ଭୁବନେଶ୍ବର : ମାର୍ଚ୍ଚ ୨୪ରେ ରାଜ୍ୟରେ ପୌର ନିର୍ବାଚନ ହେବ। ରାଜ୍ୟର ୪୭ଟି ମ୍ୟୁନିସପାଲଟି, ୫୯ଟି ଏନ୍ଏସି, ୩ଟି ମହାନଗର ନିଗମରେ ନିର୍ବାଚନ କରିବା ନେଇ ଆଜି ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ଘୋଷଣା କରିଛନ୍ତି। ଏହାସହ ଉପରୋକ୍ତ ସମସ୍ତ ୧୦୬ଟି ପୌର ପରିଷଦର ଅଧ୍ୟକ୍ଷ ଏବଂ ତିନିଟି ମହାନଗର ନିଗମର ମେୟର ପଦବି ପାଇଁ ଏକସଙ୍ଗେ ପ୍ରତ୍ୟକ୍ଷ ନିର୍ବାଚନ ହେବ। ମାର୍ଚ୍ଚ ୨୬ରେ ନିର୍ବାଚନ ଫଳାଫଳ ଘୋଷଣା ହେବ ବୋଲି ନିର୍ବାଚନ କମିସନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କମିସନଙ୍କ ଏହି ବିଜ୍ଞପ୍ତି ପରେ ଆଜିଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି।
ମାର୍ଚ୍ଚ ୨୬ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ। ପଞ୍ଚାୟତ ନିର୍ବାଚନ ପାଇଁ ସାରାରାଜ୍ୟରେ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାବେଳେ ଏହା ଏବେ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ବଢ଼ିଯାଇଛି।
ରାଜ୍ୟ ନିର୍ବାଚନ କମିସନଙ୍କ ବିଜ୍ଞପ୍ତି ଅନୁଯାୟୀ ପୌର ନିର୍ବାଚନ ପାଇଁ ବିଭିନ୍ନ ପୌରସଂସ୍ଥା ଦାୟିତ୍ବରେ ଥିବା ନିର୍ବାଚନ ଅଧିକାରୀମାନେ ଫେବ୍ରୁଆରି ୨୮ରେ ବିଜ୍ଞପ୍ତି ଜାରି କରିବେ। ମାର୍ଚ୍ଚ ୨ରୁ ୭ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ହେବ। ମାର୍ଚ୍ଚ ୯ରେ ନାମାଙ୍କନପତ୍ର ଯାଞ୍ଚ ହେବ। ମାର୍ଚ୍ଚ ୧୪ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହେବ। ମାର୍ଚ୍ଚ ୨୪ରେ ଭୋଟ୍, ମାର୍ଚ୍ଚ ୨୬ରେ ଭୋଟ୍ ଗଣତି ହେବ। ଏପ୍ରିଲ ୮ରେ ଡେପୁଟି ମେୟର ଏବଂ ଏପ୍ରିଲ ୭ରେ ପୌରାଧ୍ୟକ୍ଷ ପଦବି ପାଇଁ ପରୋକ୍ଷ ନିର୍ବାଚନ ହେବ।
ଏଥର ୧୦୬ଟି ପୌର ପରିଷଦରେ ମୋଟ୍ ୧୭୩୧ଟି ୱାର୍ଡର ୩୦୩୦ଟି ବୁଥ୍ ଥିବାବେଳେ ୨୭ଲକ୍ଷରୁ ଅଧିକ ଭୋଟର ଅଛନ୍ତି। ସେହିପରି ୩ଟି ମହାନଗର ନିଗମରେ ୧୬୮ଟି ୱାର୍ଡରେ ୧୪୦୭ଟି ବୁଥ୍ ଥିବାବେଳେ ୧୪ଲକ୍ଷ ୨୬ହଜାରରୁ ଅଧିକ ଭୋଟର ଅଛନ୍ତି। ଏହିପରି ମୋଟ୍ ୧୮୯୯ଟି ବୁଥ୍ରେ ୪୧ଲକ୍ଷ ୨୬ହଜାର ଭୋଟର ଭୋଟ୍ ଦେବେ।
ଅପରପକ୍ଷେ ପୁରୀ ମ୍ୟୁନିସପାଲଟିରେ ଏଥର ନିର୍ବାଚନ ହେବନି। ହାଇକୋର୍ଟରେ ପୁରୀ ମ୍ୟୁନିସପାଲଟିର ନିର୍ବାଚନ ନେଇ ମାମଲା ବିଚାରାଧୀନ ଥିବାରୁ ଏଠାରେ ନିର୍ବାଚନ ନକରିବାକୁ କମିସନ ନିଷ୍ପତ୍ତି ନେଇଛନ୍ତି। ସେହିପରି ଭଦ୍ରକ ମ୍ୟୁନିସପାଲଟିର ୱାର୍ଡ-୪ରେ ନିର୍ବାଚନକୁ ନେଇ ଏକ ମାମଲା ହାଇକୋର୍ଟରେ ବିଚରାଧୀନ ଥିବାରୁ ଏଠାରେ ଏବେ ମତଦାନ ହେବନି।
ପୌର ନିର୍ବାଚନ ଦଳି ଭିତ୍ତିରେ ହେବ। ଏହି ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ରାଜନୈତିକ ଦଳମାନେ ତାଙ୍କ ଦଳ ପକ୍ଷରୁ ପ୍ରାଧିକୃତ ବ୍ୟକ୍ତିଙ୍କର ନାମ ସଂପୃକ୍ତ ନିର୍ବାଚନ ଅଧିକାରୀଙ୍କ ନିକଟରେ ମନୋନୟନ ପତ୍ରର ଯାଞ୍ଚର ଦୁଇ ଦିନ ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ୭ତାରିଖ ଅପରାହ୍ନ ୫ଟା ୩୦ ମଧ୍ୟରେ ଦାଖଲ କରିବେ। ସେହିପରି ପ୍ରାଧିକୃତ ବ୍ୟକ୍ତି ଦଳୀୟ ଟିକେଟ୍ ପାଇଁ ସଂପୃକ୍ତ ନିର୍ବାଚନ ଅଧିକାରୀଙ୍କ ନିକଟରେ ମନୋନୟନ ପତ୍ର ଯାଞ୍ଚର ପୂର୍ବଦିନ ଅର୍ଥାତ୍ ମାର୍ଚ୍ଚ ୮ତାରିଖ ଅପରାହ୍ନ ୫ଟା ୩୦ ମଧ୍ୟରେ ଦାଖଲ କରିବେ।
ସେହିପରି ଏଥର ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ହେବ। ନାମାଙ୍କନ ପତ୍ର ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଉପଲବ୍ଧ ହେବ। ଭୁବନେଶ୍ବର ଓ କଟକ ପାଇଁ ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳ ନିର୍ବାଚନ ଅଧିକାରୀ ହୋଇଥିବାବେଳେ ବ୍ରହ୍ମପୁର ପାଇଁ ସ୍ଥାନୀୟ ଉପଜିଲ୍ଲାପାଳ ନିର୍ବାଚନ ଅଧିକାରୀ ହୋଇଛନ୍ତି। ବାକି ମ୍ୟୁନିସପାଲଟି/ଏନ୍ଏସିରେ ଏଡିଏମ୍/ତହସିଲଦାରମାନେ ନିର୍ବାଚନ ଅଧିକାରୀ ଅଛନ୍ତି। ସେମାନେ ସେମାନଙ୍କ କାର୍ଯ୍ୟାଳୟରେ କିମ୍ବା ଉକ୍ତ ପୌର ସଂସ୍ଥାରେ କାର୍ଯ୍ୟ କରିପାରିବେ।