କଲ୍ୟାଣସିଂହପୁର: ସାନଭାଇକୁ ହତ୍ୟା ଅଭିଯୋଗରେ ଅଟକ ଥିବା ଅଭିଯୁକ୍ତ ଥାନାରୁ ଫେରାର ହୋଇଛି। ରାୟଗଡ଼ା ଜିଲ୍ଲା ପୁସିକା ଥାନାରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି। ଫେରାର ଅଭିଯୁକ୍ତ ହେଲା ଡମ୍ବରୁ ପୁସିକା। ଅଭିଯୁକ୍ତ ଥାନାରୁ ଫେରାର ହୋଇଯିବା ପରେ ପୁଲିସ ହରଡ଼ଘଣାରେ ପଡ଼ିଛି।
ସୂଚନା ଅନୁସାରେ ନିୟମଗିରି ପାହାଡ଼ ଲାମ୍ବା ଗାଁରେ ଗତ ୨୭ ତାରିଖ ଦିନ କାନ୍ଦୁଲ ପର୍ବକୁ ନେଇ ଦୁଇ ଭାଇ ମଧ୍ୟରେ ବିବାଦ ହୋଇଥିଲା । ଏହାକୁ ରାଗ ରଖି ବଡଭାଇ ଡମ୍ବୁରୁ ପୁସିକା ସନ୍ଧ୍ୟା ସମୟରେ ଜଗିରହି ସାନଭାଇ ମିନ୍ଦୁରୁକୁ ଟାଙ୍ଗିଆରେ ନିର୍ମମ ଭାବେ ହତ୍ଯାକରି ଫିଙ୍ଗି ଦେଇଥିଲା। ହତ୍ୟା କରିବା ପରେ ପୁଲିସକୁ ଜଣାଇଥିଲେ ମଧ୍ୟ ଘଟଣାର ପ୍ରକୃତ ତଦନ୍ତ ନକରି ଗାଁ ନିକଟକୁ ଯାଇ ଫେରି ଆସିଥିଲା। ପୁଣି ଗାଁ ଲୋକ ଆସି ଥାନାରେ ଜଣାଇବା ପରେ ହତ୍ୟାର ତିନିଦିନ ପରେ ପୁଣି ପୁଲିସ ଲାମ୍ବା ଗାଁକୁ ଯାଇ ମୃତଦେହକୁ ଜବତ କରିବା ପରେ ଅଭିଯୁକ୍ତକୁ କାବୁ କରି ଥାନାକୁ ଆଣି ପଚରା ଉଚରା କରୁଥିବା ଆଇଆଇସି ମୁକୁନ୍ଦ ଦେବ ନାୟକ ଗଣମାଧ୍ୟମକୁ ସୂଚନା ଦେଇଥିଲେ।
ଆଜି ଉକ୍ତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବାର ଥିଲା। କିନ୍ତୁ ଏହା ପୂର୍ବରୁ ଅଭିଯୁକ୍ତ ଶୌଚାଳୟକୁ ଯିବି କହି ଥାନାରୁ ଚମ୍ପଟ ମାରିଥିଲା। ତେବେ ଫେରାର ନେଇ ଥାନାର କିଛି ଅଧିକାରୀଙ୍କୁ ପଚାରିବାରୁ ଗଣମାଧ୍ୟମକୁ ଅଧିକାରୀମାନେ ଅଭିଯୁକ୍ତକୁ ମେଡିକାଲ ନିଆ ଯାଇଛି ବୋଲି କହିଥିଲେ। ବର୍ତ୍ତମାନ ଫେରାର ଥିବା ଅଭିଯୁକ୍ତକୁ ପୁଲିସ ଖୋଜୁଥିବା ଜଣାପଡିଛି। ଅଭିଯୁକ୍ତକୁ ପୁଲିସ ଖୋଜି ପାରୁଛିକି ନାହିଁ ତାହା ଦେଖିବାର ବାକି ରହିଲା।