ବାଲେଶ୍ବର: ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ଲାଗି ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର। ଏଥିପାଇଁ ପଞ୍ଚାୟତରାଜ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଆସିସାରିଛି। ତେବେ ରେମୁଣାକୁ ଏନ୍ଏସି ମାନ୍ୟତା ପରେ ସେଠାରେ ପଞ୍ଚାୟତ ନିର୍ବାଚନକୁ ନେଇ ପ୍ରାଶାସନିକ ଓ ରାଜନୈତିକ ସ୍ତରରେ ଦ୍ବନ୍ଦ୍ବ ଉପୁଜିଛି।
ପୂର୍ବରୁ ରେମୁଣାରେ ଭିତ୍ତିଭୂମି ନଥାଇ ଏନ୍ଏସି ଘୋଷଣା ହୋଇଥିବାରୁ ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ ହୋଇଥିଲା। ଫଳରେ ଏହା ଉପରେ ସ୍ଥଗିତାଦେଶ ଜାରି କରିଥିଲେ ଉଚ୍ଚ ନ୍ୟାୟାଳୟ। ଏବେ କିନ୍ତୁ ସ୍ଥିତିରେ ଅନେକ ପରିବର୍ତ୍ତନ ଆସିଛି। ବାଲେଶ୍ବର ସହରକୁ ଲାଗିଥିବା ରେମୁଣା ଅଞ୍ଚଳ ଦ୍ରୁତଗତିରେ ବିକାଶିତ ହେଉଥିବା ବେଳେ ଏଠାରେ ଫକୀରମୋହନ ବିଶ୍ବବିଦ୍ୟାଳୟ, ମେଡିକାଲ କଲେଜ ଓ ହସ୍ପିଟାଲ, ଏମ୍ସ ଭଳି ବିଶ୍ବସ୍ତରୀୟ ଚିକିତ୍ସାନୁଷ୍ଠାନ ଶାଖା, ଏଲ୍ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ, ଆୟୁଷ ହସ୍ପିଟାଲ, ସିପେଟ୍, ସେଣ୍ଟ୍ରାଲ ସ୍କୁଲ, ସରକାରୀ ପଲିଟେକନିକ୍, ଆଦର୍ଶ ବିଦ୍ୟାଳୟ ଭଳି ବଡ଼ ବଡ଼ ଶିକ୍ଷାନୁଷ୍ଠାନ ସ୍ଥାପିତ ହୋଇଛି। ତା’ ଛଡ଼ା ବାଲେଶ୍ବର ଜିଲ୍ଲାର ସବୁଠୁ ଅଧିକ ଶିଳ୍ପାନୁଷ୍ଠାନ ରହିଛି ଏ ଅଞ୍ଚଳରେ। ସର୍ବୋପରି ଅଞ୍ଚଳବାସୀଙ୍କ ଜୀବନଧାରଣର ମାନ ବଢ଼ିଥିବାରୁ ଏଠାରେ ଗମନାଗମନ, ବିଦ୍ୟୁତ୍ ସେବା, ପାନୀୟଜଳ, ପରିମଳ ଆଦି ମୌଳିକ ସୁବିଧା ମିଳିବାର ମଧ୍ୟ ଆବଶ୍ୟକତା ରହିଛି।
ପ୍ରକାଶଥାଉକି, ୩୬ ପଞ୍ଚାୟତକୁ ନେଇ ରେମୁଣା ବ୍ଲକ ଗଠନ ହୋଇଥିବା ବେଳେ ସଦ୍ୟ ଘୋଷିତ ଏନ୍ଏସିର ରୂପରେଖ ବାବଦରେ ପ୍ରାଶାସନିକସ୍ତରରେ ଏଯାବତ ସ୍ପଷ୍ଟ ଚିତ୍ର କିଛି ମିଳିନାହିଁ। ତେବେ ଏ ସଂକ୍ରାନ୍ତରେ ପୂର୍ବରୁ ସରକାରଙ୍କୁ ଯେଉଁ ପ୍ରସ୍ତାବ ଦିଆଯାଇଥିଲା ସେଥିରେ ରେମୁଣା ବ୍ଲକର ମେଣ୍ଡରା, ଅଠାନ୍ତର, ଡିହରେମୁଣା, ଗଡ଼ିଆପାଳ, ଜଗନ୍ନାଥପୁର, କଅଁରାଳି, ରାମଚଣ୍ଡି, ହରିପୁର, ରାଇନଗର, ବାହ୍ମଣଛଡ଼ା, କୁରୁଣିଆପାଟଣା, କୁରୁଣିଆ, ସିରିପୁର, ବାଲଗୋପାଲପୁର, ବିଦ୍ୟାଧରପୁର, ବିଦ୍ୟାଧରପୁର ପାଟଣା, ଗନିପୁର, ବେଗମପୁର, ମାଧିପୁର, ଶ୍ୟାମରାଇପୁର, ପୁରୁଷୋତ୍ତମପୁର, ରାଧାନଗର, ଗୌଡ଼ଦାଣ୍ଡ, ରୁଦ୍ରପୁର, ବାଙ୍ଗରଗାଁ, ଶାଳବଣି, ଗଣେଶ୍ବରପୁର, ଶ୍ରୀକୃଷ୍ଣପୁର, ଅଚ୍ୟୁତପୁର, ନରହରିପୁର, ବାଙ୍ଗରଗାଁ ପାଟଣା, ସୋମନାଥପୁର ଆଦି ଅଞ୍ଚଳକୁ ନେଇ ୩୨ଟି ୱାର୍ଡ କରାଯାଇଥିଲା। ଏହି ପ୍ରକ୍ରିୟାରେ ପ୍ରାୟ ୧୫ଟି ପଞ୍ଚାୟତ ବ୍ଲକ୍ରୁ ବାଦ ପଡ଼ିଥିଲା। ମୋଟ୍ ୩,୦୪୭ ହେକ୍ଟର ପରିିମିତ ଅଞ୍ଚଳରେ ଥିବା ୭,୬୪୬ ଆବାସିକ ଘର ସହ ୩୩,୩୭୮ ଲୋକଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଏବେ ରେମୁଣା ଏନ୍ଏସି ଘୋଷଣାକୁ ଅଞ୍ଚଳବାସୀ ଓ ରାଜନୈତିକ ନେତୃବୃନ୍ଦ ସ୍ବାଗତ କରିଛନ୍ତି, କିନ୍ତୁ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଚାଲିଥିବା ବେଳେ ହଠାତ୍ ଏନ୍ଏସି ଘୋଷଣା ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।
ପଞ୍ଚାୟତ ନିର୍ବାଚନ ପରେ ପରେ ପୌର ନିର୍ବାଚନ ହେବ। ଆଜି ମଧ୍ୟ ପଞ୍ଚାୟତ ନିର୍ବାଚନ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ହେଲେ ତା’ ପୂର୍ବରୁ ଏନ୍ଏସି ଓ ବ୍ଲକ ପାଇଁ ଏତେ ଶୀଘ୍ର ପୁନଃ ସୀମା ନିର୍ଦ୍ଧାରଣ ଏବଂ ୱାର୍ଡ ସଂରକ୍ଷଣ କିପରି ହେବ ତାକୁ ନେଇ ପ୍ରଶାସନର ମୁଣ୍ଡବ୍ୟଥା ଆରମ୍ଭ ହୋଇଯାଇଛି। ଅନ୍ୟପକ୍ଷରେ ବାଲେଶ୍ବର ପୌରପାଳିକା ପୁନର୍ଗଠନ ପ୍ରକ୍ରିୟାରେ ରେମୁଣା ବ୍ଲକର ୭ଟି ପଞ୍ଚାୟତ ବାଲିଆ, କୁରୁଡ଼ା, କରଞ୍ଜିଆ, ଦହପଡ଼ା, ଭୀମପୁରା, ସରସ୍ବତୀପୁର ଓ ହରିପୁର ପଞ୍ଚାୟତ ଏବଂ ସଦର ବ୍ଲକରୁ ପାତ୍ରପଡ଼ା ଓ ସାରଙ୍ଗା ପଞ୍ଚାୟତ ମିଶ୍ରଣ ହୋଇଥିବା କୁହାଯାଉଛି। ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଏସବୁ ପଞ୍ଚାୟତରେ ଆଉ ପଞ୍ଚାୟତ ନିର୍ବାଚନ ହେବ ନା ବନ୍ଦ ରହିବ ସେ ନେଇ ସରକାରୀସ୍ତରରେ ଆଗାମୀ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। ତେବେ ବର୍ତ୍ତମାନ ସ୍ଥିତିରେ ସୀମା ନିର୍ଦ୍ଧାରଣ, ୱାର୍ଡ ଗଠନ ଏବଂ ସଂରକ୍ଷଣକୁ ନେଇ ନଭେମ୍ବର ୯ ତାରିଖରୁ ମତାମତ ସଂଗ୍ରହ କରାଯିବ। ଏ ସଂକ୍ରାନ୍ତରେ ନଭେମ୍ବର ୨୯ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ସେହି ତାରିଖରୁ ଡିସେମ୍ବର ୧୩ ତାରିଖ ମଧ୍ୟରେ ଉକ୍ତ ବିଜ୍ଞପ୍ତି ଉପରେ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/election-bkm.jpg)