ଦିଗପହଣ୍ଡି/ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ବିଜେଡି ଯୁବନେତା ଲଳିତମୋହନ ମହାପାତ୍ରଙ୍କୁ କାର୍‌ ମଡ଼ାଇ ହତ୍ୟା ଘଟଣାରେ ଫେରାର୍‌ ଅଭିଯୁକ୍ତ କେ.ନୂଆଗାଁ ଥାନା ଅନ୍ତର୍ଗତ ଖାମ୍ବାରିଗାଁର ରାମକୃଷ୍ଣ ମିଶ୍ର (୪୦)କୁ ପୁଲିସ ଗିରଫ କରିଛି। ହତ୍ୟା ପରେ ଅଭିଯୁକ୍ତ ରାମକୃଷ୍ଣ ତୀର୍ଥଯାତ୍ରାରେ ଚାଲିଯାଇଥିଲା। ସେ ହରିଦ୍ବାରରୁ ଫେରୁଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ରେଳ ଷ୍ଟେସନ୍‌ରୁ କେ. ନୂଆଗାଁ ପୁଲିସ ତାକୁ ଗତକାଲି ଗିରଫ କରିଥିବା ବ୍ରହ୍ମପୁର ଏସ୍‌.ପି ଡା. ଶରବଣା ବିବେକ ଏମ୍‌. ସୂଚନା ଦେଇଛନ୍ତି। ତାକୁ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରି ଦୁଇଦିନିଆ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ବ୍ରହ୍ମପୁର ଅଣାଯାଇଛି। ଅଭିଯୁକ୍ତକୁ ଆଜି ଦିଗପହଣ୍ଡି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଦୁର୍ଘଟଣା ଘଟାଇବାରେ ବ୍ୟବହୃତ ହୋଇଥିବା ରାମକୃଷ୍ଣର କାର୍‌ ବ୍ରହ୍ମପୁର ରେଳ ଷ୍ଟେସନ୍‌ ନିକଟରୁ ଜବତ ହୋଇଥିବା ଏସ୍‌.ପି. କହିଛନ୍ତି।

Advertisment

ଗତ ୨୦ ତାରିଖ (ମଙ୍ଗଳବାର) ସଂଧ୍ୟାରେ ଖମ୍ବାରିଗାଁ ଗ୍ରାମ ନିକଟ ଶଙ୍କରଖାଳି ଛକରେ ଖମ୍ବାରିଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ପ୍ରତିନିଧି ତଥା ବିଜେଡି ଯୁବନେତା ଲଳିତମୋହନ ମହାପାତ୍ର ଓ ରାମକୃଷ୍ଣ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ରାମକୃଷ୍ଣ ଉତ୍ତ୍ୟକ୍ତ ହୋଇ ଲଳିତଙ୍କୁ ଆକ୍ରମଣ କରିଥିଲା। ସ୍ଥାନୀୟ ଲୋକେ ବୁଝାସୁଝା କରିବା ପରେ ମାମଲା ଶାନ୍ତ ପଡ଼ିଥିଲା। ଲଳିତ ତାଙ୍କର ବୁଲେଟ୍‌ ଧରି ଖମ୍ବାରିଗାଁ ଅଭିମୁଖେ ଚାଲିଯାଇଥିଲେ। ପଛରେ ରାମକୃଷ୍ଣ କାର୍‌ ଧରି ଯାଇଥିଲେ। ଖମ୍ବାରିଗାଁ ସ୍କୁଲ ଏବଂ ପଞ୍ଚାୟତ ଅଫିସ୍‌ ମଝିରେ ରାମକୃଷ୍ଣଙ୍କ କାର୍ ଲଳିତଙ୍କ ବୁଲେଟ୍‌କୁ ସାଇଡ୍‌ରୁ ଧକ୍କା ଦେଇଥିଲା। ଧକ୍କା ଖାଇ ଲଳିତ ରାସ୍ତା କଡ଼ରେ ଥିବା ଏକ ନଡ଼ିଆ ଗଛରେ ଜୋର୍‌ରେ ପିଟି ହୋଇଯାଇଥିଲେ। ଲଳିତ ଗୁରୁତର ହୋଇ ପଡ଼ିଥିବା ବେଳେ ରାମକୃଷ୍ଣ ତାଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ଦିଗପହଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ଲଳିତଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ରାମକୃଷ୍ଣ ଡାକ୍ତରଖାନାରେ ଲଳିତଙ୍କ ମୃତଦେହ ଛାଡ଼ି କାର୍‌ ଧରି ଫେରାର୍‌ ହୋଇଯାଇଥିଲା।

ଏହି ଘଟଣାରେ କେ. ନୂଆଗାଁ ଥାନା ପୁଲିସ ମୃତ ଲଳିତଙ୍କ ଭାଇ ରଜତ କୁମାର ମହାପାତ୍ରଙ୍କ ଅଭିଯୋଗ ଅନୁସାରେ କେସ୍ ନମ୍ବର ୨୧୧/୨୩ରେ ଏକ ମାମଲା ରୁଜୁ କରିଥିଲା। ଏହାପରେ ପୁଲିସ ରାମକୃଷ୍ଣର ମୋବାଇଲ୍‌ ଲୋକେସନ୍‌ ଟ୍ରାକିଂ କରିବା ଆରମ୍ଭ କରିଥିଲା। ସେ ଗତକାଲି ହରିଦ୍ବାର-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌ରେ ଫେରୁଥିବା ବେଳେ ବ୍ରହ୍ମପୁର ପୁଲିସର ଏକ ଟିମ୍‌ ବ୍ରଜରାଜନଗର ରେଳ ଷ୍ଟେସନ୍‌ରେ ରାମକୃଷ୍ଣକୁ କାବୁ କରିଥିଲା।