ଭୁବନେଶ୍ବର: ଭୁବନେଶ୍ବର କାନ୍ଥବାଡ଼ରେ ବିଏମ୍‌ସି ଆଙ୍କିଥିବା ମହାନ ପ୍ରତିଭାଙ୍କ ନାମରେ ଭୟଙ୍କର ତ୍ରୁଟି ଧରାପଡ଼ିବା ପରେ ବିଏମ୍‌ସି ଆଜି ‌ସେ ସବୁକୁ ଖୋଜିଖୋଜି ସଂଶୋଧନ କରିଛି। କେବଳ ଯେତିକି ଅଭିଯୋଗ ହୋଇଥିଲା ସେହି ନାମକୁ ସଂଶୋଧନ କରିଥିବା ବେଳେ ଆହୁରି ଅନେକ ତ୍ରୁଟି ରହିଯାଇଛି। ଏହାକୁ ଲେଖିବା ବେଳେ ଏକ କମିଟି ଗଠନ କରାଯାଇଥିଲା। କେଉଁଠି କି ପ୍ରକାରର ଚିତ୍ର ରହିବ ବା ଏହି ଚିତ୍ର ଉପରେ ଅନ୍ୟ ସମସ୍ତ ନଷ୍ପତ୍ତି ସେହି କମିଟି ନେଉଥିବା କୁହାଯାଇଥିଲା। କିନ୍ତୁ ବାସ୍ତବରେ ନାଟର ଗୋବର୍ଦ୍ଧନ ଥିଲେ ଇଞ୍ଜିନିୟର। ବିଏମ୍‌ସିର ଇଞ୍ଜିନିୟରିଂ ସେକ୍ସନ ଏସବୁର ନିଷ୍ପତ୍ତି ନେଉଥିଲା। ଅଭିଯୋଗ ହେବା ସମ୍ପୃକ୍ତ ଇଞ୍ଜିନିୟର ଚିତ୍ରଶିଳ୍ପୀଙ୍କୁ ଡାକି ତିନିଟି ଚିତ୍ରରେ ନାମ ସଂଶୋଧନ କରିଛନ୍ତି। କିନ୍ତୁ ଆହୁରି ଅନେକ ନାମରେ ଥିବା ଗୁରୁଚଣ୍ଡାଳ ଦୋଷ ବିଏମ୍‌ସିକୁ ବଦନାମ କରୁଛି। 

Advertisment

ବରଗଡ଼ର ସାମାଜିକ କର୍ମୀ ସଞ୍ଜୀବ କୁମାର ମହାପାତ୍ରଙ୍କ ଅଭିଯୋଗ ପରେ ଆଜି କୃତାର୍ଥ ଆଚାର୍ଯ୍ୟ, ପାର୍ବତୀ ଗିରି ଓ ପ୍ରଭାବତୀ ଦେବୀଙ୍କ ନାମ ସଂଶୋଧନ କରାଯାଇଛି। ହେଲେ ଅନେକ ମହାମନିଷୀଙ୍କ ନାମରେ ତ୍ରୁଟି ରହିଛି। ଗାଳ୍ପିକ, ଔପନ୍ୟାସିକ ଓ ଶିଶୁ ସାହିତ୍ୟିକ ଭାବରେ ବେଶ୍‌ ପରିଚିତି ଲାଭ କରିଥିବା ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ନାମ ବିଏମ୍‌ସି ‘ଶ୍ବାନ୍ତୁନୁ କୁମାର ଆଚାର୍ଯ୍ୟ’ ବୋଲି ଲେଖିଛି। ସେହିଭଳି ଜଣେ କବି, ନାରୀନେତ୍ରୀ ଓ ବାଗ୍ମୀ ହିସାବରେ ପରିଚିତା ତଥା ଦେଶର ପ୍ରଥମ ମହିଳା ରାଜ୍ୟପାଳ ସରୋଜିନୀ ନାଇଡ଼ୁଙ୍କ ନାମକୁ ବିଏମ୍‌ସି ‘ସରୋଜିନୀ ନାୟଡ଼ୁ’ ବୋଲି ଲେଖିଛି। 

