ପୌର ନିର୍ବାଚନ ପାଇଁ ନିର୍ବାଚନ କମିସନଙ୍କ ପ୍ରସ୍ତୁତି ଚୂଡ଼ାନ୍ତ
ଆଗ ମେୟର/ଅଧ୍ୟକ୍ଷ ପଦବି ପାଇଁ ଭୋଟ୍‌ ଦେବେ ମତଦାତା
ଦୃଷ୍ଟିହୀନ ଭୋଟରଙ୍କ ପାଇଁ ବ୍ରେଲି ବାଲଟ୍ ପେପର

Advertisment

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହେବା ପରେ ପରେ ହିଁ ପୌର ନିର୍ବାଚନ ନେଇ ତାରିଖ ଘୋଷଣା ହେବ। ଏନେଇ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପଞ୍ଚାୟତ ନିର୍ବାଚନ ଭୋଟ୍‌ ଗଣତି ଶେଷ ହେବା ପରେ ନିର୍ବାଚନ କମିସନ ସର୍ବଦଳୀୟ ବୈଠକ ଡାକିବେ। ଏହାପରେ ଜିଲ୍ଲାପାଳ, ଏସ୍‌ପି, ମହାନଗର ନିଗମ କମିସନର, କମିସନରେଟ୍ ପୁଲିସର ବରିଷ୍ଠ ଅଧିକାରୀଙ୍କ ବୈଠକ ଡାକି ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା ହେବ। ମାର୍ଚ୍ଚ ଦ୍ବିତୀୟ ସପ୍ତାହ ସୁଦ୍ଧା ପୌର ନିର୍ବାଚନ ନେଇ ତାରିଖ ଘୋଷଣା ହେବ। ଏପ୍ରିଲ ଦ୍ବିତୀୟ/ତୃତୀୟ ସପ୍ତାହରେ ଭୋଟ୍ ହେବ ବୋଲି ଜଣାପଡ଼ିଛି।

ରାଜ୍ୟ ନିର୍ବାଚନ କମିସନ୍‌ଙ୍କ ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଛି ଯେ, ରାଜ୍ୟର ୧୦୭ଟି ପୌରସଂସ୍ଥା ଓ ୩ଟି ମହାନଗର ନିଗମର ମୋଟ ୪୫୮୪ଟି ବୁଥ୍‌ରେ ଇଭିଏମ୍‌ ମାଧ୍ୟମରେ ଭୋଟ ଗ୍ରହଣ କରାଯିବ। ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ପୌରସଂସ୍ଥା ନିର୍ବାଚନରେ ନୋଟା ବ୍ୟବହାର ହେବ। ବାଲାଟ୍‌ ପେପରର ସବାଶେଷରେ ନୋଟା ବଟନ୍‌ ରହିବ। ନିର୍ବାଚନ ମଇଦାନରେ ଭୋଟରଙ୍କ ମନପସନ୍ଦର ପ୍ରାର୍ଥୀ ନଥିଲେ ଭୋଟରମାନେ ନୋଟା ବ୍ୟବହାର କରିପାରିବେ।

ପୌର ନିର୍ବାଚନ ପାଇଁ ପ୍ରତ୍ୟେକ ବୁଥ୍‌ରେ ଦୁଇଟି ଲେଖାଏଁ ଇଭିଏମ୍‌ ରହିବ। ସେଥିରୁ ଗୋଟିଏ କର୍ପୋରେଟର/କାଉନସିଲର ନିର୍ବାଚନ ପାଇଁ ଏବଂ ଅନ୍ୟଟି ଅଧ୍ୟକ୍ଷ/ମେୟର ନିର୍ବାଚନ ପାଇଁ ବ୍ୟବହୃତ ହେବ। କର୍ପୋରେଟର/କାଉନ୍‌ସିଲର ପ୍ରାର୍ଥୀଙ୍କ ପାଇଁ ଗୋଲାପି ରଙ୍ଗର ବାଲଟ୍‌ ପେପର ଓ ଅଧ୍ୟକ୍ଷ/ମେୟର ପ୍ରାର୍ଥୀଙ୍କ ପାଇଁ ହଳଦିଆ ରଙ୍ଗର ବାଲଟ୍‌ ପେପର ବ୍ୟବହାର ହେବ। ଏତଦ୍‌ବ୍ୟତୀତ ଭୋଟରଙ୍କ ସୁବିଧା ନିମନ୍ତେ କର୍ପୋରେଟର/କାଉନ୍‌ସିଲର ପ୍ରାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ଇଭିଏମ୍‌ ଉପରେ ଗୋଲାପି ରଙ୍ଗର ଗୋଲ୍‌ ଷ୍ଟିକର ଓ ଅଧ୍ୟକ୍ଷ/ମେୟର ପ୍ରାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ଇଭିଏମ୍‌ ଉପରେ ହଳଦିଆ ରଙ୍ଗର ଗୋଲ୍‌ ଷ୍ଟିକର ଲଗାଯିବ। ଏହା ଦ୍ୱାରା କେଉଁ ପ୍ରାର୍ଥୀଙ୍କୁ କେଉଁ ଇଭିଏମ୍‌ରେ ଭୋଟ ଦେବାକୁ ହେବ, ତାହା ସହଜରେ ଭୋଟରମାନେ ଜାଣିପାରିବେ। ପ୍ରତ୍ୟେକ ବୁଥ୍‌ ମଧ୍ୟରେ ମତଦାନ କରିବା ନିମନ୍ତେ ଦୁଇଟି ମତଦାନ ପ୍ରକୋଷ୍ଠ ରହିବ। ପ୍ରଥମେ ଭୋଟରମାନେ ପ୍ରଥମ ପ୍ରକୋଷ୍ଠକୁ ଯାଇ ଅଧ୍ୟକ୍ଷ/ମେୟର ପଦବି ନିମନ୍ତେ ଥିବା ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇ ଦ୍ୱିତୀୟ ପ୍ରକୋଷ୍ଠକୁ ଯିବେ। ସେଠାରେ କର୍ପୋରେଟର/କାଉନ୍‌ସିଲର ପଦବି ନିମନ୍ତେ ଥିବା ପ୍ରାର୍ଥୀଙ୍କୁ ଭୋଟ୍‌ ଦେବେ ବୋଲି ନିର୍ବାଚନ କମିସନ ନିଷ୍ପତ୍ତି ନେଇଛନ୍ତି। ସେହିପରି ପୌର ନିର୍ବାଚନରେ ଦୃଷ୍ଟିହୀନ ଭୋଟରଙ୍କ ପାଇଁ ବ୍ରେଲି ବାଲଟ ପେପର ବ୍ୟବସ୍ଥା କରାଯାଇଛି।

ସୂଚନାଯୋଗ୍ୟ ଯେ, ଏଥର ଇଭିଏମ୍‌ରେ ଭୋଟ୍‌ ହେଉଥିବାରୁ ସମସ୍ତ ଜିଲ୍ଲାରୁ କିଛିକିଛି କର୍ମଚାରୀଙ୍କୁ ତାଲିମ୍ ଦିଆଯାଇଛି। ସେମାନେ ବାକି କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବେ। ସବୁ ଜିଲ୍ଲାକୁ ଇଭିଏମ୍‌ ଓ ନିର୍ବାଚନ ସରଞ୍ଜାମ ପଠାସରିଛି। ରାଜ୍ୟ ନିର୍ବାଚନ କମିସନ ୱାର୍ଡ ପୁନର୍ଗଠନ, ବୁଥ୍‌ ଓ ଭୋଟର ତାଲିକା ପ୍ରସ୍ତୁତି ଇତ୍ୟାଦି କାର୍ଯ୍ୟକୁ ଅନୁମୋଦନ କରିସାରିଥିବାରୁ ଏବେ କେବଳ ଆନୁଷ୍ଠାନିକ ଭାବେ ନିର୍ବାଚନ ତାରିଖ ଘୋଷଣା ବାକି ଅଛି।