ଧାନ ବେପାରୀଙ୍କୁ ଗୁଳି କରି ହତ୍ୟା

ରାଉରକେଲା/ବିଶ୍ରା: ବିଶ୍ରା ଥାନା ଅନ୍ତର୍ଗତ ଜନଗହଳିପୂର୍ଣ୍ଣ ବାଗଡେଗା ସାପ୍ତାହିକ ବଜାରରେ ଆଜି ଧାନ ବେପାରୀ ହରିଦର୍ଶନ ସାହୁ (୪୩)ଙ୍କୁ ୩ ଜଣ ଅଜ୍ଞାତ ଦୁର୍ବୃତ୍ତ ଗୁଳି ମାରି ହତ୍ୟା କରିଛନ୍ତି। ନିହତ ହରି ବାଗଡେଗା ନିକଟ ବାରିଲେପ୍ଟା ଗାଁର। ସେ ଧାନ ବିକିବାକୁ ବଜାରକୁ ଆସିଥିବା ବେଳେ ହତ୍ୟାର ଶିକାର ହୋଇଛନ୍ତି। ଆତତାୟୀ ୩ ରାଉଣ୍ଡ ଗୁଳି କରିଥିବା ବେଳେ ୨ଟି ଗୁଳି ତାଙ୍କ ବାମ ଛାତିକୁ ଭେଦି ଯିବାରୁ ଘଟଣାସ୍ଥଳରେ ହରି ଟଳି ପଡ଼ିଥିଲେ। ଗୁଳିକାଣ୍ଡ ପରେ ଦୁର୍ବୃତ୍ତମାନେ ବାଇକ୍‌ରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ସ୍ପଷ୍ଟ ଦିବାଲୋକରେ ହାଟ ମଧ୍ୟରେ ସଂଘଟିତ ଏହି ହତ୍ୟାକାଣ୍ଡ ଆତଙ୍କ ଖେଳାଇ ଦେଇଛି। ହତ୍ୟାର କାରଣ ଜଣାପଡ଼ି ନଥିଲେ ବି ବେପାରୀଙ୍କ ଠାରୁ ଟଙ୍କା ଲୁଟିବା ପାଇଁ ଦୁର୍ବୃତ୍ତମାନେ ଗୁଳି ଚଳାଇଥିବା ଚର୍ଚ୍ଚା ହେଉଛି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ରାଉରକେଲା ଏସ୍‌ପି ଡ. ଉମାଶଙ୍କର ଦାଶ, ଡିଏସ୍‌ପି ପି.କେ. ମିଶ୍ର, ବନ୍ଧମୁଣ୍ଡା ଥାନା ଅଧିକାରୀ ସୁଶାନ୍ତ ଦାଶ, ବିଶ୍ରା ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରୁ ଗୁଳିର ଖୋକା ଜବତ ହୋଇଛି। ସମ୍ପୃକ୍ତ ଅଞ୍ଚଳରେ ପୂର୍ବରୁ ନକ୍ସଲ ଓ ପିପୁଲ୍ସ ଲିବରେସନ୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଲ୍‌ଏଫ୍‌ଆଇ)ଙ୍କ ଉପଦ୍ରବ ଥିବାରୁ ହତ୍ୟାକାଣ୍ଡରେ ସେମାନଙ୍କ ସମ୍ପୃକ୍ତି ଥାଇପାରେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର