ଝୁଲି ରହିଲା ‌ପୌର ନିର୍ବାଚନ : ୧୦୧ ପୌରପାଳିକା ଭାଗ୍ୟ ପ୍ରଶାସକଙ୍କ ହାତରେ

ଆଇନରେ ସଂଶୋଧନ ପ୍ରସ୍ତାବ ଆସିଲାନି, ଚଳିତ ବର୍ଷ ନିର୍ବାଚନ ସମ୍ଭାବନା ନାହିଁ

ଭୁବନେଶ୍ବର : ପର୍ଯ୍ୟାୟକ୍ରମେ ୧୦୧ ପୌରପାଳିକାରେ ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ସରିଗଲାଣି। ପ୍ରଶାସକଙ୍କ ହାତ‌େର ‌େପୗରସଂସ୍ଥାର ଭାଗ୍ୟ ଛାଡ଼ି ଦିଆଯାଇଛି। ପୌର ନିର୍ବାଚନ ଉପରୁ ଆଇନଗତ ପ୍ରତିବନ୍ଧକ ହଟିଯାଇଥିଲେ ବି ସରକାରୀ ପ୍ରକ୍ରିୟା ଶିଥିଳ ହୋଇପଡ଼ିଛି। ଫଳରେ ଚଳିତ ବର୍ଷ ନିର୍ବାଚନ ହେବାର ସମ୍ଭାବନା ନାହିଁ। ତେଣୁ ବିନା ନିର୍ବାଚିତ ପ୍ରତିନିଧିରେ କେତେ ଦିନ ପ୍ରଶାସକମାନେ ଶାସନ ଡୋରି ସମ୍ଭାଳିବେ, ତାହା ଏବେ ସହରାଞ୍ଚଳ ଲୋକଙ୍କ ପାଇଁ ବଡ଼ ପ୍ରଶ୍ନ।

ପ୍ରଚଳିତ ଆଇନ‌େର ଥିବା ବ୍ୟବସ୍ଥା ଅନୁଯାୟୀ ଵାର୍ଡ ସ୍ତରରେ ଯେଉଁ ସ˚ରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଛି, ‌ସେଥିରେ ସଂରକ୍ଷଣର ପରିମାଣ ୫୦%ରୁ ଅଧିକ ହେଉଛି। ଏ ନେଇ ମାମଲା ହେବାରୁ ହାଇକୋ‌ର୍ଟ ୫୦ ପ୍ରତିଶତ ଭିତରେ ସଂରକ୍ଷଣ ବ୍ୟବସ୍ଥା ସୀମିତ ରଖିବାକୁ ନିର୍ଦ୍ଦେଶ ଦେଲେ। ସରକାର ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ବି ହାଇକୋର୍ଟଙ୍କ ରାୟ ବଳବତ୍ତର ରହିଲା। ତାହା ପରେ ସରକାର ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ୍‌ ଦାଖଲ କରିଥିଲେ। ସୁପ୍ରିମକୋର୍ଟ ତାହାକୁ ବି ଖାରଜ କରିଦେଇଛନ୍ତି।

୫୦% ଭିତରେ ସଂରକ୍ଷଣ ସୀମିତ ରଖିବାକୁ ସୁପ୍ରିମକୋର୍ଟ ଦେଇଥିବା ରାୟକୁ କାର୍ଯ୍ୟକାରୀ କରିବାକୁ ହେଲେ ଦୁଇଟି ଆଇନ୍‌ରେ ସଂଶୋଧନର ଆବଶ୍ୟକତା ରହିଛି। ଓଡ଼ିଶା ମ୍ୟୁନିସିପାଲ୍‌ଟି ଆକ୍ଟ, ୧୯୫୦ ଓ ଓଡ଼ିଶା ମ୍ୟୁନିସିପାଲ୍‌ କର୍ପୋରେସନ୍ ଆକ୍ଟ ୨୦୦୩ରେ ସଂଶୋଧନ ଆ‌ଣିବାକୁ ପଡ଼ିବ। କାରଣ ଏହି ଦୁଇଟି ଆଇନରେ ଥିବା ସଂରକ୍ଷଣ ବ୍ୟବସ୍ଥା ଅନୁଯାୟୀ ପୌରସଂସ୍ଥାରେ ୱାର୍ଡ ସଂରକ୍ଷଣ କରାଯାଉଛି।

