ବ୍ରହ୍ମପୁର : ତ୍ରିକୋଣୀୟ ପ୍ରେମକୁ ନେଇ ଗୁଜରାଟର ସୁରତରେ ଗତ ୨୦୦୧ରେ ଘଟିଥିବା ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ୨୨ବର୍ଷ ପରେ ଧରାପଡ଼ିଛି। ସୁରତ ପୁଲିସର ଏକ ଟିମ୍ ମଥୁରାରେ ସାଧୁ ବେଶରେ ରହୁଥିବା ଅଭିଯୁକ୍ତ ଗୌରାଙ୍ଗ ଚନ୍ଦ୍ର ପଣ୍ଡା (୫୩) ଓରଫ୍ ପଦ୍ମଚରଣକୁ ଗିରଫ କରିଛି। ଗୌରାଙ୍ଗର ଘର ବ୍ରହ୍ମପୁର ଶ୍ରୀରାମନଗର ଓ ସେ ଘଟଣା ପରଠୁ ଫେରାର୍ ଥିଲା। ବିଭିନ୍ନ ସ୍ଥାନରେ ଲୁଚିରହିବା ପରେ ସେ ମଥୁରାରେ ସାଧୁବାବା ଭାବେ ରହୁଥିଲା ବୋଲି ସୁରତ ପୁଲିସ କହିଛି।
ମିଳିଥିବା ସୂଚନା ଅନୁସାରେ ଗୌରାଙ୍ଗ ଦୁଇଦଶନ୍ଧି ତଳେ ସୁରତକୁ କାମ କରିବାକୁ ଯାଇଥିଲା। ସେ ସୁରତର ଶାନ୍ତିନଗର ଅଞ୍ଚଳରେ ରହୁଥିଲେ। ସେଠାରେ ଜଣେ ଯୁବତୀଙ୍କ ସହିତ ତାର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ସେହି ଯୁବତୀଙ୍କ ସହିତ ଅନ୍ୟ ଜଣେ ଯୁବକ ବିଜୟ ଶିବାଦସଙ୍କ ସମ୍ପର୍କ ଥିବା ଗୌରାଙ୍ଗ ସନ୍ଦେହ କରିଥିଲା। ଯୁବତୀଙ୍କ ସହିତ ସମ୍ପର୍କ ନରଖିବା ପାଇଁ ଗୌରାଙ୍ଗ ବିଭିନ୍ନ ସମୟରେ ବିଜୟକୁ ଧମକ ଦେଇଥିଲା। ତଥାପି ବିଜୟ ସେହି ଯୁବତୀଙ୍କ ଘରକୁ ଯିବାଆସିବା କରୁଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଗୌରାଙ୍ଗ ୨୦୦୧ ସେପ୍ଟେମ୍ବର ୩ରେ ସୁରତର ଉଧାନା ଥାନା ଇଲାକାରେ ବିଜୟଙ୍କୁ ହତ୍ୟା କରି ନାଳରେ ଫିଙ୍ଗି ଦେଇଥିଲା। ପରେ ପୁଲିସ ଶବ ଜବତ କରିଥିଲା। ଏହି ଘଟଣାରେ ସୁରତରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ହତ୍ୟାକାରୀକୁ ଚିହ୍ନଟ କରି ସୁରତ ପୁଲିସ ବ୍ରହ୍ମପୁରରେ ଚଢ଼ଉ କରିଥିଲା।
ହେଲେ ପୁଲିସକୁ ଚକ୍ମା ଦେଇ ଗୌରାଙ୍ଗ ମଥୁରା ଚାଲିଯାଇଥିଲା। ସୁରତ ପୁଲିସ ଦୀର୍ଘ ୨୦ବର୍ଷ ହେଲା ଗୌରାଙ୍ଗକୁ ଖୋଜୁଥିଲା। ଏପରିକି ଗୌରାଙ୍ଗ ସମ୍ପର୍କରେ କୌଣସି ପ୍ରକାର ସୂଚନା ଦେଲେ ୪୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ସୁରତ ପୁଲିସ ଘୋଷଣା କରିଥିଲା। ଗତ କିଛିଦିନ ତଳେ ସୁରତ ପୁଲିସ ଗୌରାଙ୍ଗ ସମ୍ପର୍କରେ ସୂଚନା ପାଇଥିଲା। ସେ ମଥୁରାର ନନ୍ଦଗ୍ରାମସ୍ଥିତ ଏକ ଆଶ୍ରମରେ ରହୁଥିବା ଜଣାପଡ଼ିଥିଲା। ଏଣୁ ସୁରତ ପୁଲିସର ୩ଜଣିଆ ଟିମ୍ ସାଧୁବେଶରେ ନନ୍ଦଗ୍ରାମ ଯାଇଥିଲେ। ସେମାନେ ସାଧୁବେଶରେ ୩ ଦିନ ଧରି ବିଭିନ୍ନ ଆଶ୍ରମ ବୁଲିବା ପରେ ଶେଷରେ ଗତ ଦୁଇଦିନ ତଳେ ଗୌରାଙ୍ଗକୁ ଠାବ କରିଥିଲେ। ଗୌରାଙ୍ଗ ସାଧୁବେଶରେ ନାମ ବଦଳାଇ ସେଠାରେ ରହୁଥିଲା ବୋଲି ସୁରତ ପୁଲିସ କହିଛି।