ଝାରସୁଗୁଡା : ଝାରସୁଗୁଡ଼ା ବେହେରାମାଲ ଦୁର୍ଗା ମନ୍ଦିର ପଛ ପଟ ମୁଢ଼ିମିଲ ଗଳିରୁ ଶୁକ୍ରବାର ସକାଳେ ବିପିନ ସାହା (୩୩)ଙ୍କ ରକ୍ତାକ୍ତ ଶବ ଉଦ୍ଧାର କରାଯାଇଥିଲା। ତାଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ଶନିବାର ପୁଲିସ୍‌କୁ ସଫଳତା ମିଳିଛି। ପୁଲିସ୍‌ ଏଥିରେ ସଂପୃକ୍ତ ଜଣେ ଯୁବକକୁ ଗିରଫ କରିଛି। ତା’ ନିକଟରୁ ଲୁଟ୍‌ ହୋଇଥିବା ଲକ୍ଷାଧିକ ଟଙ୍କା ଜବତ କରାଯାଇଥିବା ଜଣାପଡ଼ିଛି। ତେବେ ତଦନ୍ତ ଜାରି ଥିବାରୁ ପୂର୍ଣ୍ଣାଙ୍ଗ ତଥ୍ୟ ପୁଲିସ ଦେଇ ନାହିଁ। ରବିବାର ପୂର୍ବାହ୍ନ ୧୧ଟାରେ ଏକ ସାମ୍ବାଦିକ ସମ୍ମିଳନୀ କରି ହତ୍ୟାକାଣ୍ଡ ପଛର ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରାଯିବା ବୋଲି ଏସ୍‌ଡିପିଓ ନିର୍ମଳ ମହାପାତ୍ର ସୂଚନା ଦେଇଛନ୍ତି।

Advertisment

ସୂଚନାଯୋଗ୍ୟ ଯେ ଝାରସୁଗୁଡ଼ା ପୁରୁଣାବସ୍ତିରେ ରହୁଥିବା ବିପିନ ଏକ ମୋବାଇଲ ଦୋକାନରେ କାମ କରୁଥିଲେ। ସେ କାମ କରୁଥିବା ଉକ୍ତ ମୋବାଇଲ୍‌ ଦୋକାନର ଟଙ୍କା କଲେକ୍‌ସନ୍‌ କରିବାକୁ ଯାଇଥିଲେ। ମୋବାଇଲ ଦୋକାନର ମାଲିକ ଶିବାକର ପ୍ରସାଦଙ୍କ କହିବା ଅନୁଯାୟୀ ‌ବିପିନ ଗୁରୁବାର ମୋବାଇଲ ମାର୍କେଟିଂରେ ବାଗଡିହି ଯାଇଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଦୋକାନକୁ ନଫେରିବାରୁ ତାଙ୍କୁ ୫ଟାରେ ଫୋନ୍‌ କରିଥିଲେ। ବାଇକର ଚେନ୍‌ ଖୋଲି  ଯାଇଥିବାରୁ ଡେରି ହେଉଥିବା କହିଥିଲେ। ପୁଣି ୭ ଟାରେ ଫୋନ୍‌ କରିବାରୁ ସେ ଝାରସୁଗୁଡ଼ା ଆସି ଯାଇଥିବା କହିଥିଲେ। ରାତି ପର୍ଯ୍ୟନ୍ତ ବିପିନ ଘରକୁ ନଫେରିବା ଓ ମୋବାଇଲ ନଲାଗିବାରୁ ତାଙ୍କ ପରିବାର ଲୋକ ଦୋକାନ ମାଲିକଙ୍କୁ ଜଣାଇଥିଲେ। ତାଙ୍କ ପାଖରେ ଅଢେଇ ଲକ୍ଷ ପାଖାପାଖି ଟଙ୍କା ଥାଇପାରେ ବୋଲି ଶିବକର କହିଛନ୍ତି। ମୃତଦେହ ନିକଟରୁ ୭୪ ହଜାର ଟଙ୍କା ଓ ଆଧାର କାର୍ଡ ମିଳିଥିଲା। ଲୁଟ୍‌ ଉଦ୍ଦେଶ୍ୟରେ ତାଙ୍କୁ ହତ୍ୟା କରାଯାଇଥାଇ ପାରେ ବୋଲି କାଲି ପୁଲିସ ଅନୁମାନ କରି ତଦନ୍ତ ଆରମ୍ଭ କରିଥିଲା। ଏସ୍‌ପି ବିକାଶ ଚନ୍ଦ୍ର ଦାଶ କହିଥିଲେ, ବିପିନ ‌ସହିତ ହାତାହାତି ହୋଇଥିବା କ୍ଷତ ଚିହ୍ନରୁ ଅନୁମାନ କରାଯାଉଛି। ଦୁଇଟି ଟିମ୍‌  ଗଠନ କରି ହତ୍ୟାକାରୀଙ୍କୁ ଗିରଫ କରାଯାଉଛି ବୋଲି ସେ ସୂଚନା ଦେଇଥିଲେ।