କୋଇଡାରେ ପୁଣି ବୀଭତ୍ସ ହତ୍ୟାକାଣ୍ଡ, ଯୁବକକୁ ହତ୍ୟା ପରେ ପରିତ୍ୟକ୍ତ କୂଅରେ ଫିଙ୍ଗିଥିଲେ

୧୭ ଦିନ ପରେ ଗଳିତ ଶବ ଉଦ୍ଧାର, ଏବେ ସ୍ତ୍ରୀ, ପୁଅ ଓ ବୁଢ଼ୀ ମାଆ ବେସାହାରା

କୋଇଡା: କୋଇଡା ବ୍ଲକ କାଲଟା ଫାଣ୍ଡି ଅନ୍ତର୍ଗତ କମଣ୍ଡ ଗାଁର ମୁଣ୍ଡା ବସ୍ତିରେ ଘଟିଛି ବିଭୀତ୍ସ ହତ୍ୟାକାଣ୍ଡ। ନିଜ ସ୍ତ୍ରୀ, ପୁଅ ଓ ବୃଦ୍ଧା ମା’ ସହିତ ରହୁଥିବା ବାଜୁ ମୁଣ୍ଡା (୪୦)ଙ୍କୁ ଗାଁର କିଛି ଯୁବକ ଘରେ ଏକୁଟିଆ ପାଇ ନିର୍ମମ ହତ୍ୟା କରି କିଛି ଦୂରରେ ଉକ୍ତ ପରିତ୍ୟକ୍ତ କୂଅରେ ପକାଇ ଦେଇଥିବା ଘଟଣା ଆଜି ସାମ୍‌ନାକୁ ଆସିଛି। ଗତ ନଭେମ୍ବର ୧୩ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିବାବେଳେ ୧୭ ଦିନ ପରେ କୂ୍ଅରୁ ଶବ ଉଦ୍ଧାର ହୋଇଛି।

ବାଜୁ ମୁଣ୍ଡା ଜଣେ ଦିନ ମଜୁରିଆ। ଝାଟିମାଟି ଘରେ ନିଜ ସ୍ତ୍ରୀ ଶାନ୍ତି ମୁଣ୍ଡା, ୧୦ ବର୍ଷର ପୁଅ ଓ ମାଆ ବେଲ ମୁଣ୍ଡା ସହ ରହୁଥିଲେ। ଗତ ୧୩ ତାରିଖ ଦୀପାବଳି ଦିନ ତାଙ୍କ ସ୍ତ୍ରୀ ନିକଟରେ ଥିବା ନିଜ ବାପଘରକୁ ଯାଇଥିବାବେଳେ ବାଜୁଙ୍କ ମାଆ ଓ ପୁଅ ନିକଟସ୍ଥ ରାଇକଳା ଗାଁରେ ଥିବା ତାଙ୍କ ଭଉଣୀ ଭିଣୋଇଙ୍କ ଘରକୁ ଯାଇଥିଲେ। ଫଳରେ ଘରେ ଏକୁଟିଆ ରହିଯାଇଥିଲେ ବାଜୁ। ସେହି ସୁଯୋଗରେ ଗାଁର କିଛି ଯୁବକ ପୁର୍ବରୁ ଘଟିଥିବା କୌଣସି ବଚସାକୁ କେନ୍ଦ୍ର କରି ବାଜୁ ମୁଣ୍ଡାଙ୍କୁ ନିର୍ମମ ଭାବେ ହତ୍ୟା କରି ଗାଁଠାରୁ ଅଳ୍ପ ଦୂରରେ ଥିବା ପରିତ୍ୟକ୍ତ କୂଅରେ ପକାଇ ଦେଇଥିଲେ । ପରିବାର ଲୋକ ଫେରିବା ପରେ ଘରେ ବାଜୁ ନଥିବା ଦେଖି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ତେବେ ବାଜୁ ଏକ ଅନ୍ୟ ଜଣେ ମହିଳାଙ୍କୁ ନେଇ ଗାଁରୁ ପଳାଇଛନ୍ତି ବୋଲି ଗାଁର ଯୁବକମାନେ ତାଙ୍କ ସ୍ତ୍ରୀ ଶାନ୍ତିଙ୍କୁ ଭଣ୍ଡିଦେବାକୁ ଚେଷ୍ଟା କରିଥିଲେ। ବିଭିନ୍ନ ସ୍ଥାନରେ ଖୋଜାଖୋଜି କଲେ ବି ବାଜୁଙ୍କର କିଛି ଖବର ମିଳି ନଥିଲା। ତେବେ ଗତକାଲି ଗାଁର କେହି ଜଣେ ଶାନ୍ତିଙ୍କୁ ଜଣାଇଥିଲେ ଯେ ବାଜୁଙ୍କୁ ମାରି ଏକ କୂଅରେ ପକାଇ ଦିଆଯାଇଛି। ବାଜୁଙ୍କ ଭିଣୋଇ ଟାଙ୍ଗୁରୁ ମୁଣ୍ଡା (୩୦) ଏ ବିଷୟରେ କୋଇଡ଼ା ଥାନାକୁ ଅବଗତ କରାଇଥିଲେ।

କୋଇଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ହେଲେ ପରିତ୍ୟକ୍ତ କୂଅ ଭିତରେ କଣ ଅଛି ଜାଣିବା କଷ୍ଟକର ଥିଲା। ତେଣୁ ଆଜି କୋଇଡା ଥାନା ଅଧିକାରୀ ରାମଚନ୍ଦ୍ର ବିଶ୍ୱାଳଙ୍କ ନିର୍ଦ୍ଦେଶକ୍ରମେ କୋଇଡା ଅଗ୍ନିଶମ ବିଭାଗ ଅଧିକାରୀ ଦୀପକ କୁମାର ଜେନାଙ୍କ ନେତୃତ୍ବରେ ତାଙ୍କ ଟିମ୍ କୂଅର ଢାଙ୍କୁଣିକୁ ଭାଙ୍ଗିବା ସହ ୫ଟି ଟ୍ୟାଙ୍କର ପାଣି ସହାୟତାରେ ଦୀର୍ଘ ୭ ଘଣ୍ଟାର କସରତ ପରେ ଗଳିତ ଶବକୁ କୂଅ ଭିତରୁ ଉଦ୍ଧାର କରିଥିଲେ। ଘଟଣା ସ୍ଥଳରେ ରାଉରକେଲା ସାଇଣ୍ଟିଫିକ ଟିମ୍, କୋଇଡା ମାଜିଷ୍ଟ୍ରେଟ ପଲ୍ଲବୀରାଣୀ ରାଜ, ବଣାଇଁ ଉପଖଣ୍ଡ ପୁଲିସ ଅଧିକାରୀ ସୌରଭ ଓତା, କୋଇଡା ଥାନା ଅଧିକାରୀ ରାମଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଶବ ଉଦ୍ଧାର କରିବାରେ ସହାୟତା କରିବା ସହିତ ପରିବାର ବର୍ଗଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ଏକ ହତ୍ୟା ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ଲହୁଣୀପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ପରେ ଉପଖଣ୍ଡ ପୋଲିସ୍ ଅଧିକାରୀ ସୌରଭ ଓତା ଖୁବ୍ ଶୀଘ୍ର ଆସାମୀମାନଙ୍କୁ ଗିରଫ କରାଯିବ ବୋଲି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର