ମୁନିଗୁଡ଼ା ସହରରୁ ପ୍ରାୟ ୨୦ ଲକ୍ଷ ଟଙ୍କାର ଚୋରା ସିଗାରେଟ ଜବତ

ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ସହରରୁ ପ୍ରାୟ ୨୦ ଲକ୍ଷ ଟଙ୍କାର ଚୋରା ସିଗାରେଟ ଜବତ ହୋଇଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ପ୍ରାପ୍ତ ସୂଚନା ଅନୁଯାୟୀ, କୌଣସି ବିଶେଷ ସୂତ୍ରରୁ ଖବର ପାଇ ମୁନିଗୁଡ଼ା ଥାନା ଆଇଆଇସି ରାଜେନ୍ଦ୍ର ପ୍ରସାଦ ଦେହୁରୀଙ୍କ ନେତୃତ୍ବରେ ଏକ ପୁଲିସ୍ ଟିମ୍  ଜନୈକ ବ୍ୟବସାୟୀଙ୍କ ଗୋଦାମରେ ଚଢଉ କରାଯାଇଥିଲା। ସେଠାରୁ ୩୧ ବସ୍ତା ଚୋରା ସିଗାରେଟ ଜବତ ହୋଇଥିବା ଜଣାଯାଇଛି। ଏହାର ଆନୁମାନିକ ମୂଲ୍ୟ୨୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଜବତ ବସ୍ତାଗୁଡ଼ିକରେ ଏସ୍ କେ ପାତ୍ର ଲେଖାଥିବାର ଦେଖିବାକୁ ମିଳିଥିଲା।

ପୁଲିସ୍ ୩୧ ବସ୍ତା ଚୋରା ସିଗାରେଟ ଜବତ କରିବା ସହ ଉକ୍ତ ଏସ୍ କେ ପାତ୍ର ନାମକ ବ୍ୟକ୍ତିଙ୍କୁ ଖୋଜୁଥିବା ଜଣାଯାଇଛି। ଏହି ସବୁ ସିଗାରେଟ୍ ଛତିଶଗଡ଼ରୁ ମୁନିଗୁଡ଼ାକୁ ଆସିଥିବା କୁହାଯାଉଛି। ଏହାଛଡ଼ା ମୁନିଗୁଡ଼ା ଥାନା ଅଞ୍ଚଳରେ ଆଉ କେତେକ ବ୍ୟବସାୟୀଙ୍କ ଗୋଦାମରେ ଚଢଉ କରାଯାଇଥିବାର ଖବର ମିଳିଛି। ଏନେଇ ପୁଲିସ୍ ପକ୍ଷରୁ ତଦନ୍ତ ଜାରି ରହିଥିବାର ସୂଚନା ମିଳିଛି।

ସମ୍ବନ୍ଧିତ ଖବର