ଗୁଳି ମାଡ ସହ ଖଣ୍ଡାରେ ହାଣି ଯୁବକଙ୍କୁ ହତ୍ୟା

ରାଉରକେଲା: ଆଜି ରାତି ପ୍ରାୟ ସାଢ଼େ ୮ଟାରେ ରେଳବାଇ କଲୋନି ବଡ ପାର୍କ ନିକଟରେ ଜଣେ ଯୁବକକୁ ଗୁଳି ମାଡ କରି, ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ଯୁବକ ଜଣକ ହେଲେ ଦିଲ୍‌ସାଦ୍‌ ଖାନ୍‌ (୪୫)। ହତ୍ୟା ଘଟଣାର କାରଣ ଅସ୍ପଷ୍ଟ ରହିଛି। ପ୍ଲାଣ୍ଟସାଇଟ୍‌ ପୁଲିସ ମୃତକ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି। ପୂର୍ବ ଶତ୍ରୁତା କିମ୍ବା ଅନ୍ୟ କୌଣସି କାରଣରୁ ହତ୍ୟାକାଣ୍ଡ ହୋଇଥାଇ ପାରେ ବୋଲି ପୁଲିସ ଅନୁମାନ କରୁଛି। ମୃତ ଦିଲ୍‌ସାଦ୍‌ ସହରର ଜଣାଶୁଣା ବିଳ୍‌ଡର ଅନ୍‌ମୋଲ ଗୁଳିକାଣ୍ଡ ମାମଲାରେ ଗିରଫ ହୋଇଥିଲେ। ଘଟଣାସ୍ଥଳରେ ସାମାନ୍ୟ ଉତ୍ତେଜନା ଦେଖାଇଥିବାରୁ ପୁଲିସ ମୁତୟନ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଆଜି ରାତିରେ ଦିଲ୍‌ସାଦ୍‌ଙ୍କ ସହ ଅନ୍ୟ ୪ଜଣ ଯୁବକ ରେଳବାଇକଲୋନି ବଡପାର୍କରେ ଏକାଠି ବସିଥିଲେ। କୌଣସି କଥାକୁ କେନ୍ଦ୍ର କରି ପରସ୍ପର ମଧ୍ୟରେ ଯୁକ୍ତିତର୍କ ସହ ପାଟିତୁଣ୍ଡ ହୋଇଥିଲା। ଉତ୍ତେଜିତ ହୋଇ ଜଣେ ଯୁବକ କୁଆଡେ ପକେଟ୍‌ରୁ ବନ୍ଧୁକ ବାହାର କରି ଦିଲ୍‌ସାଦ୍‌କୁ ଗୁଳି କରିଥିଲା। ଜୀବନ ବଞ୍ଚାଇବାକୁ ଦିଲ୍‌ସାଦ୍‌ ସେଠାରୁ ଦୌଡିଥିଲା। ଅନ୍ୟ ଯୁବକମାନେ ତାଙ୍କୁ ଗୋଡାଇ ଗୋଡାଇ ଖଣ୍ଡାରେ ହାଣିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦିଲ୍‌ସାଦ୍‌ ବେହୋସ ହୋଇ ତଳେ ପଡିଯିବା ପରେ ଅନ୍ୟମାନେ ସେଠାରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୁଲିସ ପହଞ୍ଚି ଦିଲ୍‌ସାଦକୁ ଚିକିତ୍ସା ପାଇଁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌)ରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃ୍ତ ଘୋଷଣା କରିଥିଲା।

ସମ୍ବନ୍ଧିତ ଖବର