ପୌର ନିର୍ବାଚନ: ୬୪୧୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଆଜି

ନେତା ବାଛିବେ ୪୦ ଲକ୍ଷ ୫୫ ହଜାର ଭୋଟର, ୪ ଏନ୍‌ଏସିରେ ପ୍ରଥମ ଥର ପାଇଁ ଭୋଟ୍‌

ଭୁବନେଶ୍ବର : ଆଜି ରାଜ୍ୟର ୪୭ଟି ମ୍ୟୁନିସପାଲଟି, ୫୯ଟି ଏନ୍‌ଏସି ଏବଂ ୩ଟି ମହାନଗର ନିଗମର କାଉନସିଲର/କର୍ପୋରେଟର ଏବଂ ପୌରାଧ୍ୟକ୍ଷ/ମେୟର ପଦବି ପାଇଁ ଭୋଟ୍‌ ହେଉଛି। ପ୍ରାୟ ୩ବର୍ଷ ପରେ ସହରାଞ୍ଚଳରେ ୱାର୍ଡ ସ୍ତରୀୟ ଜନପ୍ରତିନିଧି ବଛା ହେଉଥିବାରୁ ସବୁ ସହରାଞ୍ଚଳ ଚଳଚଞ୍ଚଳ ହୋଇଉଠିଛି। ନିର୍ବାଚନ ମଇଦାନରେ ୬୪୧୧ ଜଣ ପ୍ରାର୍ଥୀ ଥିବାବେଳେ ଗୁରୁବାର ମତଦାତା ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍‌ ଦେବେ। ଏଥିପାଇଁ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ‌ହୋଇଛି। ନିର୍ବାଚନ ପରିଚାଳନା ପାଇଁ ପ୍ରାୟ ୨୨ହଜାର ପୋଲିଂ କର୍ମଚାରୀ ଆଜି ବିଭିନ୍ନ ବୁଥ୍‌ରେ ପହଞ୍ଚିଛନ୍ତି। ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ପୁଲିସ ବିଭାଗ ପକ୍ଷରୁ ସାରା ରାଜ୍ୟରେ ୧୯୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ୍‌ ହେବ। ଇଭିଏମ୍‌ରେ ଭୋଟ୍ ହେଉଥିବାରୁ କୌଣସି ଯାନ୍ତ୍ରିକ ତ୍ରୁଟି ଦେଖାଦେଲେ ଏହାର ତ୍ବରିତ ସମାଧାନ ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ବିଭିନ୍ନ ଅଞ୍ଚଳ ପାଇଁ ସ୍ବତନ୍ତ୍ର କର୍ମଚାରୀ ମୁତୟନ କରାଯାଇଛି। ନିର୍ବାଚନ ସରିବା ପରେ ସୁରକ୍ଷିତ ଭାବେ ଯେପରି ଇଭିଏମ୍‌ଗୁଡ଼ିକ ଷ୍ଟ୍ରଙ୍ଗରୁମ୍‌ରେ ପହଞ୍ଚିବ ସେନେଇ ପୁଲିସ ପ୍ରଶାସନକୁ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ନିର୍ବାଚନ କମିସନଙ୍କ ସୂଚନା ଅନୁଯାୟୀ, ଏଥର ମ୍ୟୁନିସପାଲଟି ଓ ଏନ୍‌ଏସିର ୧୬୭୨ଟି ୱାର୍ଡ ଏବଂ ତିନିଟି ମହାନଗର ନିଗମର ୧୬୫ଟି ୱାର୍ଡରେ ନିର୍ବାଚନ ହେଉଥିବାବେଳେ ମେୟର/ପୌରାଧ୍ୟକ୍ଷ ପଦବି ପାଇଁ ୫୬୯ଜଣ, କର୍ପୋରେଟର/କାଉନସିଲର ପଦବି ପାଇଁ ୫୮୪୨ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ମ୍ୟୁନିସପାଲଟି/ଏନ୍‌ଏସିର ୨୯୮୯ଟି ବୁଥ୍‌ରେ ଏବଂ ୩ଟି ମହାନଗର ନିଗମର ୧୩୮୪ ବୁଥ୍‌ରେ ୪୦ଲକ୍ଷ ୫୫ହଜାର ୫୩ଜଣ ମତଦାନ କରିବେ। ମତଦାତା ଜାଣିବା ପାଇଁ କାଉନସିଲର/କର୍ପୋରେଟର ନିର୍ବାଚନ ପାଇଁ ଗୋଲାପି ରଙ୍ଗର କାଗଜ ଏବଂ ପୌରାଧ୍ୟକ୍ଷ/ମେୟର ନିର୍ବାଚନ ପାଇଁ ହଳଦିଆ କାଗଜ ଇଭିଏମ୍‌ରେ ବ୍ୟବହାର କରାଯିବ। ସମାନ ରଙ୍ଗର ଷ୍ଟିକର କଣ୍ଟ୍ରୋଲ ୟୁନିଟରେ ଲଗାଯିବ। ସେହିପରି ଏଥର ଇଭିଏମ୍‌ରେ ‌େନାଟା ଅପ୍ସନ୍ ରହିବ। ବାଲଟ୍ ୟୁନିଟର ଶେଷ ପ୍ରାର୍ଥୀଙ୍କ ଚିହ୍ନ ପରେ ନୋଟା ରହିବ।
ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ ଯେଉଁମାନେ ଦୁଇ ଥର ଭୋଟ୍‌ ଦେଉଥିବା ଜଣାପଡ଼ିବ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରିକି ଯେଉଁମାନେ ପଞ୍ଚାୟତରେ ଭୋଟ୍‌ ଦେଇଛନ୍ତି ସେମାନେ ଯଦି ସହରାଞ୍ଚଳରେ ଭୋଟ୍‌ ଦେଉଥିବା ଜଣାପଡ଼େ ତେବେବି କାର୍ଯ୍ୟାନୁଷ୍ଠାନ ନିଆଯିବ। ପ୍ରତି ବୁଥ୍‌ରେ ସଶସ୍ତ୍ର ପୁଲିସ ମୁତୟନ କରାଯିବ। ସବୁ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍‌ ଉପରେ ନଜର ରଖିବା ସହ ଅଧିକ ଫୋର୍ସ ମୁତୟନ କରିବାକୁ ପୁଲିସ ବିଭାଗକୁ କୁହାଯାଇଛି। ଏହାବ୍ୟତୀତ ମୋଟ୍ ୩୦୦ ମୋବାଇଲ୍ ପାର୍ଟି ରହିବେ। ଏଥିରୁ ୧୦୯ଟି ମୋବାଇଲ୍ ପାର୍ଟି ୩ଟି ମହାନଗର ନିଗମରେ ରହିବେ।