ଗତ ବିଧାନସଭା ଅଧିବେଶନରେ ଏହି ଦୁଇଟି ଆଇନକୁ ସଂଶୋଧନ ପାଇଁ ପ୍ରସ୍ତାବ ଆସିବ ବୋଲି ଚର୍ଚ୍ଚା ଚାଲିଥିଲା। କିନ୍ତୁ ବିଧାନସଭାକୁ ପ୍ରସ୍ତାବ ଆସିବା ଦୂରର କଥା, କ୍ୟାବିନେଟ୍‌କୁ ବି ଆସିଲା ନାହିଁ। ଆଇନ‌େର ସଂଶୋଧନ ନ ହେବା ପର୍ଯ୍ୟନ୍ତ ନଗର ଉନ୍ନୟନ ବିଭାଗ ପକ୍ଷରୁ ସଂରକ୍ଷଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇପାରିବ ନାହିଁ। ଫଳରେ ନିର୍ବାଚନ ପ୍ରକ୍ରିୟା‌ ଏକ ପ୍ରକାର ବନ୍ଦ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ପ୍ରଚଳିତ ଆନେ‌େର ଥିବା ବ୍ୟବସ୍ଥା ଅନୁଯାୟୀ ଵାର୍ଡ ସ୍ତରରେ ଯେଉଁ ସ˚ରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଛି ସେଥିରେ କେବଳ ବିସିସି (ପଛୁଆବର୍ଗ)ଙ୍କ ପାଇଁ ୨୭% ସ˚ରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଛି। ଅନୁସୂଚିତ ଜାତି ଏବ˚ ଅନୁସୂଚିତ ଜନଜାତିଙ୍କ ପାଇଁ କେତେ ସିଟ୍‌ ସ˚ରକ୍ଷଣ ରହିବ ସେ ନେଇ ନିର୍ଦ୍ଦିଷ୍ଟ ଭାବେ ନିୟମ ନାହିଁ। ତେଣୁ ଜନସ˚ଖ୍ୟାକୁ ନଜରରେ ରଖି ଏହି ଦୁଇ ବର୍ଗ ପାଇଁ ସିଟ୍‌ ସ˚ରକ୍ଷଣ ରଖାଯାଇଥାଏ। ସେଥି ପାଇଁ ଅଧିକାଂଶ ପୌର ସ˚ସ୍ଥାରେ ୫୦ ପ୍ରତିଶତ ଉପରକୁ ସଂରକ୍ଷଣ ଟପିଯାଇଛି। କେଉଁଠି ୫୩% ଅଛି ତ କେଉଁଠି ୫୫%। ସେଥି ପାଇଁ ଆଇନଗତ ବିବାଦ ଦେଖାଦେଇଥିଲା।

ଯଦି ବିଧାନସଭାର ଆସନ୍ତା ଶୀତ ଅଧିବେଶନ ସମୟରେ ସରକାର ସଂଶୋଧନ ପ୍ରସ୍ତାବ ଆଣନ୍ତି, ତାହା ପରେ ବି ଲମ୍ବା ପ୍ରକ୍ରିୟା ରହିଛି। ବିଧାନସଭାରେ ପ୍ରସ୍ତାବଟି ପାରିତ ହେଲା ପରେ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ଯିବ। ସଂ‌େଶାଧିତ ଆଇନ ଅନୁଯାୟୀ ପୌର ସଂସ୍ଥା କର୍ତ୍ତୃପକ୍ଷ ଆସନ ସଂରକ୍ଷଣ ତାଲିକା ପ୍ରସ୍ତୁତ କରିବେ। ଏହା ସମୟ ସା‌େପକ୍ଷ। ତେଣୁ ଚଳିତ ବର୍ଷ ନିର୍ବାଚନ ହେବାର ଆଦୌ ସମ୍ଭାବନା ନାହିଁ କହିଲେ ଭୁଲ୍‌ ହେବ ନାହିଁ।

