୟଦେବ ଦାଶ, ବିଜେପିର କୁଲଦୀପ ସିଂ,  ସ୍ବାଧନ ପ୍ରାର୍ଥୀ  ପ୍ରଦୀପ କୁମାର ସିଂ, ହୃଷୀକେଶ ସାହୁ, ଅଜୟ କୁମାର ପାଇକରାୟ, ପୂର୍ଣ୍ଣ ରାଉତ, ପ୍ରେମ ପ୍ରକାଶ ପ୍ରସାଦ ଓ  ଜେଏମଏମର ହରେନ କୁମାର ବାଗେ ମୈଦାନରେ ଥିଲେ।

ଏଠାରେ ବିଜେଡି ଓ କଂଗ୍ରେସ ସମର୍ଥିତ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଜୋର୍ଦାର ଟକ୍କର ଥିବା ଚର୍ଚ୍ଚା ରହିଛି। ତେବେ ମତଦାତା କାହା ମୁଣ୍ଡରେ ଶିରୋପା ଭିଡ଼ିବେ ତାର ସ୍ପଷ୍ଟ ଚିତ୍ର ଗଣତି ପରେ ଜଣାପଡ଼ିଯିବ। ଏଠାରେ ସୂଚନାଯୋଗ୍ୟ, ମତଦାନର ସର୍ବଶେଷ ରିପୋର୍ଟ ଅନୁସାରେ, ଜିଲ୍ଲାର ସୁନ୍ଦରଗଡ଼ ପୌରାଞ୍ଚଳରେ ୩୮୧୦୪ରୁ ୨୨୨୮୨  ଅର୍ଥାତ ୫୮.୪୮ ପ୍ରତିଶତ ମତଦାନ ହୋଇଛି। ସେହିପରି ରାଜଗାଙ୍ଗପୁରରେ ୪୪୭୮୯ ମତଦାତାଙ୍କ ମଧ୍ୟରୁ ୨୭୦୫୦ (୬୦.୩୯  ପ୍ରତିଶତ) ଓ ବୀରମିତ୍ରପୁରରେ ୨୪୦୪୦ରୁ ୧୬୭୯୦ ( ୬୯.୮୪ ପ୍ରତିଶତ)  ମତଦାନ ହୋଇଛି।

ସମ୍ବନ୍ଧିତ ଖବର