ପୌର ନିର୍ବାଚନରେ ଆସନ ସଂରକ୍ଷଣ ଅଡ଼ୁଆ : ସୁପ୍ରିମକୋର୍ଟ ଯିବେ ରାଜ୍ୟ ସରକାର

ଭୁବନେଶ୍ୱର : ପୌର ନିର୍ବାଚନରେ ଆସନ ସଂରକ୍ଷଣ ବ୍ୟବସ୍ଥା ୫୦% ଟପିବନି ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେବାର ପ୍ରାୟ ଦେଢ଼ ମାସ ପରେ ଏହାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ସପ୍ତାହ ଏନେଇ ସ୍ୱତନ୍ତ୍ର ଲିଭ୍‌ ପିଟିସନ୍‌ ଦାଖଲ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିସନ ସଚିବଙ୍କୁ ପୌର ପ୍ରଶାସନ ନିର୍ଦ୍ଦେଶକ ଜଣାଇଛନ୍ତି।

ନଗର ଉନ୍ନୟନ ବିଭାଗ ରାଜ୍ୟର ୯୩ଟି ପୌରସଂସ୍ଥାରେ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ବେଳେ ଏଥିରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଭଟ୍ଟା ପକାଇଥିଲା। କୌଣସି ପୌର ନିର୍ବାଚନରେ ଆସନ ସଂରକ୍ଷଣ ବ୍ୟବସ୍ଥା ୫୦% ଟପିବନି ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏପଟେ ରାଜ୍ୟ ନିର୍ବାଚନ କମିସନ ନିର୍ଦ୍ଧାରିତ ସମୟରେ ନିର୍ବାଚନ କରିବାରୁ ବାରମ୍ବାର ତାଗିଦ୍‌ କରୁଛନ୍ତି। ଏପରି ସ୍ଥିତିରେ କିପରି ନିର୍ବାଚନ ହେବ ସେନେଇ ନଗର ଉନ୍ନୟନ ବିଭାଗ ଅକଳରେ ପଡ଼ିଯାଇଥିଲା। ରାଜ୍ୟ ନିର୍ବାଚନ କମିସନଙ୍କ ତାଗିଦ୍‌ ଶୁଣିଲେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମାନି ହେବନି। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମାନିଲେ ରାଜ୍ୟ ନିର୍ବାଚନ କମିସନଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ସମୟରେ ନିର୍ବାଚନ ହୋଇପାରିବନି। ତେଣୁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଚାଲେଞ୍ଜ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ ଆଜି ରାଜ୍ୟ ନିର୍ବାଚନ କମିସନ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ, କମିସନଙ୍କ କାର୍ଯ୍ୟାଳୟରୁ ପୌର ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିବାକୁ ଚିଠି ପାଇବା ପରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଧାର୍ଯ୍ୟ ସମୟରେ ପୌର ସଂସ୍ଥାଗୁଡ଼ିକର ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ବ୍ୟବସ୍ଥା ଶେଷ କରି ଡ୍ରାଫ୍ଟ ରିପୋର୍ଟ ଦେବାକୁ କୁହାଯାଇଥିଲା। ସମସ୍ତେ ଡ୍ରାଫ୍ଟ ରିପୋର୍ଟ ଦେଇଥିଲେ। ଏହାପରେ ୯୦ଟି ପୌରସଂସ୍ଥାରୁ ୬୫୪୬ଟି ପିଟିସନ୍‌ ଆସିଥିଲା। ଅଧିକ ଅଭିଯୋଗ ଆସିଥିବାରୁ ଧାର୍ଯ୍ୟ ସମୟରେ ଏହାର ଶୁଣାଣି ହୋଇପାରିଲାନି। ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଆପିଲେଟ୍‌ ଅଥରିଟି ହୋଇଥିଲେ ହେଁ ବିଧାନସଭା ଚାଲିଥିବାରୁ ଧାର୍ଯ୍ୟ ସମୟରେ ଶୁଣାଣି କରିପାରିନଥିଲେ। ତେଣୁ ୧୯.୦୫.୧୮ରୁ ୦୬.୦୯.୧୮ମଧ୍ୟରେ ବିଭାଗୀୟ ମନ୍ତ୍ରୀ ଏହାର ଶୁଣାଣି କରିବାକୁ ସ୍ଥିର ହୋଇଥିଲା। କିନ୍ତୁ ଏହି ସମୟରେ ହାଇକୋର୍ଟ ପୌର ନିର୍ବାଚନରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆବର୍ଗଙ୍କ ପାଇଁ ସର୍ବାଧିକ ୫୦% ସଂରକ୍ଷଣ ବ୍ୟବସ୍ଥା ରଖିବାକୁ ରାୟ ଦେଇଥିଲେ। ୧୧୩ଟି ପୌରସଂସ୍ଥାର ଆସନ ସଂରକ୍ଷଣ ବ୍ୟବସ୍ଥାକୁ ତର୍ଜମା କରିବା ପରେ ଜଣାପଡ଼ିଥିଲା ଯେ, ୫୫ଟି ପୌର ସଂସ୍ଥାରେ ସଂରକ୍ଷଣ ବ୍ୟବସ୍ଥା ୫୦%ରୁ ଅଧିକ ଅଛି। ମେୟର ପଦବି ସଂରକ୍ଷଣରେ ବି ଏହି ସମସ୍ୟା ଦେଖାଦେଇଛି। ତେଣୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନିଲେ ରାଜ୍ୟ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ଅନୁଯାୟୀ ଧାର୍ଯ୍ୟ ସମୟରେ ନିର୍ବାଚନ କରିହେବନାହିଁ। ଏହାକୁ ନଜରରେ ରଖି ରାଜ୍ୟ ସରକାର ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ନିୟମ ଅଛି। କିନ୍ତୁ ଏହା ପୂର୍ବରୁ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଆସନ ସଂରକ୍ଷଣ ରଖିବାକୁ ପଡ଼ିବ। ବିଭିନ୍ନ ପୌରସଂସ୍ଥା ଅଧୀନରେ ଥିବା ଓ୍ଵାର୍ଡର ଜନସଂଖ୍ୟାକୁ ନଜରରେ ରଖି ସଂରକ୍ଷଣ ବ୍ୟବସ୍ଥା ଲାଗୁ କଲେ କେତେକ ସ୍ଥାନରେ ଏହା ୬୦%ରୁ ଅଧିକ ରହୁଥିବାବେଳେ ୫୫ଟି ପୌରସଂସ୍ଥାରେ ୫୦%ରୁ ଅଧିକ ସଂରକ୍ଷିତ ସିଟ୍‌ ରହୁଛି।

ସମ୍ବନ୍ଧିତ ଖବର