ମୁଖ୍ୟ କାର୍ପଟଦାର ଇଞ୍ଜିନିୟର
କୌଣସି କାର୍ଯ୍ୟାନୁଷ୍ଠାନ ହେଲାନି

ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ ତଥା ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀଙ୍କ ବାପା କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ନାମକୁ ମଧ୍ୟ ବିଏମ୍‌ସି ଅତି କଦର୍ଥ କରି ‘କାଳେନ୍ଦ୍ରୀ ଚରଣ ପାଣିଗ୍ରାହୀ’ ବୋଲି ଲେଖିଛି। ଡ. ଜନାର୍ଦ୍ଦନ ପୂଜାରୀଙ୍କ ନାମ ‘ଜନାର୍ଦ୍ଧନ ପୂଜାରୀ’ ବୋଲି ଲେଖାଯାଇଛି। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ଙ୍କ ନାମରୁ ‘ସର୍ଦ୍ଦା‌ର’ ପଦ ହଟାଇଦିଆଯାଇଛି। ୧୯୨୮ରେ ଗୁଜରାଟର ବର୍ଦୋଳି ସତ୍ୟାଗ୍ରହର ନେତୃତ୍ବ ନେଇ ସଫଳ ହେବା ପରେ ତାଙ୍କୁ ‘ସର୍ଦ୍ଦାର’ ଆଖ୍ୟା ଦିଆଯାଇଥିଲା। ସେହି ଆଖ୍ୟାକୁ ବିଏମ୍‌ସି ଲିଭାଇ ଦେବାକୁ ଉଦ୍ୟମ କରିଛି। ସେହିଭଳି ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ ଜୟକୃଷ୍ଣ ରାଜଗୁରୁ ମହାପାତ୍ର ‘ଜୟୀ ରାଜଗୁରୁ’ ଭାବରେ ପରିଚିତ ଥିଲେ। ଏହି ନାମକୁ ବିଏମ୍‌ସି ‘ଜୟୀ ରାଜଗୁର’ ବୋଲି ଲେଖିଛି।

ଏଭଳି ଅନେକ ଗୁରୁଚଣ୍ଡାଳ ଦୋଷ ଏହି ସବୁ ବୀର ଓ ମହାମନିଷୀଙ୍କୁ କେବଳ ଅପମାନିତ କରୁନାହିଁ, ବରଂ ତାଙ୍କ ଅଜ୍ଞତାର ପରିଚୟ ଦେଇଛି। ଏହି ସବୁ କାନ୍ଥଲେଖା ରାଜଭବନ ପା‌ଚେରୀରେ ଶୋଭାପାଉଛି।  କାନ୍ଥବାଡ଼ରେ ଚିତ୍ର ଓ ରଙ୍ଗମରାରେ ବିଏମ୍‌ସି ୧୭ କୋଟି ଖର୍ଚ୍ଚ କରିଛି। ଗତ ବର୍ଷ ହୋଇଥିବା ମହାପୁରୁଷଙ୍କ ଚିତ୍ର ଉପରେ ରଙ୍ଗବୋଳି ସେଇ ମହାପୁରୁଷମାନଙ୍କୁ ଅପମାନ ଦିଆଯାଇଛି ବୋଲି ଜଣେ କର୍ପୋରେଟର ବିଏମ୍‌ସି ବୈଠକ‌ରେ ଅଭିଯୋଗ କରିବା ପରେ ତମ୍ବିତୁଫାନ ହୋଇଥିଲା। ଏହି ଚିତ୍ରଗୁଡ଼ିକୁ କାହା ନିର୍ଦ୍ଦେଶରେ ପରିବର୍ତ୍ତନ କରାଯାଇଛି ତାହା ଜଣାଇବାକୁ ଜନପ୍ରତିନିଧି ଦାବି କରିବାରୁ ଏଥିପାଇଁ ଗଠନ ହୋଇଥିବା ବିଏମ୍‌ସି ଉତ୍ତର ରଖିଥିଲା। ଏହା ପୂର୍ବରୁ ରାଜଧାନୀବାସୀଙ୍କଠାରୁ କାହିଁକି ପ୍ରସ୍ତାବ ଗ୍ରହଣ କରାଗଲା ନାହିଁ ବୋଲି ପ୍ରଶ୍ନ ଉଠିଥିଲା। ହେଲେ ଏହା ପଛରେ ମୁଖ୍ୟକାର୍ପଟଦାର ଥିଲେ ଇଞ୍ଜିନିୟର। ଇଞ୍ଜିନିୟରିଂ ସେକ୍ସନ ହିଁ ଏହି ସବୁ ଚିତ୍ର କରାଇଥିଲା। କମିଟି ଏହି ସବୁ ତ୍ରୁଟି କାହିଁକି ଧରିପାରିଲା ନାହିଁ? ଏବେ କମିଟି କିମ୍ବା ଇଞ୍ଜିନିୟରଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି ପ୍ରଶ୍ନ ଉଠିଛି।