ଅପରପକ୍ଷରେ ପୌରସଂସ୍ଥାଗୁଡ଼ିକରେ ପ୍ରଶାସକ ନିଯୁକ୍ତି ପ୍ରକ୍ରିୟା ଚାଲୁ ରହିଛି। ଗତ ସେପ୍ଟମ୍ବର ମାସରୁ ବର୍ତ୍ତମାନ ମଧ୍ୟରେ ଯେତେ‌େବ‌ଳେ ଯେଉଁ ପୌର ସଂସ୍ଥାର କାର୍ଯ୍ୟକାଳ ଶେଷ ହେଉଛି, ସେଠାରେ ପ୍ରଶାସକ ନିଯୁକ୍ତି ଦିଆଯାଉଛି। ୨୦୧୮ ମସିହା ସେପ୍ଟମ୍ବର ୨୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୬୬ ପୌରସଂସ୍ଥାର କାର୍ଯ୍ୟକାଳ ଶେଷ ହୋଇଥିଲା ଓ ସେଠାରେ ପ୍ରଶାସକ ନିଯୁକ୍ତ କରାଯାଇଥିଲା। ତା’ପରେ ବିଭିନ୍ନ ପର୍ଯ୍ୟାୟରେ ଅନ୍ୟ ପୌରସଂସ୍ଥାରେ ମଧ୍ୟ ପ୍ରଶାସକ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୫ ମହାନଗର ନିଗମ, ୪୬ ପୌରପାଳିକା ଓ ୫୦ ଏନ୍‌ଏସିରେ ପ୍ରଶାସକ ନିଯୁକ୍ତି ସରିଛି। ୨ଟି ପୌରପାଳିକା ପାରାଦୀପ ଓ ବେଲପାହାଡ଼, ୧୧ଟି ଏନ୍‌ଏସି‌ ତୁସୁରା, ଧର୍ମଗଡ଼, ସୁନାବେଡ଼ା, ବାଲିମେଳା, ରଣପୁର, ଦଶପଲ୍ଲା, ରେଢ଼ାଖୋଲ, ଚମ୍ପୁଆ, ବାଲିଗୁଡ଼ା, ହିନ୍ଦୋଳ ଓ ଅତାବିରାରେ ନିର୍ବାଚିତ ପରିଷଦ କାର୍ଯ୍ୟ କରୁଛି।

ନିର୍ବାଚନ ନିର୍ଦ୍ଧାରିତ ସମୟରେ ହୋଇଥିଲେ ବିଭିନ୍ନ ପୌର ସଂସ୍ଥାର ନିର୍ବାଚନ ଭିନ୍ନ ଭିନ୍ନ ସମୟରେ ହୋଇଥା’ନ୍ତା। ଯେହେତୁ ବହୁ ସଂସ୍ଥାର କାର୍ଯ୍ୟକାଳ ଏହା ମଧ୍ୟରେ ଶେଷ ହେଲାଣି, ତେଣୁ ଏକା ସଙ୍ଗେ ବଡ଼ ଧରଣର ପୌର ନିର୍ବାଚନ ହେବାର ସମ୍ଭାବନା ରହିଛି। ତେବେ ନିର୍ବାଚନକୁ ନେଇ ସାଧାରଣ ଜନତା ଓ ରାଜନୈତିକ ମହଲରେ ସସ୍‌ପେନ୍‌ସ୍ ଜାରି ରହିଛି।

ସମ୍ବନ୍ଧିତ ଖବର