ବୃଦ୍ଧଙ୍କୁ ଗଳାକାଟି ହତ୍ୟା ଘଟଣାର ୧୫ଦିନ ପରେ ହଟିଲା ପରଦା: ଜେଜେଙ୍କୁ ହତ୍ୟା କରିଥିଲା ନାତି, ଅଭିଯୁକ୍ତ ଗିରଫ

ବ୍ରହ୍ମପୁର/ପାଟପୁର: ଗଂଜାମ ଜିଲ୍ଲାର ପାଟପୁର ଥାନା ଅର୍ନ୍ତଗତ ପ୍ରତାପଗିରି ଗ୍ରାମର ଆର.ଖରିଡ଼ା ପାତ୍ରଙ୍କ ଗଳାକାଟି ହତ୍ୟାର ୧୫ଦିନ ପରେ ଘଟଣା ଉପରୁ ପରଦା ହଟାଇଛି ପାଟପୁର ଥାନା ପୁଲିସ। ଜମିଜମା ବିବାଦ ଓ ପରିବାର କଳହ ଆଦି ପୁଞ୍ଜିଭୂତ ଅସନ୍ତୋଷକୁ କେନ୍ଦ୍ର କରି ମୃତକଙ୍କୁ ତାଙ୍କ ନାତି ଏକ ଧାରୁଆ ଗୋଲାକାତିରେ ଗଳାକାଟି ହତ୍ୟା କରିଥିବା ପୁଲିସ ସ୍ପଷ୍ଟ କରିଛନ୍ତି। ମୃତକଙ୍କ ସାନପୁଅ ର୍ସ୍ବଗତ. ଦୁର୍ଯ୍ୟୋଧନ ପାତ୍ରଙ୍କ ପୁଅ ତଥା ଅଭିଯୁକ୍ତ ଆର.ସନ୍ତୋଷ କୁମାର ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ପାଟପୁର ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ବିଜୟ କୁମାର ମଲ୍ଲିକ ଏ ସୂଚନା ଦେଇଛନ୍ତି।

ଅତିରିକ୍ତ ଏସ୍‌ପି ଶ୍ରୀ ମଲ୍ଲିକ ସୂଚନା ଦେଇ କହିଛନ୍ତି ଯେ, ଆର.ଖରିଡ଼ା ସମ୍ପତ୍ତି ୩ ଭାଗ ହୋଇଥିଲା। ଦୁଇ ପୁଅ ଭୀମସେନ ଓ ର୍ଦୁର୍ଯ୍ୟୋଧନ ଦୁଇଭାଗ ନେଇଥିଲେ। ଆର.ଖରିଡ଼ାଙ୍କ ପାଖରେ ଗୋଟିଏ ଭାଗ ରହିଥିଲା। ଆର.ଖରିଡ଼ା ତାଙ୍କ ଭାଗକୁ ପ୍ରତି ବର୍ଷ ଜଣେ ଲେଖାଏଁ ପୁଅଙ୍କୁ ଚାଷ କରିବାକୁ ଦେଇଥାନ୍ତି। ଅଭିଯୁକ୍ତଙ୍କ ବାପାଙ୍କ ମୃତ୍ୟୁ ପରେ ଖରିଡ଼ା ଆଉ ଜମି ଚାଷ କରିବାକୁ ଦେଉ ନ ଥିଲେ। ଦ୍ବିତୀୟ ଅଭିଯୁକ୍ତଙ୍କ ବାପା ତାଙ୍କ ବାପା ଓ ମାଆଙ୍କ ମଧ୍ୟରେ ଖରିଡ଼ା କଳହ ଲଗାଉଥିଲେ। ଦୁର୍ଯ୍ୟୋଧନଙ୍କ ଦେହ ଅସୁସ୍ଥ ହୋଇଥିଲା। ବାପାଙ୍କ ଚିକିତ୍ସା ଲାଗି ଜେଜେଙ୍କୁ କିଛି ଅର୍ଥ ସନ୍ତୋଷ ମାଗିଥିଲେ। ଖରିଡ଼ା ଅପମାନସୂଚକ କଥା କହି ଟଙ୍କା ଦେଇଥିଲେ। ଭଉଣୀ ବିବାହ ବେଳେ ଜେଜେଙ୍କୁ ସନ୍ତୋଷ କିଛି ଟଙ୍କା ମାଗିଥିଲେ । କିନ୍ତୁ ଖରିଡ଼ା ଟଙ୍କାଟିଏ ବି ଦେଇ ନ ଥିଲେ। ସନ୍ତୋଷଙ୍କ ପତ୍ନୀଙ୍କ ନାମରେ ଖରିଡ଼ା ଅପବାଦ ଲଗାଉଥିଲେ। ଏହାକୁ ନେଇ ସନ୍ତୋଷ ଜେଜେ ଖରିଡ଼ାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ। ରାସ୍ତାରୁ ସବୁଦିନ ଲାଗି ଜେଜେ ଖରିଡ଼ାଙ୍କୁ ହଟାଇ ଦେବା ଲାଗି ସନ୍ତୋଷ ଯୋଜନା କରିଥିଲେ।

ଗତ ୪ତାରିଖ ରାତିରେ ଡ୍ରାମା ମଣ୍ତପରେ ଖରିଡ଼ା ଶୋଇଥିବା ବେଳେ ଧାରୁଆ ଗୋଲାକାତିରେ ତଣ୍ଟିକାଟି ଦେଇ ଘରୁ ପଳାଇଥିଲେ ସନ୍ତୋଷ। ଖରିଡ଼ା ଗ୍ରାମରେ ସୁଧ କାରବାର କରୁଥିଲେ ହେଁ କାହା ସହିତ ଅଶାନ୍ତି ନ ଥିଲା। ଜେଜେ ଓ ନାତି ମଧ୍ୟରେ ସମ୍ପର୍କ ତିକ୍ତ ରହିଥିବା ପୁଲିସ ଜାଣିବାକୁ ପାଇଥିଲା। ସନ୍ତୋଷଙ୍କୁ ଆଣି ପଚରାଉଚରା ପରେ ସବୁ କଥା ପଦାକୁ ଆସିଥିଲା ବୋଲି ଅତିରିକ୍ତ ଏସ୍‌ପି ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି।
ପ୍ରକାଶ ଥାଉ କି, ଗତ ୪ତାରିଖରେ ବର୍ଷା ଯୋଗୁଁ ଘର ଗଳିବାରୁ ଆର.ଖରିଡ଼ାରେ ଗ୍ରାମରେ ଥିବା ଡ୍ରାମା ମଣ୍ତପକୁ ଶୋଇବାକୁ ଯାଇଥିଲେ। ୫ତାରିଖ ସକାଳେ ଉକ୍ତ ମଣ୍ତପରେ ଖରିଡ଼ାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ପଡ଼ିଥିବା ଦେଖୃବାକୁ ଗ୍ରାମବାସୀ ଓ ତାଙ୍କ ପରିବାର ଲୋକ ଦେଖୃବାକୁ ପାଇଥିଲେ। ସେହି ମଣ୍ତପରେ ସେହି ଗ୍ରାମର ୪ଜଣ ଲୋକ ଶୋଇଥିଲେ ହେଁ ଏହି ଘଟଣା ସ˚କ୍ରାନ୍ତରେ କିଛି ବି ଜାଣି ପାରି ନ ଥିଲେ।

ମୃତକଙ୍କ ବଡ଼ପୁଅ ଆର.ଭୀମସେନ୍‌ ପାତ୍ର ଏ ସ˚କ୍ରାନ୍ତରେ ପାତ୍ରପୁର ଥାନାରେ ଏତଲା ଦେଇଥିଲେ। ପୁଲିସ ୩୦୨ ଦଫାରେ ଏକ ହତ୍ୟା ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି କେଶର ତଦନ୍ତ ଦାୟିତ୍ବ ପାଟପୁର ଥାନା ସବ୍‌ଇନ୍ସପେକ୍ଟର ଶୁଭ୍ରଜିତ ସାମନ୍ତରାୟଙ୍କୁ ଦିଆଯାଇଥିଲା। ତଦନ୍ତ ପ୍ରକିୟା ତ୍ବରାନ୍ବିତ ହୋଇପାରୁ ନ ଥିଲା। ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାଏଙ୍କ ନିର୍ଦ୍ଦେଶ କ୍ରମେ ଏହି ଘଟଣାର ତଦନ୍ତ ଲାଗି ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା।

ସମ୍ବନ୍ଧିତ ଖବର