ପୌର ନିର୍ବାଚନ ପାଇଁ ମତଦାନ: ଖୋର୍ଦ୍ଧା ଜିଲ୍ଲାର ୪ ପୌରାଂଚଳରେ ୬୦ ସମ୍ବେଦନଶୀଳ ବୁଥ, ୨୩୧ ପ୍ରାର୍ଥୀ

 ଖୋର୍ଦ୍ଧା ଉପଖଣ୍ଡରେ ୪ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ୬ ବରିଷ୍ଠ ଅଧିକାରୀ ନିୟୋଜିତ

ଖୋର୍ଦ୍ଧା: ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲାର ଜଟଣୀ, ଖୋର୍ଦ୍ଧା, ବାଲୁଗାଁ ଓ ବାଣପୁର ପୌରାଂଚଳ ପାଇଁ ମତଦାନ ହେବ । ଏହି ଚାରିଟି ପୌରାଂଚଳର ୧ଲକ୍ଷ ୯୫୫୪ଜଣ ଭୋଟର ୨୩୧ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏଥିପାଇଁ ପୁଲିସ-ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଖୋର୍ଦ୍ଧା ଜିଲ୍ଲାରେ (ଭୁବନେଶ୍ୱର ମହାନଗର ନିଗମ ବ୍ୟତୀତ) ଖୋର୍ଦ୍ଧା ଓ ଜଟଣୀ ପୌର ପରିଷଦ ଓ ବାଲୁଗାଁ ଓ ବାଣପୁର ବିଜ୍ଞପିତ ଅଂଚଳ ପରିଷଦର ୧୩୧ଟି ବୁଥରେ ମତଦାନ ଅନୁଷ୍ଠିତ ହେବ । ଅଧ୍ୟକ୍ଷ ପାଇଁ ୨୧ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନରେ ନିଜର ଭାଗ୍ୟ ପରୀକ୍ଷା କରୁଥିବା ବେଳେ ୨୧୦ଜଣ କାଉନ୍ସିଲର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏହା ମଧ୍ୟରୁ ଖୋର୍ଦ୍ଧା ପୌର ପରିଷଦରେ ୩ଜଣ ଅଧ୍ୟକ୍ଷ ପ୍ରାର୍ଥୀ ଓ ୬୭ଜଣ କାଉନ୍ସିଲର ପ୍ରାର୍ଥୀ, ଜଟଣୀ ପୌର ପରିଷଦରେ ୬ଜଣ ଅଧ୍ୟକ୍ଷ ଓ ୮୭ କାଉନ୍ସିଲର ପ୍ରାର୍ଥୀ, ବାଲୁଗାଁରେ ୬ଜଣ ଅଧ୍ୟକ୍ଷ ଓ ୨୫ଜଣ କାଉନ୍ସିଲର ପ୍ରାର୍ଥୀ, ବାଣପୁରରେ ୬ଜଣ ଅଧ୍ୟକ୍ଷ ଓ ୩୨ ଜଣ କାଉନ୍ସିଲର ପ୍ରାର୍ଥୀ ଅଛନ୍ତି । ମୋଟ ୧୩୧ଟି ବୁଥ ମଧ୍ୟରୁ ଜଟଣୀ ସହ ଖୋର୍ଦ୍ଧା ଉପଖଣ୍ଡରେ ୬୦ଟି ସମ୍ବେଦନଶୀଳ ବୁଥ ରହିଛି ।

ଖୋର୍ଦ୍ଧାରେ ୩୭,୫୪୧ଜଣ ଭୋଟର ଥିବା ବେଳେ ଗୋଟିଏ ମହିଳା କର୍ମଚାରୀଙ୍କୁ ନେଇ ପିଂକ୍ ବୁଥ୍ ଓ ୨୨୦ଟି ଇଭିଏମ୍, ଜଟଣୀ ପୌରାଂଚଳରେ ୪୫୮୭୫ଜଣ ଭୋଟର ଥିବା ବେଳେ ୩ଟି ପିଂକ୍ ବୁଥ୍ ଓ ୨୭୦ଟି ଇଭିଏମ୍, ବାଲୁଗାଁ ଏନ୍ଏସିରେ ୧୨୯୧୩ ଭୋଟର ଥିବା ବେଳେ ଗୋଟିଏ ପିଂକ୍ ବୁଥ୍ ଓ ୮୦ଟି ଇଭିଏମ୍, ବାଣପୁରରେ ୧୩୨୨୫ ଭୋଟର ଥିବା ବେଳେ ଗୋଟିଏ ପିଂକ୍ ବୁଥ୍ ଓ ୮୬ଟି ଇଭିଏମ୍ ନିୟୋଜିତ କରାଯାଇଛି ।

ପୁଲିସ ବ୍ୟବସ୍ଥା ଓ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ସୂଚନା ଦେଇ ଖୋର୍ଦ୍ଧା ଏସ୍ପି ଅଲେଖ ପହି କହିଛନ୍ତି ଯେ ଖୋର୍ଦ୍ଧା ଉପଖଣ୍ଡର ଖୋର୍ଦ୍ଧା, ବାଲୁଗାଁ ଓ ବାଣପୁର ପୌରାଂଚଳର ସମସ୍ତ ବୁଥରେ ଜଣେ କନ୍ଷ୍ଟେବଲ, କ୍ଲଷ୍ଟର ବୁଥରେ ଜଣେ ଏଏସ୍ଆଇଙ୍କୁ ନିୟୋଜିତ କରାଯାଇଛି । ଏହା ସହ ଖୋର୍ଦ୍ଧାରେ ୪ଟି ମୋବାଇଲ୍ ୟୁନିଟ୍, ବାଣପୁରରେ ୩ ଓ ବାଲୁଗାଁରେ ୨ଟି ୟୁନିଟ୍ ନିୟୋଜିତ କରାଯାଇଛି । ଏହି ସମସ୍ତ ବ୍ୟବସ୍ଥାର ତଦାରଖ ଦାୟିତ୍ୱ ପ୍ରତି ଥାନା ଅଂଚଳରେ ଇନ୍ସପେକ୍ଟର, ଡିଏସ୍ପି ଓ ଦୁଇଜଣ ଅତିରିକ୍ତ ଏସ୍ପିଙ୍କୁ ଦିଆଯାଇଛି । ଏହାସହ ଅତିରିକ୍ତ ଭାବେ ୪ ପ୍ଲାଟୁନ୍ ପୁଲିସ ବଳ ନିୟୋଜିତ ହୋଇଛି, ଏଥିମଧ୍ୟରୁ ଖୋର୍ଦ୍ଧା ପାଇଁ ୧ ପ୍ଲାଟୁନ୍, ବାଣପୁର ପାଇଁ ୨ ଓ ବାଲୁଗାଁ ପାଇଁ ୧ ପ୍ଲାଟୁନ୍ ଫୋର୍ସ ରିଜର୍ଭ ଅଛନ୍ତି ।

 

ସମ୍ବନ୍ଧିତ ଖବର