ପୂର୍ବ ଶତ୍ରୁତାରୁ ଚାଟ୍‌ ବେପାରୀଙ୍କୁ ହତ୍ୟା

ଦଶପଲ୍ଲା: ଦଶପଲ୍ଲା ଥାନା ଅନ୍ତର୍ଗତ ମଧ୍ୟଖଣ୍ଡ ଗ୍ରାମରେ ଆଜି ଜଣେ ଚାଟ ବେପାରୀଙ୍କୁ ନିର୍ମମ ହତ୍ୟା କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏପରି ଘଟଣା ଘଟିଥିବା ଜଣାପଡ଼ିଛି। ମୃତ ଯୁବକ ହେଲେ, ମଧ୍ୟଖଣ୍ଡ କଇମ ସାହିର ଭରତ ସାହୁଙ୍କ ପୁଅ ଲାଲା ଓରଫ୍‌ ଲକ୍ଷ୍ମୀଧର ସାହୁ (୨୩)। ୪ ବର୍ଷ ପୂର୍ବେ କଇମ ଛକରେ ଏକ ପାନ ଦୋକାନ ଦେଇଥିବା ସମୟରେ ମଧ୍ୟଖଣ୍ଡ ଗଡ଼ଭିତର ସାହିର ଲୋକନାଥ ପରିଡ଼ାଙ୍କ ପୁଅ ରାଜନ ଓ ତା’ର ମାଆ ଆସି ଲାଲାଙ୍କ ପଡ଼ୋଶୀ ଅଜାଘର ତଥା ଗୁରୁବାରୀ ପ୍ରଧାନଙ୍କ ଘରେ ରହି ଆସୁଥିଲେ। ବାକି ପଇସାକୁ ନେଇ ଲାଲା ଓ ରାଜନଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା। ସବୁଦିନ ପରି ଆଜି ଅପରାହ୍ଣ ୩ଟା ୨୦ ମିନିଟରେ ଲାଲା ଘରୁ ଏକ ଠେଲା ଟ୍ରଲିରେ ଚାଟ୍‌ ଧରି ଘରଠାରୁ ମାତ୍ର ୫ ଶହ ମିଟର ଯାଇଥିବା ବେଳେ ପୂର୍ବରୁ ଛକି ବସିଥିବା ରାଜନ ହଠାତ୍‌ ଏକ ଟାଙ୍ଗିଆ ଯୋଗେ ପଛ ପାଖରୁ ଆକ୍ରମଣ କରିଥିଲା। ରାଜନର ଟାଙ୍ଗିଆ ଚୋଟରେ ଲାଲା ଘଟଣାସ୍ଥଳରେ ଟଳିପଡିଥିଲେ। ମାତ୍ର ଏତିକିରେ ରାଜନର ରାଗ ଥମି ନଥିଲା। କାଳେ ଲାଲା ବଞ୍ଚିଯିବ, ବେକକୁ ଚୋଟ ପରେ ଚୋଟ ମାରିଚାଲିଥିଲା। ବାପା ମାଆଙ୍କର ଲାଲା ଏକମାତ୍ର ପୁଅ ହୋଇଥିବା ବେଳେ ମାସକ ତଳେ ବିବାହ କରିଥିଲେ।

ସମ୍ବନ୍ଧିତ ଖବର