ଗଛ କାଟିଛ, ଏବେ ଲଗାଇ ପ୍ରାୟଶ୍ଚିତ କର: ସୌମ୍ୟରଞ୍ଜନ

ଦୁର୍ନୀତି ଓ ନିଶା କବଳରୁ ଦୂରେଇ ରହିବାକୁ ଯୁବ ପିଢ଼ିକୁ ଆହ୍ବାନ

ବୀରମହାରାଜପୁର : ପରିବେଶର ସୁରକ୍ଷା ପାଇଁ ବ୍ୟାପକ ବୃକ୍ଷରୋପଣ ଆବଶ୍ୟକ। ଯେତିକି ଗଛ ଆମେ କାଟିଛେ ସେତିକି ଗଛ ଲଗାଇ ପ୍ରାୟଶ୍ଚିତ କରିବା ସହ ପରିବେଶକୁ ସୁରକ୍ଷିତ ରଖିବା ଲାଗି ‘ସମ୍ବାଦ’ ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି।

ଶନିବାର ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢିରେ ଆୟୋଜିତ ‘ମୁରାସୁରରାଜ୍ ଦରବାରରେ ରାଜ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଯେତେ ଗଛ ଆମେ କାଟିଲେଣି ତା’ ଫଳରେ ୫୦ ବର୍ଷ ପରେ ପୃଥିବୀ ଆଉ ନଥିବ। ପିଇବା ପାଇଁ ପାଣି ଓ ନିଶ୍ବାସ ନେବାକୁ ପବନ ଟିକେ ମିଳୁନଥିବ। ତେଣୁ ଯେତେ ଗଛ କାଟିଛ, ଯଦି ସେତିକି ଗଛ ନ ଲଗାଇବ ତେବେ ଭଗବାନ ବି କ୍ଷମା କରିବେ ନାହିଁ।

ଏ ଅବସରରେ ଶ୍ରୀ ପଟ୍ଟନାୟକ କହିଲେ, ଓଡ଼ିଶା ଏକ ନୂଆ ଯୁଗରେ ପାଦ ଦେବାକୁ ଯାଉଛି। ଆଗରୁ ଅନାହାର ମୃତ୍ୟୁ ପାଇଁ ଓଡ଼ିଶା ବଦନାମ ଥିଲା। ଏବେ କ୍ଷୁଧା ବିରୋଧୀ ସଂଗ୍ରାମରେ ଆମେ ବିଜୟୀ ହୋଇଛୁ। ‘ଭୋକେ ଓଡ଼ିଆ ନିଦ ଯାଏ’ କଥା ଆଜି ଆଉ ନାହିଁ। ଓଡ଼ିଆ ଆଉ ଭୋକରେ ଶୋଉ ନାହାନ୍ତି କି ଅନାହାରରେ ମରୁନାହାନ୍ତି। ତେବେ, କେବଳ କ୍ଷୁଧା ବିରୋଧରେ ବିଜୟ ଯଥେଷ୍ଟ ନୁହେଁ। ଖାଲି ପେଟକୁ ଦୁଇ ବେଳା ଦାନା ମିଳିଗଲେ ଚଳିବ ନାହିଁ। ଏଥିସହ ଶିକ୍ଷା, ସ୍ବାସ୍ଥ୍ୟ ଓ ସମୃଦ୍ଧିର କଥା ବି ଦେଖିବାକୁ ପଡ଼ିବ। ଏହି ନୂଆ ଅଭିଯାନ ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ କାର୍ଯ୍ୟ କରିବାକୁ ଶ୍ରୀ ପଟ୍ଟନାୟକ ନିବେଦନ କରିଥିଲେ।

ଏଥିସହ ଯୁବ ସମାଜକୁ ନିଶା ସେବନ ଓ ଦୁର୍ନୀତିରୁ ନିବୃତ୍ତ ରହିବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ। ସୁସ୍ଥ ଭାବରେ ବଞ୍ଚିବା ଓ ଅନ୍ୟର ଉପକାରରେ ଆସିବା ଭଳି ନିଜକୁ ଗଢ଼ିବା ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି। ସଲମାନ୍‌ ଖାନ୍‌ଙ୍କର ସୁଢଳ ଶରୀର ଓ ମସଲ୍‌ ଦେଖି ଯୁବ ସମାଜ ଖୁସି ହେବା ପରିବର୍ତ୍ତେ ନିଜେ ମଧ୍ୟ ସେଭଳି ସୁନ୍ଦର ସ୍ବାସ୍ଥ୍ୟର ଅଧିକାରୀ ହେବା ପାଇଁ ଉଦ୍ୟମ କରିବା ଆବଶ୍ୟକ। ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ମଧ୍ୟ ଆଗେଇ ଆସିବା ଆବଶ୍ୟକ। ତେଣୁ ନିଜକୁ ସୁସ୍ଥ ରଖିବା ଓ ଅନ୍ୟ ପାଇଁ ବଞ୍ଚିବା ଯୁବ ସମାଜର ପ୍ରଥମ କର୍ତ୍ତବ୍ୟ ହେବା ଉଚିତ। ଏଥିପାଇଁ ସେମାନେ ପ୍ରଥମେ ନିଜକୁ ନିଶା ସେବନ ଓ ଦୁର୍ନୀତିଠାରୁ ଦୂରରେ ରଖିବା ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସମ୍ବନ୍ଧିତ ଖବର