ମାସେ ତଳେ ମାରପିଟ; ଆଜି ଛୁରୀ ଭୁସି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

ଶେରଗଡ଼: ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅଧୀନ ପଟାପାବୁଲି ଗ୍ରାମରେ ପୂର୍ବ ବିବାଦକୁ କେନ୍ଦ୍ର କରି ଆଜି ସନ୍ଧ୍ୟାରେ ସୁଶାନ୍ତ ଗୌଡ଼ (୩୦)ଙ୍କୁ ଜଣେ ଯୁବକ ଛୁରୀ ଭୁସି ହତ୍ୟା କରିଛି। ସୁଶାନ୍ତ ଆଜି ସନ୍ଧ୍ୟାରେ ତାଙ୍କ ବାପା ପୀତାମ୍ବର ଗୌଡ଼ଙ୍କ ସହ ଗାଧୋଇବାକୁ ‌ପୋଖରୀକୁ ଯାଇଥିବା ବେଳେ ଗ୍ରାମର ସାରଥି ପ୍ରଧାନ ପଛପଟୁ ଆସି ତାଙ୍କ ପିଠିକୁ ଛୁରୀରେ ଭୁସି ଦେଇଥିଲା। ବାପା ଦୌଡ଼ି ଆସି ଛୁରୀଟିକୁ ଟାଣି ବାହାର କରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସୁଶାନ୍ତଙ୍କୁ ଶେରଗଡ଼ ଡାକ୍ତରଖାନାକୁ ଅଣା ଯାଇଥିବା ବ‌େଳେ ଡାକ୍ତର ମୃତ ଘୋଷଣା କରିଥିଲେ। ସେପଟେ ଅଭିଯୁକ୍ତ ସାରଥି ଥାନାରେ ଆତ୍ମସମର୍ପଣ କରିଛି। ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନାନୁସାରେ, ଉଭୟ ସୁଶାନ୍ତ ଓ ସାରଥି ସୁରତରେ ରହୁଥିବା ବେଳେ ଗ୍ରାମକୁ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଆସିଥିଲେ। ମାସେ ତଳେ ସୁଶାନ୍ତଙ୍କ ବାପା ପୀତାମ୍ବରଙ୍କୁ ସାରଥି ଘରକୁ ଯାଇ ଆକ୍ରମଣ ହୋଇଥିଲା। ଏ ନେଇ ଶେରଗଡ଼ ଥାନାରେ ଏତଲା ଦିଆ ଯାଇଥିବା ବେଳେ ଉଭୟ ପକ୍ଷ ରାଜିନାମା ପରେ ଆପୋସ ସମାଧାନ ହୋଇଥିଲା। କିନ୍ତୁ ଆଜି ସନ୍ଧ୍ୟାରେ ସୁଶାନ୍ତଙ୍କୁ ସାରଥି ହତ୍ୟା କରିଛି।

ସମ୍ବନ୍ଧିତ ଖବର