ରାୟଗଡ଼ା: ରାୟଗଡ଼ା ପୌର ପରିଷଦରେ ପୁଣି ସଫଳତା ଦୋହରାଇଛି ବିଜେଡି। ଦଳୀୟ ଅଧ୍ୟକ୍ଷ ପ୍ରାର୍ଥୀ ପି. ମହେଶ ପଟ୍ଟନାୟକ ୬୨୪୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଏଥି ସହିତ ଦଳ ୨୪ରୁ ୨୧ଟି ୱାର୍ଡ ପୋଛି ନେଇଛି। ସେହିପରି ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ମଧ୍ୟ ଦଳ ବାଜିମାତ୍ କରିଛି। ଗୁଡାରିର ସମସ୍ତ ୧୧ଟି ୱାର୍ଡରେ ଦଳୀୟ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ପୌରାଧ୍ୟକ୍ଷା ପ୍ରାର୍ଥୀ ସରିମିତା ଶବର ୫୮୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।
ରାୟଗଡ଼ା ପୌର ପରିଷଦର ୨୪ଟି ୱାର୍ଡ ମଧ୍ୟରୁ ୮, ୧୨ ନଂ ୱାର୍ଡ ବିଜେପି ଖାତାକୁ ଯାଇଛି। ୧୨ ନଂ ୱାର୍ଡରେ କେବଳ ଗୋଟିଏ ଭୋଟରେ ବିଜେଡିର ବରିଷ୍ଠ ନେତ୍ରୀ ସୁଜାତା ପାଳଙ୍କୁ ହରାଇ ବିଜେପି ପ୍ରାର୍ଥିନୀ ଏ. ବାଣିଶ୍ରୀ ବିଜୟୀ ହୋଇଛନ୍ତି। ବିଜେପି ପ୍ରାର୍ଥିନୀ ବାଣିଶ୍ରୀଙ୍କୁ ୪୬୫ ଏବଂ ବିଜେଡି ପ୍ରାର୍ଥିନୀ ସୁଜାତାଙ୍କୁ ୪୬୪ଟି ଭୋଟ ମିଳିଥିଲା। କଂଗ୍ରେସ ପ୍ରାର୍ଥୀ କେବଳ ଗୋଟିଏ ୨୪ ନଂ ୱାର୍ଡରେ ବିଜୟୀ ହେବାରେ ସକ୍ଷମ ହୋଇଛନ୍ତି। ଅନ୍ୟ ସମସ୍ତ ୨୧ଟି ୱାର୍ଡରେ ବିଜେଡି ପ୍ରାର୍ଥୀ ବହୁ ଭୋଟ ବ୍ୟବଧାନରେ ନିକଟତମ ପ୍ରତିଦ୍ବନ୍ଦୀକୁ ପରାଜିତ କରିଛନ୍ତି। ମତଦାନ ପରେ ରାୟଗଡ଼ା ପୌରାଧ୍ୟକ୍ଷ ପଦବିକୁ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଥିଲା। କିନ୍ତୁ ସବୁର ଅନ୍ତ ଘଟାଇ ମତଦାନ ହୋଇଥିବା ୩୩୫୦୨ ଭୋଟ ମଧ୍ୟରୁ ବିଜେଡି ପ୍ରାର୍ଥୀ ମହେଶ ପଟ୍ଟନାୟକ ୧୪ ହଜାର ୪୪୫ ଭୋଟ ପାଇଛନ୍ତି।
ଦ୍ବିତୀୟ ସ୍ଥାନରେ ଥିବା ବିଜେପି ପ୍ରାର୍ଥୀ ପଦ୍ମନାଭ ଦାଶ ୮୨୦୨, ତୃତୀୟ ସ୍ଥାନରେ ଥିବା କଂଗ୍ରେସ ପୌରାଧ୍ୟକ୍ଷ ପ୍ରାର୍ଥୀ ଆପଲାସ୍ୱାମୀ କାଡ୍ରକା ୭୪୮୮ ଭୋଟ ପାଇଛନ୍ତି। ବିଜେପି ପ୍ରାର୍ଥୀ ଶ୍ରୀ ଦାଶଙ୍କୁ ୬୨୪୩ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜେଡି ପ୍ରାର୍ଥୀ ମହେଶ ପଟ୍ଟନାୟକ ବିଜୟୀ ହୋଇଥିବା ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି। ପୌରାଧ୍ୟକ୍ଷ ପାଇଁ ନିର୍ବାଚନ ଲଢ଼ିଥିବା ସ୍ବାଧୀନ ପ୍ରାର୍ଥୀ ବି. ଗଙ୍ଗାଧର ୧୬୯, ଆପର ଜନ୍ମେଜୟ ସ୍ୱାଇଁ ୩୦୯, ସିପିଏମର ଦୋରା କଣ୍ଡାଗିରି ୨୨୫, ସ୍ବାଧୀନ ପ୍ରାର୍ଥୀ ଇ. ବାବୁରାଓ ୨୦୪, ମମତା ମାଝି ୨୯୨, ରାମ ଭତ୍ରା ୧୪୧, ଶିବାଜୀ ଦାସ ୧୦୮୪, ଜି. ସତୀଶ କୁମାର ୩୮୨, ସଦାଶିବ ତ୍ରିପାଠୀ ୨୩୩ ଭୋଟ ପାଇଛନ୍ତି। ୩୫୧ ଭୋଟ ନୋଟାକୁ ଯାଇଛି।
ପୂର୍ବରୁ ୨ ନଂ ୱାର୍ଡର ବିଜେଡି ପ୍ରାର୍ଥିନୀ ମମତା ମାଣ୍ଡାଙ୍ଗି ଅପ୍ରତିଦ୍ୱନ୍ଦୀ ଭାବେ ବିଜୟୀ ହୋଇଥିଲେ। ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ବିଜୟୀ ପରେ ସମସ୍ତ କାଉନସିଲର ଓ ପୌରାଧ୍ୟକ୍ଷ ପ୍ରାର୍ଥୀ ମହେଶ ପଟ୍ଟନାୟକ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ବାସ ଭବନରେ ପହଞ୍ଚିଥିଲେ। ଶ୍ରୀ ରାଓ ବିଜୟୀ ପ୍ରାର୍ଥିୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଏହି ବିଜୟର ଶ୍ରେୟ ରାୟଗଡ଼ା ସହରବାସୀଙ୍କର ବୋଲି କହିଥିଲେ। ବିକାଶ ପାଇଁ ବିଜୟୀ ପ୍ରାର୍ଥୀମାନେ ସକ୍ରିୟ ହୋଇ ଉନ୍ନୟନମୂଳକ କାମ କରି ନବୀନ ସରକାରଙ୍କ ବିକାଶ ଧାରାକୁ ଆଗକୁ ନେବାକୁ ଶ୍ରୀ ରାଓ ଆହ୍ବାନ ଦେଇଥିଲେ।
ଗୁଡାରିରେ ବିଜେଡି ପୌରାଧ୍ୟକ୍ଷା ପ୍ରାର୍ଥିନୀ ସରିମିତା ଶବର ୫୮୯ ଭୋଟରେ ବିଜେପିକୁ ପଛରେ ପକାଇ ବିଜୟୀ ହୋଇଛନ୍ତି। ସରିମିତା ୨୦୪୪, ବିଜେପି ପ୍ରାର୍ଥିନୀ ଅଞ୍ଜଳି ବିଡିକା ୧୪୫୫ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥିନୀ ନିରୁପମା ଶବର ୨୧୯, ସିପିଆଇ ପ୍ରାର୍ଥୀ ମମତା ଶବର ୧୩୮ ଭୋଟ ପାଇଛନ୍ତି। ଅନ୍ୟପକ୍ଷରେ ଗୁଡାରିର ୧୧ଟି ୱାର୍ଡକୁ ବିଜେଡି ଦଖଲକୁ ନେଇଥିବା ବେଳେ ଗୋଟିଏ ବି ୱାର୍ଡକୁ ବିରୋଧୀ କଂଗ୍ରେସ, ବିଜେପି ନେବାରେ ସକ୍ଷମ ହୋଇପାରିନାହାନ୍ତି।