କରୋନା ବଢ଼ିଲେ କି କମିଲେ ନିର୍ବାଚନ ପ୍ରଭାବିତ ହେବନି
ଖୁବ୍‌ ଶୀଘ୍ର ବୁଥ୍‌ରେ ପ୍ରକାଶ ପାଇବ ଭୋଟର ତାଲିକା

Advertisment

ଭୁବନେଶ୍ୱର : ଫେବ୍ରୁଆରି ୨୮ ସୁଦ୍ଧା ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ସରିବ। ଏହା ପରେ ପରେ ରାଜ୍ୟରେ ପୌର ନିର୍ବାଚନ ହୋଇପାରେ। ଆସନ୍ତା ଏପ୍ରିଲ ମାସରେ ପୌର ନିର୍ବାଚନ କରିବାକୁ ରାଜ୍ୟ ସରକାର ଓ ରାଜ୍ୟ ନିର୍ବାଚନ କମିସନର ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ନିର୍ବାଚନ କମିସନର ଜାନୁଆରି ଶେଷ ସୁଦ୍ଧା ପୌରାଞ୍ଚଳରେ ଭୋଟର ତାଲିକା ସଂଶୋଧନ ନେଇ ବିଜ୍ଞପ୍ତି ପ୍ରକାଶ କରିବେ। ଏବେ ସବୁ ପୌରାଞ୍ଚଳରେ ବୁଥ୍‌ ଚୟନ ପ୍ରକ୍ରିୟା ଚାଲିଥିବା ବେଳେ ଏହାର ତାଲିକା ଦିନେ ଦୁଇ ଭିତରେ ରାଜ୍ୟ ନିର୍ବାଚନ କମିସନଙ୍କୁ ମିଳିବ। ଅପରପକ୍ଷେ ମେୟର ଓ ପୌରାଧ୍ୟକ୍ଷ ପଦବି ପାଇଁ ନଗର ଉନ୍ନୟନ ବିଭାଗ ଯେଉଁ ଚିଠା ସଂରକ୍ଷଣ ତାଲିକା ପ୍ରକାଶ କରିଛି ସେନେଇ ଜାନୁଆରି ୨୬ ସୁଦ୍ଧା ଅଭିଯୋଗ ଓ ପ୍ରସ୍ତାବ ଗ୍ରହଣ କରାଯିବ। ଏହାପରେ ଦିନେ ଦୁଇ ଦିନ ଭିତରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇବ। ପୂର୍ବରୁ ବିଭିନ୍ନ ୱାର୍ଡର ସଂରକ୍ଷଣ ତାଲିକା ପ୍ରକାଶ ପାଇଥିବାରୁ ମେୟର ଓ ପୌରାଧ୍ୟକ୍ଷ ପଦବି ନେଇ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ କରିବା ପରେ ରାଜ୍ୟ ସରକାରଙ୍କ ନିର୍ବାଚନ ପ୍ରସ୍ତୁତି କାମ ଶେଷ ହେବ। ଏହାପରେ ରାଜ୍ୟ ନିର୍ବାଚନ କମିସନଙ୍କ କାମ ଆରମ୍ଭ ହେବାକୁ ଥିବାରୁ ଜାନୁଆରି ଶେଷରେ ହିଁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବ।

publive-image

ରାଜ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ପଞ୍ଚାୟତ ନିର୍ବାଚନ ପରେ ପରେ ପୌର ନିର୍ବାଚନ କରିବାକୁ ଆମେ ପ୍ରସ୍ତୁତି କରୁଛୁ। ତେଣୁ ରାଜ୍ୟ ସରକାର ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଦାଖଲ କରିବା ପରେ ପରେ ହିଁ ଆମେ ବୁଥ୍‌ ଅନୁସାରେ ଭୋଟର ତାଲିକା ପ୍ରକାଶ କରିବୁ। କିଛି ଜିଲ୍ଲାକୁ ଇଭିଏମ୍‌ ମେସିନ୍ ପଠାଯାଇଥିବାବେଳେ ଖୁବ୍‌ ଶୀଘ୍ର ସବୁ ଜିଲ୍ଲାକୁ ଆବଶ୍ୟକ ଇଭିଏମ୍‌ ମେସିନ୍ ସହ ନିର୍ବାଚନରେ ବ୍ୟବହାର ହେବାକୁ ଥିବା ସାମଗ୍ରୀ ପଠାଇବୁ। ବିଭିନ୍ନ ରାଜନୈତିକ ଦଳ ସହ ପ୍ରଥମ ପର୍ଯ୍ୟାୟ ବୈଠକ ହେବ, ରାଜନୈତିକ ଦଳ ପକ୍ଷରୁ ମିଳିଥିବା ପ୍ରସ୍ତାବ ଓ ଅଭିଯୋଗକୁ ବିଚାର କରି ପଦକ୍ଷେପ ନିଆଯିବ। ଆଦର୍ଶ ଆଚରଣ ବିଧି ଲାଗୁ ହେଲେ ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ କ’ଣ କରିବାକୁ ହେବ ସେନେଇ ବି ଗାଇଡଲାଇନ୍ ଜାରି ହେବ, ନିର୍ବାଚନୀ ଚିହ୍ନ, ଜିଲ୍ଲାପାଳ, ଏସ୍‌ପି ଓ ମହାନଗର ନିଗମ କମିସନରମାନଙ୍କ ପ୍ରସ୍ତୁତି ନେଇ ସମୀକ୍ଷା ହେବ। ଶେଷରେ ରାଜନୈତିକ ଦଳ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ସହ ଚୂଡ଼ାନ୍ତ ବୈଠକ ବସିବା ପରେ ନିର୍ବାଚନ ତାରିଖ ଘୋଷଣା ହେବ। ବର୍ତ୍ତମାନ ପରିସ୍ଥିତିରେ ଏପ୍ରିଲ ଶେଷ ସୁଦ୍ଧା ହିଁ ପୌର ନିର୍ବାଚନ କରିବାକୁ ଯୋଜନା ହୋଇଛି। କୋଭିଡ ବଢ଼ିଲେ କି କମିଲେ ନିର୍ବାଚନ ବନ୍ଦ ହେବାର ସମ୍ଭାବନା ନାହିଁ। ତେଣୁ ଏବେ ଆମେ ଯେଉଁ ଅନୁସାରେ ପ୍ରସ୍ତୁତି କରୁଛୁ ସେଥିରେ ନିର୍ବାଚନ ବିଳମ୍ବ ହେବାର ସମ୍ଭାବନା ନାହିଁ।

ଫେବ୍ରୁଆରି ୨୮ ତାରିଖ ପର୍ଯ୍ୟନ୍ତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାବେଳେ ଏହା ପରେ ପରେ ପରୋକ୍ଷ ନିର୍ବାଚନ ଅଛି। ମାର୍ଚ୍ଚ ୧୧ରେ ନାଏବ ସରପଞ୍ଚ, ୧୨ରେ ପଞ୍ଚାୟତ ସମିତି ଅଧ୍ୟକ୍ଷ, ୧୩ରେ ଜିଲ୍ଲା ପରିଷଦ ସଭାପତି, ୨୩ରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ, ୨୫ରେ ଜିଲ୍ଲା ପରିଷଦ ଉପସଭାପତି ପାଇଁ ନିର୍ବାଚନ ହେବ। ତେଣୁ ଏହି ସବୁ ନିର୍ବାଚନ ସରିବା କ୍ଷଣି ପୌର ନିର୍ବାଚନ ନେଇ ଆଦର୍ଶ ଆଚରଣ ବିଧି ଲାଗୁ ହେବ। ଏପ୍ରିଲ ଶେଷ ସପ୍ତାହରୁ ପୌର ନିର୍ବାଚନ ନେଇ ମତଦାନ ପ୍ରକ୍ରିୟା ହୋଇପାରେ। ଏଥର ତିନିରୁ ପାଞ୍ଚଟି ପର୍ଯ୍ୟାୟରେ ନିର୍ବାଚନ କରିବାକୁ ବିଚାର ଆଲୋଚନା ଚାଲିଛି।