ରାଉରକେଲା: ବିଶ୍ରା ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାସ ହୋଇଛି। ଏହାକୌଣସି ଗୋଷ୍ଠି ସଂଘର୍ଷ ଜନିତ ପ୍ରତିଶୋଧ ପାଇଁ ନୁହେଁ; ବାସ୍ତବରେ ବ୍ୟକ୍ତିଗତ କାରଣରୁ ଘଟିଥିଲା। ଘଟଣାର ମୁଖ୍ୟ ଅଭିଯୁକ୍ତ ବିଶ୍ରା ଚେକ୍‌ ଗେଟ୍‌ ଅଞ୍ଚଳର ଜୁନୈଦ ଆଲମ(୨୬)ଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।
Advertisment
ଅଭିଯୁକ୍ତ ଜୁନୈଦ କେବଳ ଗୁଳି ମାରିନଥିଲା; ବରଂ ସବୁ ପ୍ରମାଣ ନଷ୍ଟ କରିବା ସହ ପୁଲିସକୁ ବିଭ୍ରାନ୍ତ କରିଥିଲା। ଏମିତିକି ତଦନ୍ତରେ ସହଯୋଗ ବି କରିନଥିଲା। ପୁଲିସ ସୂଚନା ଅନୁସାରେ, ଗୁଳିମାଡ଼ର ଶିକାର ଇର୍ଫାନ ରାଜା(୨୫) ଓ ଅଭିଯୁକ୍ତ ଜୁ‌ନୈଦ ବିଶ୍ରାର ଜଣେ ବ୍ୟକ୍ତିଙ୍କ ପାଖରେ ଗାଡ଼ି ଚାଳକଭାବେ କାର୍ଯ୍ୟରତ ଥିଲେ। ଗତ ୩ ତାରିଖ ସନ୍ଧ୍ୟାରେ ଇର୍ଫାନ ଓ ଜୁନୈଦ କୌଣସି କାମରେ ରାଉରକେଲା ମହତାବନଗର ଅଞ୍ଚଳକୁ ଆସିଥିବାବେଳେ ସ୍ଥାନୀୟ କିଛି ଯୁବକଙ୍କ ସହ ମାଡ଼ପିଟ ହୋଇଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚିବାରୁ ମାମଲା ଶାନ୍ତ ପଡ଼ିଥିଲା। ପରେ ଇର୍ଫାନ ଓ ଜୁନୈଦ ନିଜ ନିଜ ଘରକୁ ଫେରିଆସିଥିଲେ। ତେବେ ଭବିଷ୍ୟତରେ ପୁନର୍ବାର ଗୋଷ୍ଠି ସଂଘର୍ଷ ଆଶଙ୍କା କରି ଜୁନୈଦ ଏକ ଦେଶୀ ପିସ୍ତଲ ଓ ଗୁଳି କିଣି ରଖିଥିଲା। ଉକ୍ତ ପିସ୍ତଲ ଓ ଗୁଳିକୁ ଧରି ୪ ତାରିଖ ସକାଳେ କର୍ମସ୍ଥଳୀ, ଅର୍ଥାତ୍‌ ଗାଡ଼ି ମାଲିକଙ୍କ ଦ୍ବାରା ଚାଳକମାନଙ୍କ ପାଇଁ ଥିବା ବିଶ୍ରାମ ଗୃହରେ ପହଞ୍ଚିଥିଲା। ସେଠାରେ ଇର୍ଫାନଙ୍କ ସମେତ ଅନ୍ୟ କିଛି ଗାଡ଼ି ଚାଳକ ମଧ୍ୟ ଉପସ୍ଥିତ ଥିଲେ। ତେବେ କୌଣସି କାରଣରୁ ଇର୍ଫାନ ଓ ଜୁନୈଦଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଜୁନୈଦ ଇର୍ଫାନଙ୍କ ଛାତିରେ ଗୁଳି ମାରିଥିଲା।
ଗୁଳିକାଣ୍ଡପରେ ଗିରଫ ହେବା ଭୟରେ ଅଭିଯୁକ୍ତ ଜୁନୈଦ ନୂଆ ଯୋଜନା କରିଥିଲା। ଉପସ୍ଥିତ ଅନ୍ୟ ଦୁଇ ଜଣଙ୍କ ସହଯୋଗରେ ପ୍ରଥମେ ଘଟଣାସ୍ଥଳରୁ ପ୍ରମାଣ ନଷ୍ଟ କରାଯାଇଥିଲା। ରକ୍ତ ପୋଛିବା ସହ ଖୋକାକୁ ଫିଙ୍ଗି ଦେଇଥିଲେ। ଏମିତିକି ଗୁରୁତର ଆହତ ଇର୍ଫାନକୁ ଘଟଣା ପ୍ରଘଟ ନ କରିବାକୁ ଧମକଚମକ ଦେଇଥିଲା। ଏହାପରେ ଆହତ ଇର୍ଫାନଙ୍କୁ ସରକାରୀ ଡାକ୍ତରଖାନାକୁ ନେବା ପରିବର୍ତ୍ତେ ପ୍ରଥମେ ବିଶ୍ରାରେ ଥିବା ଏକ ଔଷଧ ଦୋକାନକୁ ନିଆଯାଇଥିଲା। ତେବେ ଔଷଧ ଦୋକାନି ଚିକିତ୍ସା କରିବାକୁ ମନା କରିବାରୁ ସେମାନେ ସ୍ଥାନୀୟ ଏକ କ୍ଲିନିକକୁ ନେଇଥିଲେ। ସେଠାରେ ମଧ୍ୟ ଚିକିତ୍ସା ପାଇଁ ମନା କରିବାରୁ ଶେଷରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅପରପକ୍ଷରେ ପୁନର୍ବାର ହତ୍ୟା ଧମକ ପାଇଥିବାରୁ ଇର୍ଫାନ ପ୍ରକୃତ ଘଟଣା ବିଷୟରେ ନ କହି ପୂର୍ବ ଶତୃତାରୁ ମହତାବରୋଡ୍‌ ଅଞ୍ଚଳର ଦୁଇ ଜଣ ଯୁବକ ଆସି ଗୁଳି ମାରିଥିବା କହିଥିଲେ। ତଦନୁଯାୟୀ ପରିବାର ସଦସ୍ୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏମିତିକି ପୁଲିସ ମଧ୍ୟ ସେହି ଦିଗରେ ତଦନ୍ତ ଆରମ୍ଭ କରିଥିଲା; କିନ୍ତୁ ଅଭିଯୁକ୍ତ ଜୁନୈଦ ତଦନ୍ତରେ ସହଯୋଗ କରୁନଥିବାରୁ ପୁଲିସର ସନ୍ଦେହ ଜାତ ହୋଇଥିଲା। ଅଭିଯୁକ୍ତ ଘଟଣାସ୍ଥଳକୁ ନ ଯିବା, ଫରେନ୍ସିକ ଦଳ ପହଞ୍ଚିବାର କିଛି ସମୟ ପରେ ଘଟଣାସ୍ଥଳରୁ ଫେରାର ହେବା ଆଦି ବିଭିନ୍ନ ଦିଗକୁ ପୁଲିସ ତର୍ଜମା କରିଥିଲା। ଶେଷରେ ଜୁନୈଦକୁ ଜେରା କରିବାରୁ ସେ ଘଯଣା ବିଷୟରେ ମୁହଁ ଖୋଲିଥିଲା।