ଅତ୍ୟାବଶ୍ୟକ ସେବା ଆଇନ୍‌ ଲାଗୁ କଲା ଗୃହ ବିଭାଗ : ୬ ମାସ ପାଇଁ ଆନ୍ଦୋଳନ କରିପାରିବେନି ଠିକା ସଫେଇ ସଂସ୍ଥା

ଭୁବନେଶ୍ବର : ଆସନ୍ତା ୬ ମାସ ପାଇଁ ସମସ୍ତ ପୌରାଞ୍ଚଳରେ ସଫେଇ କାର୍ଯ୍ୟରେ ନିୟୋଜିତ ଥିବା କୌଣସି ବି ଠିକା ସଂସ୍ଥା ଆନ୍ଦୋଳନ କରିପାରିବେ ନାହିଁ। କରୋନା ସ୍ଥିତିର ମୁକାବିଲା ପାଇଁ ଆଜି ଗୃହ ବିଭାଗ ପକ୍ଷରୁ ଏପରି କଡ଼ାକଡ଼ି ନିର୍ଦ୍ଦେଶନାମା ଜାରି କରାଯାଇଛି। ସହରାଞ୍ଚଳରେ ସଫା କରୁଥିବା ଠିକା ସଂସ୍ଥା କିମ୍ବା ଅସ୍ଥାୟୀ ସଫେଇ କର୍ମଚାରୀଙ୍କ ପାଇଁ ଅତ୍ୟାବଶ୍ୟକ ସେବା (ରକ୍ଷଣାବେକ୍ଷଣ) ଆଇନ ଲାଗୁ କରାଯାଇଛି।

ଶନିବାର ଗୃହ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ଜାରି କରିଥିବା ନିର୍ଦ୍ଦେଶନାମା ଅନୁଯାୟୀ, ରାଜ୍ୟରେ ଥିବା ପ୍ରାୟ ସମସ୍ତ ପୌରସଂସ୍ଥାମାନେ ଠିକା ସଫେଇ କର୍ମଚାରୀ କିମ୍ବା ସଂସ୍ଥାଙ୍କ ସମୟ ସମୟରେ ଆନ୍ଦୋଳନ କିମ୍ବା ଆନ୍ଦୋଳନ ଧମକ ଯୋଗୁଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫଳରେ ସହରର ପରିମଳ ବ୍ୟବସ୍ଥା ରକ୍ଷଣାବେକ୍ଷଣ କରିବାରେ ନାନା ଅସୁବିଧା ସୃଷ୍ଟି ହେଉଛି। ଯାହା ଜନସ୍ବାର୍ଥ ବିରୋଧୀ। ଏପରିକି ପିଇବା ପାଣି ଯୋଗାଣରେ ନିୟୋଜିତ ଅସ୍ଥାୟୀ କର୍ମଚାରୀମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଉଛନ୍ତି। ଫଳରେ ସାଧାରଣ ସେବା ବ୍ୟାହତ ହେଉଛି।

ରାଜ୍ୟ ସରକାର କରୋନା ସ୍ଥିତବିଲା କରିବା ପାଇଁ ବିଭିନ୍ନ ସତର୍କତାମୂଳକ ଆଗୁଆ ପଦକ୍ଷେପ ନେଇଛନ୍ତି। ଏଭଳି ସମୟରେ ପୌରାଞ୍ଚଳରେ ସଫେଇ ଓ ପିଇବା ପାଣି ଦାୟିତ୍ବରେ ଥିବା ସଂସ୍ଥା କିମ୍ବା କର୍ମଚାରୀଙ୍କ ଆନ୍ଦୋଳନ, ଧାରଣା କିମ୍ବା ଚେତାବନୀକୁ ଆଦୌ ବରଦାସ୍ତ କରାଯିବନି। ଏହାସହିତ ପିଏଚ୍‌ଇଓ, ଓଡବ୍ଲ୍ୟୁଏସ୍‌ଏସ୍‌ବି ଏବଂ ଓ୍ବାଟ୍‌କୋ ସଂସ୍ଥା ସହରାଞ୍ଚଳରେ ଅତ୍ୟାବଶ୍ୟକ ସେବା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ତେଣୁ ଏସବୁ ସେବା ଯୋଗାଉଥିବା ସଂସ୍ଥାମାନେ ଆନ୍ଦୋଳନ କଲେ ଅତ୍ୟାବଶ୍ୟକ ସେବା (ରକ୍ଷଣାବେକ୍ଷଣ) ଆଇନ୍‌ ୧୯୮୮ ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶନାମାରେ ସ୍ପଷ୍ଟ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର