ପୌର ନିର୍ବାଚନ: ସରିଲା ପ୍ରଚାର, ଦିନକ ପରେ ନେତା ବାଛିବେ ମତଦାତା

ଭୁବନେଶ୍ବର: ରାଜ୍ୟର ୧୦୬ଟି ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌର ପାଳିକା ସମେତ ୩ଟି ମହାନଗର ନିଗମ (ଭୁବନେଶ୍ବର, କଟକ ଓ ବ୍ରହ୍ମପୁର) ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହେଇଛି। ନିର୍ବାଚନ ପ୍ରଚାରର ଅନ୍ତିମ ଦିନରେ ପ୍ରାର୍ଥୀ, ନେତା ଓ ସେମାନଙ୍କର ସମର୍ଥକମାନେ ଜୋରଦାର ପ୍ରଚାର କରିଛନ୍ତି। ସହରାଞ୍ଚଳଗୁଡ଼ିକରେ ନିର୍ବାଚନ ପ୍ରଚାର ଶବ୍ଦରେ ସାହି ଓ ବସ୍ତିଗୁଡ଼ିକ କମ୍ପି ଉଠିଛି। ଦିନକ ପରେ ଅର୍ଥାତ ମାର୍ଚ୍ଚ ୨୪ ତାରିଖରେ ଭୋଟ ଗ୍ରହଣ କରାଯିବ। ମାର୍ଚ୍ଚ ୨୬ ତାରିଖରେ ଫଳାଫଳ ପ୍ରକାଶ ପାଇବ।

ପୌର ନିର୍ବାଚନ ପାଇଁ ‌ମତଦାନ ଦିବସ ପାଖେଇ ଆସୁଥିବାରୁ ସହରର ରାଜନୀତି ସରଗରମ ହୋଇଛି । ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଡୋର ଟୁ ଡୋର କ୍ୟାମ୍ପେନିଂ କରିବା ସହିତ ରୋଡ ସୋ’ କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଆଜି ଭୁବନେଶ୍ବରସ୍ଥିତ ସହିଦ ନଗରରେ ଖାରବେଳ ସ୍ବାଇଁ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। ସହିପରି ସାଂସଦ ଅପରାଜିତ ଷଡ଼ଙ୍ଗୀ ମଧ୍ୟ ଭୁବନେଶ୍ବର ବିଧାନସଭା ନିର୍ବାଚନ ମଣ୍ଡଳୀ (ଉତ୍ତର) ଅଞ୍ଚଳରେ ପ୍ରଚାର କରିଥିବା ଜଣାଯାଇଛି। ବସ୍ତି ଠାରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ ଶାସକ ବିଜେଡି, ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଜୋରଦାର ପ୍ରଚାର କରିଛନ୍ତି। ଭୁବନେଶ୍ବର ମହାନଗର ନିଗମ ଅନ୍ତର୍ଗତ ୧୮ ନମ୍ବର ୱାର୍ଡ (ପାଣ୍ଡରା-ରସୁଲଗଡ଼-ପଳାଶୁଣୀ) ଅଞ୍ଚଳରେ ମେୟର ପ୍ରାର୍ଥୀ ସୁଲୋଚନା ଦାସ, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଯୁବନେତା ଚିତ୍ତରଂଜନ ଦାସ, ରୁଦ୍ର ପ୍ରତାପ ସାମନ୍ତରାୟ ଓ ସ୍ଥାନୀୟ କର୍ପେରେଟର ବିପ୍ଲବ ବେହେରା ବିଜେଡି ପ୍ରଚାର କରିଛନ୍ତି। ଏହି ପ୍ରଚାର ସମୟରେ ୫୦୦ରୁ ଅଧିକ ବିଜେଡି କର୍ମୀ ଓ ସମର୍ଥକ ଥିଲେ। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏକାମ୍ରରେ, ବିଧାୟକ ଅନନ୍ତ ନାରାୟଣ ଜେନା ଭୁବନେଶ୍ବର (ମଧ୍ୟ)ରେ ନିର୍ବାଚନ ପ୍ରଚାର କରିଛନ୍ତି।

ପୌରନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ରହିଥିବାବେଳେ ଆଜି ପ୍ରଚାର ଶେଷ ହୋଇଛି। ତେବେ ପ୍ରଥମେ ନାମାଙ୍କନ ପତ୍ର ଦାଖଲ ପରେ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଏହାକୁ ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ପ୍ରାଥି ତାଲିଖ ପ୍ରସ୍ତୁତ ହୋଇ ପ୍ରାଥୀଙ୍କୁ ଭୋଟ ଲାଗି ଚିହ୍ନ ଦିଆଯାଇଥିଲା। ପରେ ୧୫ ତାରିଖରୁ ସହରରେ ଆରମ୍ଭ ହୋଇଥିଲା ପ୍ରଚାର। କଟକ ସହରର ପ୍ରତ୍ୟେକ ଗଳି କନ୍ଦି ବୁଲି ପ୍ରଚାର କରିଛନ୍ତି ମେୟର ପ୍ରାଥି ଓ କର୍ପୋରେଟର ପ୍ରାଥି। କେବଳ ପ୍ରାଥି ନୁହେ ତାଙ୍କ ସହ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ଷ୍ଟାର କ୍ୟାମ୍ପେନର। ତେବେ ଆଜି ପ୍ରଚାରର ଶେଷ ଦିନରେ ତିନି ପ୍ରମୁଖ ଦଳର ମେୟର ପ୍ରାଥି, କର୍ପୋରେଟର ପ୍ରାଥୀମାନେ ଶତାଧିକ ସମର୍ଥକଙ୍କ ସହ ବିଶାଳ ଶୋଭଯାତ୍ରା ବାହାରି ସହରର ପ୍ରତ୍ୟେକ ଘର ଘର ବୁଲି ଭୋଟ ପାଇଁ ନିବେଦନ କରିଥିଲେ।

ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆଙ୍କ ସମେତ ଐଶ୍ବର୍ଯ୍ୟା ବିଜେଡି ପାଇଁ ହାସ୍ୟଭିନେତା ପୂର୍ଣ୍ଣଚନ୍ଦ୍ର, ଧାରାବାହିକ ଅଭିନେତ୍ରୀ ଛନ୍ଦିତା ବିଜେପି ପାଇଁ ଆଜି ବ୍ରହ୍ମପୁରରେ ପ୍ରଚାର କରିଛନ୍ତି। ସେହିଭଳି ଓଡ଼ିଆ ଧାରାବାହିକ ଅଭିନେତ୍ରୀ ଅଙ୍କିତା ବିଜେଡି ଦଳ ପାଇଁ ସ୍ଥାନୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। ମହାନଗର ନିଗମ ନିର୍ବାଚନ ପାଇଁ ବ୍ରହ୍ମପୁରରେ ଆଜି ଏକାଧିକ ରୋଡ ସୋ’ ମଧ୍ୟ ଦେଖିବାକୁ ମିଳିଥିଲା। କଂଗ୍ରେସ ଓ ଆମ୍‌ ଆଦମୀ ପାର୍ଟର ନେତା ଓ ସମର୍ଥକମାନେ ପ୍ରଚାର କରିଥିଲେ। ନିର୍ବାଚନ ପ୍ରଚାର ଶେଷ ହୋଇଯାଇଥିବା ବେଳେ ଆଜି ଠାରୁ ‌ନେତାମାନେ ଅନ୍ଧାରୀ ବିଜେ ପାଇଁ ଯୋଜନା ଚଳାଇଛନ୍ତି।

ସମ୍ବଲପୁର କୁଚିଣ୍ଡା ଏନଏସି ନିର୍ବାଚନ ପାଇଁ ଜୋରଦାର ମଧ୍ୟ ପ୍ରଚାର କରାଯାଇଛି । ବିଜେପି ପକ୍ଷରୁ ଷ୍ଟାର ପ୍ରଚାରକ ଭାବେ ପ୍ରଚାରର ମଙ୍ଗ ଧରିଛନ୍ତି ସେଲିବ୍ରେଟି ଏଲି ପାଢୀ । ଚେୟାରମ୍ୟାନ ପ୍ରାର୍ଥୀ ଶୁଶୀଲ କୁମାର କର, ପୂର୍ବତନ ବିଧାୟକ ରବି ନାରାୟଣ ନାଏକ ଏବଂ ସମର୍ଥକଙ୍କ ସହ ଏଲି ପାଢୀ ରୋଡ଼ ସୋ’ କରିବା ସହ ମଟରସାଇକେଲ ରାଲିରେ ସହର ପରିକ୍ରମା କରିଛନ୍ତି । ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବା ପାଇଁ ଭୋଟରଙ୍କୁ ନିବେଦନ କରିଛନ୍ତି। ପୌର ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଥିବା ବେଳେ ଭୋଟ୍ ହାତେଇବା ପାଇଁ ସବୁଦଳ ପକ୍ଷରୁ ଚାଲିଛି ପ୍ରାଣମୂର୍ଚ୍ଛା ଉଦ୍ୟମ । ତେବେ ଦେଖିବାକୁ ବାକି ରହିଲା କାହା ମୁଣ୍ଡରେ ସୁନା କଳସ ଢାଳୁଛନ୍ତି ଭୋଟର ।

ସମ୍ବନ୍ଧିତ ଖବର