ଅପରପକ୍ଷେ ପୁରୀ ମ୍ୟୁନିସପାଲଟିରେ ଏଥର ନିର୍ବାଚନ ହେଉନି। ହାଇକୋର୍ଟରେ ପୁରୀ ମ୍ୟୁନିସପାଲଟିର ନିର୍ବାଚନ ନେଇ ମାମଲା ବିଚରାଧୀନ ଥିବାରୁ ଏଠାରେ ନିର୍ବାଚନ ନକରିବାକୁ କମିସନ ନିଷ୍ପତ୍ତି ନେଇଛନ୍ତି। ସେହିପରି ଭଦ୍ରକ ମ୍ୟୁନିସପାଲଟିର ୱାର୍ଡ-୪ରେ ନିର୍ବାଚନକୁ ନେଇ ଏକ ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାରୁ ଏଠାରେ ଏବେ ମତଦାନ ହେଉନି। ହିନ୍ଦୋଳ ଓ ଅଟାବିରା ଏନ୍‌ଏସିର କାର୍ଯ୍ୟକାଳ ଶେଷ ହୋଇନି। ତେଣୁ ଏଠାରେ ଏବେ ନିର୍ବାଚନ ହେବନି। କିନ୍ତୁ ନବଗଠିତ ଚାରିଟି ଏନ୍‌ଏସି ରେମୁଣା, ଚାନ୍ଦବାଲି, ଧାମନଗର ଏବଂ ବିଜେପୁରରେ ପ୍ରଥମ ଥର ପାଇଁ ପୌର ନିର୍ବାଚନ ହେବ।

ସମ୍ବନ୍ଧିତ ଖବର