ପୌର ନିର୍ବାଚନ ବିଳମ୍ବକୁ ନେଇ ହାଇକୋର୍ଟରେ ମାମଲା: ହାଇକୋର୍ଟରେ ତିନି ପୃଥକ୍‌ ମାମଲା ଦାୟର

କଟକ : ରାଜ୍ୟର ବିଭିନ୍ନ ପୌରାଞ୍ଚଳର ନିର୍ବାଚନ ବିଳମ୍ବ ପ୍ରସଂଗକୁ ନେଇ ହାଇକୋର୍ଟରେ ଆଜି ତିନିଟି ପୃଥକ ମାମଲା ଦାୟର ହୋଇଛି। ପୂର୍ବତନ ମନ୍ତ୍ରୀ ସମୀର ଦେ, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଓ ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରସନ୍ନ କୁମାର ମିଶ୍ର ତିନିଟି ପୃଥକ ମୋକଦ୍ଦମା ଦାୟର କରି କଟକ, ପୁରୀ ଓ ଭୁବନେଶ୍ବରରେ ପୌରାଞ୍ଚଳ ନିର୍ବାଚନ ପାଇଁ ତୁରନ୍ତ ବିଜ୍ଞପ୍ତି ପ୍ରକାଶ ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଉ ବୋଲି ପ୍ରାର୍ଥନା କରିଛନ୍ତି।

ରାଜ୍ୟରେ ପୌର ପରିଷଦ ନିର୍ବାଚିତ ସଦସ୍ୟଙ୍କ କାର୍ଯ୍ୟକାଳ ପୂରିବା ତିନି ବର୍ଷ ବିତିବାକୁ ବସିଥିବା ବେଳେ  ପୌର ନିର୍ବାଚନ କରାଯାଉ ନାହିଁ। ରାଜ୍ୟ ନିର୍ବାଚନ କମିସନ ନିଜ ସାମ୍ବିଧାନିକ ଦାୟିତ୍ବ ସଂପାଦନ କରିବାରେ ବିଫଳ ହୋଇଛନ୍ତି। ଯଦି ପୌର ନିର୍ବାଚନ ନିର୍ଦ୍ଧାରିତ ସମୟରେ କରିବା ପାଇଁ କିଛି ସମସ୍ୟା ରହୁଥାଏ ତେବେ ରାଜ୍ୟ ନିର୍ବାଚନ କମିସନ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇପାରିବେ। ଅନ୍ୟ ପକ୍ଷରେ ବିଭିନ୍ନ ଆଳ ଦେଖାଇ ବେଆଇନ ଭାବେ ପୌର ନିର୍ବାଚନ ବିଳମ୍ବ କରାଯାଉଛି। ଏହା ସାମ୍ବିଧାନିକ ବ୍ୟବସ୍ଥା ଓ ଗଣତନ୍ତ୍ର ପ୍ରତି ଚରମ ଅସମ୍ମାନ।

ତୁରନ୍ତ ପୌର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ରାଜ୍ୟ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ମାମଲାରେ ରାଜ୍ୟ ନିର୍ବାଚନ କମିସନ୍, ରାଜ୍ୟ ସରକାର ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ସଂଜୟ ରଥ, ସୌମିକ ସ୍ପନ୍ଦନ ତ୍ରିପାଠୀ ଓ ବିଶ୍ବରୂପା ପତି ସହଯୋଗ କରୁଛନ୍ତି।

ସମ୍ବନ୍ଧିତ ଖବର