ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟର ୧୧୪ ପୌରସଂସ୍ଥା ପାଇବାକୁ ଥିବା ୭୦୦ କୋଟି ଟଙ୍କାକୁ ନେଇ ବିବାଦ ଦେଖାଦେଇଛି। ଏହି ଟଙ୍କା ତୁରନ୍ତ ଦେବାକୁ ଗତକାଲି ବିଜେଡି ସାଂସଦଙ୍କ ପ୍ରତିନିଧି ଦଳ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଥିଲେ। କିନ୍ତୁ ରାଜ୍ୟ ବିଜେପି ଏହାକୁ ସହଜରେ ଗ୍ରହଣ କରି ନାହିଁ। ଏହି ଅନୁଦାନ ପାଇବା ପାଇଁ ଥିବା ଗାଇଡ୍ଲାଇନ୍କୁ ରାଜ୍ୟ ସରକାର ମାନୁ ନାହାନ୍ତି ବୋଲି ଦଳର ନେତାମାନେ ଯୁକ୍ତି ବାଢ଼ିଛନ୍ତି। ଦଳର ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଟ୍ବିଟ୍ କରି ବିଜେଡି ସାଂସଦମାନଙ୍କୁ ସମାଲୋଚନା କରିଛନ୍ତି।
ବିଜେପି ପକ୍ଷରୁ ଯୁକ୍ତି ଦର୍ଶାଯାଇଛି, ଚତୁର୍ଦ୍ଦଶ ଅର୍ଥ କମିସନ୍ ସୁପାରିସ୍ ଅନୁଯାୟୀ ପୌରସଂସ୍ଥା ପାଇଁ ଓଡ଼ିଶା ୧୭୭୨ କୋଟି ଟଙ୍କାର ‘ବେସିକ୍ ଗ୍ରାଣ୍ଟ୍’ ପାଇବା କଥା। ସେଥିରୁ ୧୦୬୫ କୋଟି ମିଳିଥିଲା ବେଳେ ୭୦୭ କୋଟି ଟଙ୍କା ବାକି ଅଛି। ରାଜ୍ୟ ସରକାର ବକେୟା ଅର୍ଥ ପାଇବା ନିମନ୍ତେ ପୂର୍ବରୁ ମିଳିଥିବା ଅର୍ଥର ବିନିଯୋଗ ପ୍ରମାଣପତ୍ର(ୟୁସି) ଦେବା କଥା। କିନ୍ତୁ ଏ ଯାଏ ତାହା ଦାଖଲ କରି ନାହାନ୍ତି। ଆହୁରି ମଧ୍ୟ ନିର୍ବାଚିତ ପ୍ରତିନିଧି ଥିବା ପୌରସଂସ୍ଥା ହିଁ ଅର୍ଥ କମିସନ୍ଙ୍କ ସୁପାରିସ୍ ଅର୍ଥ ପାଇବାକୁ ଯୋଗ୍ୟ। ସବୁ ରାଜ୍ୟ ପାଇଁ ଏହା ଲାଗୁ ହେଉଛି। ଓଡ଼ିଶାରେ ସରକାର ପୌରସଂସ୍ଥାରେ ନିର୍ବାଚନ କରାଉ ନାହାନ୍ତି। ତେଣୁ ବକେୟା ଟଙ୍କା ପାଇଁ ସାଂସଦମାନେ କିପରି ଦାବି କରୁଛନ୍ତି ଓ ସେମାନେ କ’ଣ ଗାଇଡ୍ଲାଇନ୍ ଜାଣି ନାହାନ୍ତି ବୋଲି ବିଜେପି ପ୍ରଶ୍ନ କରିଛି। ଯେଉଁ ପୌରସଂସ୍ଥାରେ ନିର୍ବାଚିତ ପ୍ରତିନିଧି ଅଛନ୍ତି, ସେମାନଙ୍କୁ ବେସିକ୍ ଗ୍ରାଣ୍ଟ୍ ୨୦୧୯-୨୦ ମସିହା ପର୍ଯ୍ୟନ୍ତ ଦିଆସରିଛି। କାହିଁକି ନିର୍ବାଚନ କରାଉ ନାହାନ୍ତି ଓ କାହିଁକି ୟୁସି ଦେଉ ନାହାନ୍ତି, ତାହା ଓଡ଼ିଶା ସରକାର ସ୍ପଷ୍ଟ କରିବାକୁ ଦଳ ଆହ୍ବାନ ଦେଇଛି।
ପୌରସଂସ୍ଥାଗୁଡ଼ିକୁ ‘ପର୍ଫର୍ମାନ୍ସ ଗ୍ରାଣ୍ଟ୍’ ପ୍ରଦାନ କରିବାକୁ ବିଜେଡି ସାଂସଦମାନେ ଦାବି କରିବା ପ୍ରସଙ୍ଗରେ ଲେଖାଶ୍ରୀ ସାମନ୍ତସିଂହାର ଯୁକ୍ତି କରିଛନ୍ତି ଯେ ପର୍ଫର୍ମାନ୍ସ ଗ୍ରାଣ୍ଟ୍ ପାଇଁ ଥିବା ନିୟମାବଳୀକୁ ମଧ୍ୟ ଓଡ଼ିଶା ପୂରଣ କରୁ ନାହିଁ। ପରଫର୍ମ କଲେ ସିନା ପାଣ୍ଠି ମିଳିବ। ପୌରସଂସ୍ଥାର ଅଡିଟେଡ୍ ଆକାଉଣ୍ଟ୍ ଦାଖଲ ହେଉ ନାହିଁ। ପୂର୍ବ ବର୍ଷ ଠାରୁ କେତେ ଅଧିକ ରାଜସ୍ବ ଆଦାୟ ହୋଇଛି ତାହାର ହିସାବ ନାହିଁ। ପୌରାଞ୍ଚଳରେ ବିଜୁଳି, ପାଣି, ସଡ଼କ, ବର୍ଜ୍ୟବସ୍ତୁ ପରିଚାଳନା ପରି ମୌଳିକ ସୁବିଧା ଯୋଗାଇବା କ୍ଷେତ୍ରରେ ରାଜ୍ୟ ସରକାର ଆଖି ଦୃଶିଆ କାମ କରି ନାହାନ୍ତି। ଏସବୁ ନ ହେଲେ ‘ପରଫର୍ମାନ୍ସ ଗ୍ରାଣ୍ଟ୍’ ମିଳେନି ବୋଲି ସାଂସଦମାନେ କ’ଣ ଜାଣି ନାହାନ୍ତି ବୋଲି ବିଜେପି ପ୍ରଶ୍ନ କରିଛି। ଓଡ଼ିଶା ସରକାର ଏହାକୁ ସମୀକ୍ଷା କରିବାର ଆବଶ୍ୟକତା ରହିଛି। ମୋଦୀଙ୍କ ନେତୃତ୍ବରେ ଓଡ଼ିଶା ତା’ର ନ୍ୟାର୍ଯ୍ୟ ଦାବି ଠାରୁ ଅଧିକ କେନ୍ଦ୍ରୀୟ ଅନୁଦାନ ପାଉଥିଲା ବେଳେ ତାହାକୁ ହରିଲୁଟ୍ କରି କେନ୍ଦ୍ରକୁ ଦୋଷ ଦେବା ହାସ୍ୟାସ୍ପଦ ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି।